ବଢୁଛି ବୈତରଣୀ ଓ ସାଳନ୍ଦୀ ନଦୀର ଜଳସ୍ତର

0

ଆରଡି: ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ହୋଇ ପଡିବା ସହ ଉଚ୍ଚ ଜୁଆର ଉଠିବାରେ ଲାଗିଛି। ଯାହା ଫଳରେ ଧାମରାସ୍ଥିତ ସମୁଦ୍ର ମୁହାଣର ନିକଟବର୍ତ୍ତୀ  ଚାନ୍ଦବାଲି ବ୍ଲକର ଆରଡି, ନାନ୍ଦପୁର, ଓଳଗ, ତେନ୍ତୁଲିଡିହ, ସୁନ୍ଦରପୁର ଭୁଇଁବୃତ୍ତି ଆଦି ପଞ୍ଚାୟତର ତଳିଆ ଅଞ୍ଚଳ ଜଳମଗ୍ନ ହୋଇ ପଡିଛି। ବିଶେଷକରି ଧାମରା ମୁହାଣକୁ ସଂଯୋଗ କରୁଥିବା ବୈତରଣୀ ଓ ସାଳନ୍ଦୀ ନଦୀ ଉଚ୍ଚ ଜୁଆର ପ୍ରଭାବରେ ଜଳସ୍ତର ବୃଦ୍ଧି ପାଇବା ଲାଗିଥିବା ବେଳେ  ଲଘୁଚାପ ପ୍ରଭାବରେ ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ  ଉଭୟ ନଦୀରେ ଜଳସ୍ତର ଦୁଇଗୁଣା ବୃଦ୍ଧି ପାଇଛି। ଏପରି ଉଭୟ ନଦୀର ଜଳସ୍ତର ବୃଦ୍ଧିକୁ ନେଇ ନଈକୂଳିଆବାସୀ ଆତଙ୍କିତ ହୋଇ ପଡିଛନ୍ତି। ତାହାସହ    ବିଭିନ୍ନ ମାହାରା ଓ ନଈଯୋର ଦେଇ ପ୍ରବାହିତ ହେଉଥିବା ଜୁଆରପାଣିରେ ଶହଶହ ହେକ୍ଟର ଛାଷଜମି ଜଳମଗ୍ନ ହୋଇ ପଡିଛି। ଆରଡି ଓ ନାନ୍ଦପୁର ପଞ୍ଚାୟତର ଶୀତଳପୁର, ପାଲଟପୁର ଗାଁ ଦେଇ ପ୍ରବାହିତ ହେଉଥିବା   ସାଳନ୍ଦୀ ନଦୀ ଉଚ୍ଚ ଜୁଆର ଯୋଗୁଁ ଫୁଲି ଉଠିବା ସହ ଗାଁ ଦାଣ୍ଡରେ  ଜୁଆର ପାଣି ଲହଡି ମାରିବା ସହ  ଶହଶହ ହେକ୍ଟର ଚାଷଜମି ଜଳମଗ୍ନ ହୋଇ ପଡିଛି। ସେହିପରି ମୁଆଁ, ସନ୍ତରା, ଷାଠିବାଙ୍କୁଡା, ବୋଡକ, ଗରିପୁର, ତେନ୍ତୁଲିଡିହ, ମାଧପୁର, ଦୋହରାପାଟଣା, ବାଙ୍କମୁଆ, ପାରଡିଆ, ଖଟୁଆପାଟଣା, ସୁନ୍ଦରପୁର ଆଦି ନଈକୂଳିଆ ଅଞ୍ଚଳରେ ଥିବା ସମସ୍ତ ଚାଷଜମି ଜଳମଗ୍ନ ହୋଇପଡିଛି। ଯଦି ଲଘୁଚାପ ଜନିତ ବର୍ଷା ୨/୩ଦିନ ଲାଗି ରହେ ତାହାଲେ ଧାନତଳି ସମ୍ପୂର୍ଣ୍ଣ ନଷ୍ଟ ହେବ ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି।

Leave A Reply