୩୫ ଲକ୍ଷର ଅଳଙ୍କାର ଲୁଟ୍‍

0

ବଡ଼ବିଲ: ବଡ଼ବିଲ ଦୈନିକ ମାର୍କେଟରେ ଥିବା ମା ତାରିଣୀ ଜୁଏଲାରୀ ନାମକ ଗହଣା ଦୋକାନରୁ ଶନିବାର ପୂର୍ବାହ୍ନ ପ୍ରାୟ ୧୧ଘଟିକାରେ ପ୍ରାୟ ୩୫ଲକ୍ଷ ଟଙ୍କା ମୂଲ୍ୟର ସୁନା ଏବଂ ରୂପା ଅଳଙ୍କାର ଲୁଟ୍‍ ହୋଇଯାଇଛି। ଏହି ଘଟଣାରେ ଅଦ୍ୟାବଧି କେହି ଧରା ଯାଇ ନଥିବା ବେଳେ ଜନ ଗହଳିପୂର୍ଣ ବଜାର ମଧ୍ୟରେ ଏପରି ଏକ ଘଟଣା ଯୋଗୁ ସାଧାରଣରେ ଚାଞ୍ଚଲ୍ୟ ଖେଳି ଯାଇଛି।
୧୧ଟାରେ ଦୈନିକ ମାର୍କେଟର ରାଧା-କୃଷ୍ଣ ମନ୍ଦିର ନିକଟରେ ଥିବା ମା’ ତାରିଣୀ ଜୁଏଲାରୀର ମାଲିକ ଅମର ରଣା ଦୋକାନ ଖୋଲିବାକୁ ଆସିଥିଲେ। ପ୍ରତ୍ୟେକ ଦିନ ପରି ପୂର୍ବ ରାତିରେ ସେ ସୁନା ଏବଂ ରୂପା ଅଳଙ୍କାର ସବୁ ଏକ ବ୍ୟାଗରେ ଭର୍ତ୍ତି କରି ନିଜ ଘରକୁ ନେଇଥିଲେ ଏବଂ ଦୋକାନ ଖୋଲିବା ସମୟରେ ଉକ୍ତ ବ୍ୟାଗ୍‍କୁ ସଙ୍ଗରେ ଆଣିଥିଲେ। ଦୋକାନର ଫାଳେ କଟାବ ଖୋଲି ବ୍ୟାଗକୁ ଦୋକାନ ଭିତର ସୋ-କେଶ୍‍ ଉପରେ
ରଖିସାରିବା ପରେ ଆର ଫାଳ କବାଟ ଖୋଲୁଥିବା ସମୟରେ ହଠାତ୍‍ ୨ଜଣ ଯୁବକ ଦୋକାନ ମଧ୍ୟରୁ ଉକ୍ତ ଅଳଙ୍କାର ଭର୍ତ୍ତି ବ୍ୟାଗକୁ ଝାମ୍ପି ନେଇଥିଲେ। ପରେ ସେମାନେ ଏକ ପଲସର୍‍ ବାଇକ ଯୋଗେ ସେଠାରୁ ପଳାଇଥିଲେ। ଦୋକାନ ମାଲିକ ଏକ ସ୍କୁଟି ଯୋଗେ ସେମାନଙ୍କ ପିଛା କରି କାହାରିକୁ ନପାଇବାରୁ ଥାନାକୁ ଯାଇ ଜଣାଇଥିଲେ। ପୁଲସି ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରୁଥିଲେହେଁ ଅଦ୍ୟାବଧି ଲୁଟିଆଙ୍କ କୌଣସି ପତ୍ତା ମିଳି ନାହିଁ। ଲୁଟିଆ ମାନେ ବାଇକ ଯୋଗେ ବିଲେଇପଦା ଆଡ଼କୁ ପଳାଇଥିବା କେତେକ ପ୍ରତ୍ୟକ୍ଷଦର୍ଶୀ କହିଥିଲେ। ଉକ୍ତ ବ୍ୟାଗ ମଧ୍ୟରେ ପ୍ରାୟ ୬୦୦ଗ୍ରାମ୍‍ ସୁନା ଏବଂ ୪୦କେ.ଜି.ଓଜନର ରୂପା ଅଳଙ୍କାର ଥିଲା ବୋଲି ଦୋକାନୀ କହିଛନ୍ତି। ଯାହାର ମୂଲ୍ୟ ଆନୁମାନିକ ପ୍ରାୟ ୩୫ ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି। ତେବେ ଏବାବଦରେ ଅଦ୍ୟାବଧି ଥାନାରେ କୌଣସି ଏତାଲା ଦିଆଯାଇନାହିଁ। ଏଣେ ଦିନ ଦ୍ୱିପ୍ରହରରେ ଜନଗହଳିପୂର୍ଣ ବଜାର ମଧ୍ୟରୁ ଏପରି ଏକ ଡକାୟତି ଘଟଣା ଯୋଗୁ ଉଭୟ ବ୍ୟବସାୟୀ ଏବଂ ଗ୍ରାହକ ମାନେ ଅତ୍ୟନ୍ତ ଭୟଭୀତ ହୋଇଥିବା ଦଖିବାକୁ ମିଳିଛି।

Leave A Reply