ଘାଟି ତଳକୁ ଓଲଟିଲା କାଠ ବୋଝେଇ ଟ୍ରକ, ଚୋରା ପିଆଶଳ କାଠ ଜବତ

0

ମୋହନା : ଗଜପତି ଜିଲା ମୋହନା ଅଞ୍ଚଳରେ ଦିନକୁ ଦିନ କାଠ ମାଫିଆମାନେ ସକ୍ରିୟ ହେବାକୁ ଲାଗିଛନ୍ତି। ଯାହା ଫଳରେ ସଂରକ୍ଷିତ ଜଙ୍ଗଲ କ୍ଷୟ ହେବାରେ ଲାଗିଛି। ସାଧାରଣତଃ ଗଞ୍ଜାମ ଜିଲାର ବଡ଼ଗଡ, ସୋରଡା ଓ ରାୟଗଡା ଜିଲ୍ଲାର ଗୁଣୁପୁର, ଗୁଡାରି ଅଞ୍ଚଳର ଚୋରାବେପାରୀ ରାତିରେ କାଠ ଚୋରି କରିନେଉଥିବା ଜଣାପଡିଛି। ମଙ୍ଗଳବାର ରାତ୍ର ପ୍ରାୟ ୧ଘଣ୍ଟା ସମୟରେ ମୋହନା ବ୍ଳକ ଜରଉ ପଞ୍ଚାୟତ ନିକଟ ଜଙ୍ଗଲରୁ ଏକ କାଠ ବୋଝେଇ ମିନି ଟ୍ରକରେ ଗଞ୍ଜାମ ଜିଲ୍ଲା ବଡଗଡକୁ ଚୋରା ପିଆଶାଳ କାଠ ଚାଲାଣ ହେଉଥିବା ବେଳେ ଘାଟି ନିକଟ ବୁଲାଣିରେ ମିନିଟ୍ରକଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଘଟଣା ସ୍ଥଳରୁ ଚୋରା ବେପାରୀମାନେ ଚମ୍ପଟ ମାରିଥିଲେ। ଏହି ଖବର ପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୋହନା ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବାରୁ ଜଣାପଡିଥିଲା ବେଆଇନ ଚୋରାଚାଲାଣ ହେଉଥିବା ୧୯ଟି ପିଆଶାଳ ଗଣ୍ଡି ରହିଥିଲା। ଯାହାର ଆନୁମାନିକ ମୂଲ୍ୟ ୧ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଗୋବିନ୍ଦପୁର ରେଞ୍ଜ ଫରେଷ୍ଟର ସୁନିଲ କୁମାର ମଣ୍ଡଳ କହିଛନ୍ତି। କିନ୍ତୁ ଚୋରାକାଠ ମାଫିଆଙ୍କ ପରିଚୟ ମିଳିପାରିନାହିଁ।

Leave A Reply