ବିଧାୟିକା ଭାବେ ଗୃହରେ ଶପଥ ନେବେ ରୀତା

ବିଧାନସଭାରେ ବିଧାୟିକାଙ୍କ ସଂଖ୍ୟା ୧୫

ଭୁବନେଶ୍ୱର : ନିକଟରେ ଅନୁଷ୍ଠିତ ବିଜେପୁର ଉପନିର୍ବାଚନରେ ବିଜୟ ଲାଭ କରିଥିବା ବିଜୁ ଜନତା ଦଳ ପ୍ରାର୍ଥୀ ରୀତା ସାହୁ ବୁଧବାର ବିଧାୟିକା ଭାବେ ଗୃହରେ ଶପଥ ନେବାର କାର୍ଯ୍ୟକ୍ରମ ରହିଛି। ରୀତା ବିଧାୟକ ଭାବେ ନିର୍ବାଚିତ ହେବା ପରେ ବିଜେଡ଼ି ବିଧାୟିକାଙ୍କ ସଂଖ୍ୟା ୧୪ରେ ପହଞ୍ଚିଥିବା ବେଳେ ଏଥର ବିଧାନସଭାରେ ସମୁଦାୟ ମହିଳା ସଭ୍ୟଙ୍କ ସଂଖ୍ୟା ୧୫ରେ ପହଞ୍ଚିଛି। ବିରୋଧୀ ଦଳର ସଭ୍ୟ ଭାବେ ବି​ଜେ‌ପିରୁ କେବଳ କୁସୁମ ଟେଟେ ସୁନ୍ଦରଗଡ଼ ବିଧାନସଭା ଆସନରୁ ପ୍ରତିନିଧିତ୍ବ କରୁଛନ୍ତି। ତେବେ ବିଜେଡ଼ିରୁ ନିର୍ବାଚିତ ୧୪ଜଣ ମହିଳା ପ୍ରାର୍ଥୀଙ୍କ ମଧ୍ୟରେ ନବୀନଙ୍କ ପଞ୍ଚମ ପାଳିର ସରକାରରେ ଜଣକୁ କ୍ୟାବିନେଟ ଓ ଅନ୍ୟ ଜଣକୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିଛି। ଟିଟିଲାଗଡ଼ରୁ ନିର୍ବାଚିନ ଟୁକୁନି ସାହୁ କ୍ୟାବିନେଟ ମନ୍ତ୍ରୀ ଓ କୋଟପାଡ଼ରୁ ନିର୍ବାଚିତ ପଦ୍ମିନୀ ଦିଆନ ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଉଛନ୍ତି। ୨୦୧୪ରେ ପଞ୍ଚଦଶ ବିଧାନସଭାକୁ ୧୦ଜଣ ବିଜେଡ଼ିରୁ ଓ ଜଣେ ବିଜେପିରୁ ଏଭଳି ୧୧ଜଣ ମହିଳା ନିର୍ବାଚିତ ହୋଇଥିଲେ। ପରେ ବିଜେପୁର ଉପନିର୍ବାଚନରେ ରୀତା ବିଜୟୀ ହେବା ପରେ ମହିଳା ସଭ୍ୟଙ୍କ ସଂଖ୍ୟା ୧୨ରେ ପହଞ୍ଚିଥିଲା। ସେମାନଙ୍କ ଭିତରୁ ବିଜେଡ଼ିର ୧୧ଜଣ ଓ ବିଜେପିର ଜଣେ ସଭ୍ୟ ଥିଲେ। ବି​‌ଜେଡ଼ିର ୧୧ଜଣଙ୍କ ମଧ୍ୟରୁ ଉଷା ଦେବୀ ଏବଂ ସ୍ନେହାଙ୍ଗିନୀ ଛୁରିଆଙ୍କୁ ମନ୍ତ୍ରିପଦ ମିଳିଥିଲା।

Comments are closed.