ଅପରେସନ ଶେଷ, ୫ ମୃତଦେହ ଉଦ୍ଧାର

0

ରାଉରକେଲା : ଆର୍‍ଏସ୍‍ପି ଭିତରୁ ମଳ ଲୁହା ସଂଗ୍ରହ କରିବାକୁ ଯାଇ ଟନେଲରେ ପଡି ପ୍ରାଣ ହରାଇଥିବା ସମସ୍ତ ୫ ଯୁବକଙ୍କ ଶବ ଉଦ୍ଧାର ହୋଇଛି। ଆଜି ଓ ଗତକାଲିକୁ ମିଶାଇ ୪ଟି ଶବ ଉଦ୍ଧାର ହୋଇଛି। ପୂର୍ବରୁ ଜଣଙ୍କ ଶବ ଉଦ୍ଧାର ହୋଇଥିଲା। ତେବେ ଶବଗୁଡିକ ପଚିସଢି ଯାଇଥିବାରୁ ଚିହ୍ନଟ କରିବା ଅସମ୍ଭବ ହୋଇପଡିଛି। ଶବଗୁଡିକୁ ଆର୍‍ଜିଏଚ୍‍ ମର୍ଗହାଉସରେ ରଖାଯାଇଛି। ଆସନ୍ତାକାଲି ଶବ ଚିହ୍ନଟ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି।
ଶୀତଳପଡା ବସ୍ତିର ରାଜୁ ନାୟକ, ସୁରେଶ ସିଂହ, ସୁରଜ କୁର୍ମୀ ଓ କ୍ରିଷ୍ଣା ବଡ଼ାଇକ ଆର୍‍ଏସ୍‍ପିରୁ ମଳ ଲୁହା ଚୋରି କରିବାକୁ ଶୀତଳପଡାକୁ ସଂଯୋଗ କରୁଥିବା ଆର୍‍ଏସ୍‍ପିର ୯ ନମ୍ବର ଟନେଲ ବାଟେ ଯାଉଥିଲେ। ଗତ ୩ ତାରିଖ ସକାଳେ ଏହି ଯୁବକମାନେ ଯାଇ ସନ୍ଧ୍ୟା ସୁଦ୍ଧା ନ ଫେରିବାରୁ ଗହନୁ ଲୋହାର ସମେତ ଅନ୍ୟ ୪ ଜଣ ଯୁବକ ସେମାନଙ୍କୁ ଖୋଜିବାକୁ ଯାଇଥିଲେ। ସେମାନଙ୍କ ମଧ୍ୟରୁ ଗହନୁ ଲୋହାର ମଧ୍ୟ ସେହି ଟନେଲ ଭିତରେ ଫସି ଯାଇଥିଲା। ଗତ ୭ ତାରିଖ ଦିନ ଏହି ଖବର ହଇଚଇ ସୃଷ୍ଟି କରିବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଗତ ୭ ତାରିଖରେ ଆରମ୍ଭ ହୋଇଥିବା ଅପରେସନ ଆଜି ସନ୍ଧ୍ୟାରେ ଶେଷ ହୋଇଛି। ଅପରେସନରେ ସାମିଲ୍‍ ହୋଇଥିବା ପୁଲିସ୍‍, ଅଗ୍ନିଶମ, ଓଡ୍ରାଫ୍‍ ଓ ଆର୍‍ଏସ୍‍ପି କର୍ମଚାରୀ ଆଜି ଅବଶିଷ୍ଟ ୩ଟି ଶବ ଉଦ୍ଧାର କରିଛନ୍ତି। ଗତକାଲି ଗୋଟିଏ ଶବ ଉଦ୍ଧାର ହୋଇଥିଲା। ୭ ତାରିଖ ଦିନ ରାଜୁ ନାୟକ ନାମକ ଯୁବକ ଉଦ୍ଧାର ହୋଇଥିଲା। ଦୀର୍ଘ ୧୦ ଦିନର ଅକ୍ଳାନ୍ତ ପରିଶ୍ରମ ପରେ ଗଭୀର ଟନେଲ ଭିତରୁ ଶବ ଗୁଡିକୁ ଉଦ୍ଧାର କରିବାରେ ଉଦ୍ଧାରକାରୀ ଦଳ ସଫଳ ହୋଇଛନ୍ତି। ତେବେ ଶୀତଳପଡାରୁ ଆର୍‍ଏସ୍‍ପି ଭିତରକୁ ସଂଯୋଗ କରୁଥିବା ୯ ନମ୍ବର ଟନେଲରେ କର୍ଦ୍ଦମାକ୍ତ ଡ୍ରେନରେ ଫସିଯିବାରୁ ଅଣନିଃଶ୍ୱାସୀ ହୋଇ ସମସ୍ତ ଯୁବକ ପ୍ରାଣ ହରାଇଥିବା ସ୍ପଷ୍ଟ ହୋଇଛି। ତେବେ ଦୀର୍ଘ ୧୦ ଦିନ ହେଲା ଟନେଲ ଉପରୁ ରାଖଡ ଅବସାରଣ ପରେ ଟନେଲ ଭଙ୍ଗାଯାଇ ଶବ ଉଦ୍ଧାର କରାଯାଇଛି। ଆଜି ଉଦ୍ଧାର ହୋଇଥିବା ଶବଗୁଡିକୁ ସମ୍ପୂର୍ଣ୍ଣ ପଚିସଢି ଯାଇଛି। ସେମାନଙ୍କ ଦେହରେ କେବଳ କଙ୍କାଳ ଓ କପଡାଲତା ରହିଛି। ଶବଗୁଡିକୁ ଆଜି ସନ୍ଧ୍ୟାରେ ଆର୍‍ଜିଏଚ୍‍ ମର୍ଗରେ ରଖାଯାଇଛି। ପୂର୍ବରୁ ରାଜୁ ନାୟକର ଶବ ଚିହ୍ନଟ ହୋଇଥିଲା। ରାଜୁର ସବ ସତ୍କାର ହୋଇଥିବାବେଳେ ଅନ୍ୟ ୪ ଜଣ ଯୁବକଙ୍କ ଶବ ଆସନ୍ତାକାଲି ସକାଳେ ଚିହ୍ନଟ ହେବ। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି। ଆଜି ଶବ ଉଦ୍ଧାର ପରେ ପରିବାର ଲୋକଙ୍କ ଭିତରେ ଶୋକର ଛାୟା ସୃଷ୍ଟି ହୋଇଛି। ମୃତ ୪ ଯୁବକଙ୍କ ବୟସ ୨୦ରୁ ୨୪ ବର୍ଷ ହେବ। ସମସ୍ତେ ବିବାହିତ। କାହାରି ଗୋଟିଏ ଦୁଇଟି ପିଲାଛୁଆ ଥିବାବେଳେ ଆଉ କେତେକଙ୍କ ପତ୍ନୀ ଗର୍ଭବତୀ ଥିବା ସୂଚନା ମିଳିଛି। ଏକାଥରକେ ଗୋଟିଏ ବସ୍ତିରୁ ୫ ଯୁବକଙ୍କ ଅକାଳ ବିୟୋଗ ବସ୍ତି ଲୋକଙ୍କୁ ସ୍ତବ୍‍ଧ କରିଦେଇଛି।

Leave A Reply