୧୮ଚକିଆ ଟେଲର ଧକ୍କାରେ ୩ ମୃତ

0

ସୁନ୍ଦରଗଡ଼ : ହେମଗିର ଥାନା ଅନ୍ତର୍ଗତ ବ୍ରାହ୍ମଣୀ ଗ୍ରାମ ସ୍ଥିତ ବ୍ରାହ୍ମଣୀ ଢ଼ାବା ନିକଟରେ ଏକ ୧୮ ଚକିଆ ଟେଲର ଯାତ୍ରୀବାହୀ କମାଣ୍ଡର ଜିପକୁ ଧକ୍କା ଦେବାରୁ କମାଣ୍ଡର ଜିପଟି ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହେବା ସହ ଚାଳକ ସମେତ ୩ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ପୁଲିସ ସୂତ୍ରରୁ ପ୍ରକାଶ, ଆଜି ଅପରାହ୍ନରେ କନିକା ପଟୁ ଦୁଇଜଣ ଯାତ୍ରୀକୁ ଧରି ବିଲାଇମୁଣ୍ଡାକୁ ଫେରୁଥିବା କମାଣ୍ଡର ଜିପ ନଂ-ଓଆର୧୫ଏ-୪୫୪୫ କୁ ଏମ.ସି.ଏଲରୁ କନିକା ସାଇଡ଼ିଂକୁ ଯାଉଥିବା ୧୮ ଚକିଆ ଟେଲର ନଂ- ଓଡ଼ି୧୬ଇ-୧୧୮୧ ଉକ୍ତ କମାଣ୍ଡର ଜିପକୁ ଧକ୍କା ଦେବାରୁ ଘଟଣାସ୍ଥଳରେ କମାଣ୍ଡର ଚାଳକଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ୨ଯାତ୍ରୀ ହେମଗିର ଗ୍ରାମର ଜିତେନ୍ଦ୍ର ରାଏ(୫୩) ଓ ଛତାବର ଗ୍ରାମର ଅସରଫ ଖାନ(୨୩) ଗୁରୁତର ଭାବେ ଆହତ ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ପ୍ରଥମେ ହେମଗିର ଡ଼ାକ୍ତରଖାନା ନିଆଯାଇଥିଲା। ସେଠାରେ ଜିତେନ୍ଦ୍ର ରାଏଙ୍କ ମୃତ୍ୟୁ ହୋଇଥିଲା ଓ ପରେ ଅନ୍ୟ ଯାତ୍ରୀକୁ ସୁନ୍ଦରଗଡ଼ ମୁଖ୍ୟ ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଯାଇଥିଲା। ଚିକିତ୍ସାଧିନ ଅବସ୍ଥାରେ ଅସରଫ ଖାନଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା। ୧୮ ଚକିଆ ଚଳାଚଳ ଉପରେ ପ୍ରଶାସନ ଅଙ୍କୁଶ ଲଗାଇଥିଲେ ହିଁ କେଉଁ ପରିସ୍ଥିତିରେ ଏହି ୧୮ ଚକିଆ ଚଳାଚଳ କରୁଥିଲା ତାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ପୁଲିସ ଶବ ଗୁଡ଼ିକୁ ବ୍ୟବଛେଦ କରାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରି ଏକ ମାମଲା ରୁଜୁ କରିଛି। ଏଭଳି ମର୍ମନ୍ତୁଦ ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପାଇଁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଅପରପକ୍ଷରେ କ୍ଷତିପୂରଣ ଦାବି କରି ସ୍ଥାନୀୟ ଲୋକେ ରାସ୍ତା ରୋକ କରିଥିବାର ଜଣାପଡ଼ିଛି।

Leave A Reply