କିଶୋର ବୈଜ୍ଞାନିକ ନୀଳମାଧବଙ୍କ ଆଉ ଏକ ଉଦ୍ଭାବନ ‘ରୋବ-ନୀଲ୍‍’ 

0

ନୀଳଗିରି : ଦେଶବାସୀଙ୍କ ପାଇଁ ପୁଣି ଏକ ଖୁସିର ଖବର। ବିଶେଷ କରି ଦେଶ ବିଦେଶରେ ରହୁଥିବା ସନ୍ତାନ ସନ୍ତତିଙ୍କ ଦୁଃଖରେ ଭାଙ୍ଗି ପଡ଼ନ୍ତି ପିତାମାତା। ବାର୍ଦ୍ଧକ୍ୟ ଅବସ୍ଥାରେ ପ୍ରତିଟି ମୁହୂର୍ତ୍ତରେ ସନ୍ତାନଙ୍କ ଚିନ୍ତା ଘାରିଥାଏ ସେମାନଙ୍କୁ। ପୁଅକୁ ଦେଖିବା ପାଇଁ ମା’ ହୋଇଯାଏ ବାୟାଣି। ବାପା ହୁଅନ୍ତି ବିଚଳିତ। ଏଭଳି ପରିସ୍ଥିତିକୁ ମୁକାବିଲା କରିବା ଉଦେଶ୍ୟରେ ଭାରତର ପ୍ରଥମ ଆଣ୍ଡ୍ରୋ ହ୍ୟୁମାନଓଏଡ ରୋବଟ୍‍ ନିର୍ମାଣ କରିଛନ୍ତି ବାଲେଶ୍ୱର ଜିଲା ନୀଳଗିରିର ନୀଳମାଧବ। ଯାହାର ନାମ ଦେଇଛନ୍ତି ‘ରୋବ-ନୀଲ୍‍’। ଅବିକଳ ନୀଳମାଧବଙ୍କ ଭଳି ଦେଖିବାକୁ ଏହି ରୋବଟ୍‍ ମନୁଷ୍ୟର ୯୦ପ୍ରତିଶତ କାର୍ଯ୍ୟ କରିପାରିବ। ବୃଦ୍ଧ ପିତାମାତାଙ୍କ ଆଖିରୁ ଲୁହ ପୋଛିଦେଇ ସେମାନଙ୍କ ଯତ୍ନ ନେଇପାରିବ। ଘରର ପୁଅ ଭଳି ସମସ୍ତ କାର୍ଯ୍ୟ ଅକ୍ଳେଶରେ ହାତେଇ ନେବ। ସେମାନଙ୍କୁ ସୁରକ୍ଷା ଯୋଗାଇ ପାରିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଯେ, ବୃଦ୍ଧାବସ୍ଥା
ଦେଖି ବହୁ ଲୋକ ସେମାନଙ୍କୁ ଛଳନା ଓ କପଟ କରିଥାନ୍ତି। କିନ୍ତୁ ଏହି ରୋବଟ୍‍ ଅଜଣା ଲୋକର ଚରିତ୍ର ପଞ୍ଜିକା ସମ୍ପର୍କରେ ବାରି ନେଇଥାଏ। ଚୋର ଠକଙ୍କୁ ଚିହ୍ନି ସେମାନଙ୍କୁ ତଡ଼ିବାରେ ବ୍ୟବସ୍ଥା କରେ। ଯାହା ମନୁଷ୍ୟ କ୍ଷେତ୍ରରେ କଷ୍ଟ ହୁଏ, ତାହା ଏହି ରୋବଟ୍‍ ସ୍ୱଳ୍ପ ସମୟ ମଧ୍ୟରେ କାର୍ଯ୍ୟ କରିପାରିବା ଘଟଣା ସାଧାରଣରେ ହଟଚମଟ ସୃଷ୍ଟି କରିଛି।
ନୀଳଗିରି ଉପଖଣ୍ଡ ଅଧୀନ ତଥା ଔପଦା ବ୍ଲକ ସନ୍ତରାଗଡ଼ିଆ ନିକଟସ୍ଥ କାନପୁର ଗାଁର ରାଜା ଓରଫ ନୀଳମାଧବ ବେହେରା (୨୦)। ବାପା ଶଶିକାନ୍ତ ବେହେରା ଓ ମା’ ନିରୂପମାଙ୍କର ସେ ହେଉଛନ୍ତି ଏକମାତ୍ର ସନ୍ତାନ। ମା’ ଗୃହିଣୀ ହୋଇଥିବା ବେଳେ ବାପା ସ୍ୱଳ୍ପବେତନ ପାଉଥିବା ଏକ ବେସରକାରୀ ସ୍କୁଲର ଶିକ୍ଷକ। ନୀଳମାଧବ ସୋର ବ୍ଲକ ତଳନଗର କଲେଜର +୨ ଦ୍ୱିତୀୟ ବର୍ଷର ଛାତ୍ରଥିବା ସମୟରେ ମାତ୍ର ୧୮ବର୍ଷ ବୟସରେ ସେ କରିପାରିଥିଲେ ଅସାଧ୍ୟ ସାଧନା। ଯାହାକୁ ଗଢ଼ିବା ପାଇଁ ବୈଜ୍ଞାନିକଙ୍କୁ ବର୍ଷ ବର୍ଷ ତପସ୍ୟା କରିବାକୁ ପଡ଼େ; ତା’ହା ମାତ୍ର ସ୍ୱଳ୍ପ ଦିନ ଭିତରେ ସେ ସମ୍ପୂର୍ଣ୍ଣ କରିଛନ୍ତି। ଏଥିରେ ଆବଶ୍ୟକ ପଡ଼ିନି ଗୁରୁବିଦ୍ୟା କି କୌଣସି ଲାବୋରୋଟାରୀର ସହାୟତା। ନିଜର ଲକ୍ଷ୍ୟପଥ ହାସଲ କରିବା ଜିଦିରେ ସେ ସେ ଉଦ୍ଭାବନ କରି ଚାଲିଛନ୍ତି ଗୋଟିଏ ପରେ ଗୋଟିଏ ଚମତ୍କାରକୁ। ଝାଟି ମାଟିଘର ଭିତରେ ସେ ବିଜ୍ଞାନକୁ ବଶ କରି ପ୍ରଥମେ ନିର୍ମାଣ କରିଥିଲେ ଆଟମ-୩.୭ନାମରେ ‘ହ୍ୟୁମାନ୍‍ ରୋବଟ୍‍’। ପରେ ‘ସ୍ମାର୍ଟ ଚେୟାର’। ଆଉ ଏବେ ଉଦ୍ଭାବନ କରିଛନ୍ତି ଭାରତର ପ୍ରଥମ ଆଣ୍ଡ୍ରୋ ହ୍ୟୁମାନଓଏଡ ରୋବଟ୍‍। ଯାହାର ନାମ ଦେଇଛନ୍ତି ‘ରୋବ-ନୀଲ୍‍’।
ବାଲିଘର ଭାଙ୍ଗିବା ଭଳି ପିଲାଦିନେ ବାପା ଯେଉଁ ସବୁ ଖେଳଣା ଆଣି ଦେଉଥିଲେ, ସେସବୁ ନିମିଷକେ ଭାଙ୍ଗି ଦେଉଥିଲେ ନୀଳମାଧବ। ବାପାଙ୍କ ରୋଜଗାର କମ ଥିବାବେଳେ ଏକମାତ୍ର ଗେହ୍ଲାପୁଅର ଖେଳଣା ଭାଙ୍ଗିବା ନିତି ସେତେବେଳେ ତାଙ୍କୁ ବହୁ ଦୁଃଖ ଦେଉଥିଲା। କିନ୍ତୁ ଖେଳଣାକୁ ଅସ୍ତ୍ରୋପଚାର କରିବା ସମୟରେ ପରିବାରର ବୟସ୍କ ଲୋକେ ସିନା ପିଲାଟିକୁ ଦୁଷ୍ଟ ବୋଲି କହୁଥିଲେ, କିନ୍ତୁ ସେହି ଦୁଷ୍ଟତା ଭିତରେ ସେ ଟେକ୍ନୋଲୋଜିକୁ ଖୋଜି ବାହାର କରିବା ଯୋଗୁ ଆଜି ଗୋଟିଏ ପରେ ଗୋଟିଏ ଚମତ୍କାରକୁ ଉଦ୍ଭାବନ କରିପାରିଥିବା କୁହାଯାଉଛି। ଏହି ରୋବ-ନୀଲ୍‍କୁ ନିର୍ମାଣ କରିବା ପାଇଁ ସେ ଦୀର୍ଘ ୧୦ମାସ ଧରି ଅଜ୍ଞାତବାସ ରହିଥିଲେ। ସ୍ଥାନୀୟଲୋକେ ନୀଳମାଧବଙ୍କ ସମ୍ପର୍କରେ କୌଣସି ଖୋଜ ଖବର ପାଇପାରୁନଥିଲେ। ଦୀର୍ଘ ମାସର ତପସ୍ୟା ପରେ ସେ ରୋବ-ନୀଲ୍‍କୁ ଜନ୍ମ ଦେଇ ପାରିଛନ୍ତି। ତାମିଲ ଫିଲ୍ମ ‘ରୋବଟ୍‍’ରେ ଅଭିନେତା ରଜନୀକାନ୍ତଙ୍କ ଭଳି ଏହି ରୋବ-ନୀଲ୍‍ ମଧ୍ୟ କାର୍ଯ୍ୟ କରିପାରିବ ବୋଲି ନୀଳମାଧବ କହିଛନ୍ତି। ପରିବାରରେ ରହି ରୋଷେଇଠାରୁ ଆରମ୍ଭ କରି ସମସ୍ତ ଘରୋଇ କାର୍ଯ୍ୟ କରିବାରେ ଏହି ରୋବଟ୍‍ର ଦକ୍ଷତା ରହିଛି। ସେହିପରି ମହାକାଶରେ ମନୁଷ୍ୟଙ୍କ ଅପେକ୍ଷା ଏହି ରୋବଟ୍‍କୁ ପଠାଗଲେ ସେ ଅଧିକ କାମ କରିପାରିବ ବୋଲି କୁହାଯାଉଛି। ଇଣ୍ଟରନେଟ ଗୁଗୁଲି ଜରିଆରେ ଉତ୍ତର ପାଇବା ଭଳି ଏହି ରୋଟଟ୍‍ଟି ସମସ୍ତ ଜଟିଳ ପ୍ରଶ୍ନର ସରଳ ଉତ୍ତର ଏକସଙ୍ଗେ ଦେଇପାରୁଥିବା ଜଣାଯାଇଛି। ଅଜଣା ଲୋକ କୌଣସି ଛଳନା କିମ୍ବା ଠକଉଥିଲେ ରୋବ-ନୀଲ୍‍ ସେମାନଙ୍କୁ ଉଚିତ ଶିକ୍ଷା ଦେଇଥାଏ। ଏଣୁ ୟା ପାଖକୁ କୌଣସି ଶତ୍ରୁ କିମ୍ବା କପଟିଆ ଲୋକ ଗଲେ ସେମାନଙ୍କ ପାଇଁ ବିପଦ ରହିଥିବା କୁହାଯାଉଛି। ଏହା ସମ୍ପ୍ରତି ଇଂରାଜୀ ଭାଷାରେ ଭାବର ଆଦାନ ପ୍ରଦାନ କରିପାରୁଛି। ଆବଶ୍ୟକ ପଡ଼ିଲେ ପ୍ରୋଗ୍ରାମିଂ ପରିବର୍ତ୍ତନ କରିଲେ ଏହା ଓଡ଼ିଆ, ତାମିଲ, ହିନ୍ଦୀ, ବଙ୍ଗଳା, ମରାଠୀ ପ୍ରଭୃତି ଆଞ୍ଚଳିକ ଭାଷା ମଧ୍ୟ ପ୍ରୟୋଗ କରିପାରିବ। ତେବେ ଦୀର୍ଘ ୧୦ମାସ ଅଜ୍ଞାତବାସରେ ରହି ଏଭଳି ଏକ ରୋବଟ୍‍କୁ ନିର୍ମାଣ କରିବାରେ ସଫଳ ହୋଇଛନ୍ତି ନୀଳମାଧବ। ଏଥିରେ ନୀନା ସିଂ ନାମକ ଜଣେ ଶିଳ୍ପୋଦ୍ୟୋଗି ମହିଳା ତାଙ୍କୁ ଆର୍ଥିକ ସହାୟତା କରିଛନ୍ତି। ଏହାକୁ ଗଢ଼ିବାରେ ମୋଟ ସାଢ଼େ ୩ଲକ୍ଷରୁ ୪ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ସୂଚନା ମିଳିଛି। ନୀଳଗିରିର ଏକ ଝାଟିମାଟି ଘରେ ବଢ଼ିଥିବା ନୀଳମାଧବଙ୍କ ଏହି ଉଦ୍ଭାବନ ସମ୍ପର୍କୀତ ଖବରପାଇ ତାଙ୍କୁ ଅଧିକ ଉତ୍ସାହିତ କରିବା ଉଦେଶ୍ୟରେ ଚଳିତମାସ ୧୩ତାରିଖରେ ଭୁବନେଶ୍ୱରର ଜୟଦେବ ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସମ୍ବର୍ଦ୍ଧନା ଦେବେ ବୋଲି କୁହାଯାଇଛି। ଏନେଇ ଓଡ଼ିଶା ସ୍ମଲ ଇଣ୍ଡଷ୍ଟ୍ରି ସେଣ୍ଟର ପକ୍ଷରୁ ତାଙ୍କୁ ଡାକରା ଆସିଛି।
ଅନ୍ୟପକ୍ଷରେ ଏହି ରୋବଟ୍‍ ସମ୍ପର୍କରେ ଅଧିକ ଗବେଷଣା କରିବା ତଥା ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସହଯୋଗ ତଥା ଆର୍ଥିକ ସହାୟତା ଯୋଗଇଦେବା ନିମନ୍ତେ ତାଙ୍କୁ ବହୁବାର ଭୁବନେଶ୍ୱର ଡାକରା ହୋଇ ପ୍ରତିଶ୍ରୁତି ଦିଆଯାଇଥିଲେ ହେଁ ଏଯାବତ ତାଙ୍କୁ କୌଣସି ସହଯୋଗ କରାଯାଇନାହିଁ ବୋଲି କ୍ଷୋଭର ସହ ପ୍ରକାଶ କରିଛନ୍ତି ନୀଳମାଧବ। ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇ ନୀଳମାଧବଙ୍କୁ ଆର୍ଥିକ ସହାୟତା ଯୋଗାଗଲେ ହୁଏତ ସେ ବିଜ୍ଞାନ କ୍ଷେତ୍ରରେ ଏକ ବିପ୍ଳବାତ୍ମକ ପରିବର୍ତ୍ତନ ଆଣିପାରନ୍ତେ ବୋଲି ମତପ୍ରକାଶ ପାଇଛି।

Leave A Reply