ସକରାତ୍ମକ ମନୋଭାବ ନେଇ ସର୍ବଦା ପଡ଼ିଆକୁ ଓହ୍ଲାଏ: ପନ୍ତ୍‌

ପୋର୍ଟ ଅଫ୍ ସ୍ପେନ୍ : ଭାରତୀୟ ଦଳ ୱେଷ୍ଟଇଣ୍ଡିଜ ଗସ୍ତରେ ଯାଇ କ୍ରିକେଟ୍ ସିରିଜ୍‌ ଖେଳୁଥିବା ବେଳେ ଏହି ସିରିଜ୍‌ରେ ଭାରତୀୟ ଦଳର ୱିକେଟରକ୍ଷକ ଭାବେ ଦାୟିତ୍ବ ନିର୍ବାହ କରୁଛନ୍ତି ଋଷଭ ପନ୍ତ୍‌। ଧୋନି ଏହି ସିରିଜ୍‌ରୁ ଓହରି ଯାଇଥିବାରୁ ପନ୍ତ୍‌ଙ୍କ ଉପରେ ଟ୍ବେଣ୍ଟି୨୦, ଦିନିକିଆ ଓ ଟେଷ୍ଟରେ ୱିକେଟରକ୍ଷଣ ଭାର ରହିଛି। ତେବେ ପନ୍ତ୍‌ ଅଧିକାଂଶ ମ୍ୟାଚ୍‌ରେ ପରିସ୍ଥିତିକୁ ଅଣଦେଖା କରି ବେପରୁଆ ସଟ୍‌ ଖେଳି ଆଉଟ୍‌ ହେବାକୁ ଅନେକ କ୍ରିକେଟ୍‌ ପଣ୍ଡିତ ନାପସନ୍ଦ କରିଛନ୍ତି।
ନିଜ ପ୍ରତିକ୍ରିୟାରେ ପନ୍ତ୍‌ କହିଛନ୍ତି ସକରାତ୍ମକ ମନୋଭାବ ନେଇ ସେ ସର୍ବଦା ଖେଳିବାକୁ ପଡ଼ିଆକୁ ଓହ୍ଲାଇଥାନ୍ତି। ନିଜ ପ୍ରଦର୍ଶନ ବଳରେ ଭାରତକୁ ଅଧିକରୁ ଅଧିକ ମ୍ୟାଚ୍‌ରେ ବିଜୟୀ କରାଇବା ତାଙ୍କର ମୂଳ ଲକ୍ଷ୍ୟ। ପ୍ରତ୍ୟେକ ମ୍ୟାଚ୍‌ ତାଙ୍କ ପାଇଁ ବେଶ୍‌ ଗୁରୁତ୍ବପୂର୍ଣ୍ଣ ଏବଂ ଦିନକୁ ଦିନ ଜଣେ ଭଲ କ୍ରିକେଟର୍‌ ଭାବେ ନିଜକୁ ଗଢ଼ି ତୋଳିବାକୁ ପ୍ରୟାସ ଜାରି ରଖିଥିବା ପନ୍ତ୍‌ ସ୍ପଷ୍ଟ କରି ଦେଇଛନ୍ତି। ୱେଷ୍ଟଇଣ୍ଡିଜ ମାଟିରେ ଘରୋଇ ଦଳକୁ ୩ଟି ଯାକ ଫର୍ମାଟ୍‌ରେ ହରାଇବା ଭାରତୀୟ ଦଳର ଲକ୍ଷ୍ୟ ବୋଲି ପନ୍ତ୍‌ କହିବା ସହ ଭାରତୀୟ ଦଳ ବେଶ୍‌ ମଜଭୁତ୍‌ ଥିବାରୁ ଏହି ଲକ୍ଷ୍ୟ ହାସଲ କରିବ ବୋଲି ଆଶାବ୍ୟକ୍ତ କରିଛନ୍ତି। ବିଶ୍ବକପ୍‌ ସମୟରୁ ପନ୍ତ୍ ଭାରତୀୟ ବ୍ୟାଟିଂ ଲାଇନ୍‌ର ୪ନଂରେ ବ୍ୟାଟିଂ କରି ଆସୁଛନ୍ତି। ତେବେ ସେ ସେଭଳି ଆଖିଦୃଶିଆ ପ୍ରଦର୍ଶନ କରିନଥିବା ବେଳେ ଶ୍ରେୟାସ୍‌ ଆୟରଙ୍କୁ ଦିନିକିଆରେ ୪ନଂ ସ୍ଥାନରେ ବ୍ୟାଟିଂ କରିବାର ସୁଯୋଗ ମିଳିବା ଉଚିତ୍‌ ବୋଲି ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର କିଛିଦିନ ତଳେ ମତ ଦେଇଥିଲେ। ଏ ସଂପର୍କରେ ନିଜ ପ୍ରତିକ୍ରିୟାରେ ପନ୍ତ୍‌ କହିଥିଲେ ତାଙ୍କୁ ଯେଉଁ ସୁଯୋଗ ମିଳୁଛି ତାହାର ସଦୁପଯୋଗ କରିବାକୁ ପ୍ରୟାସ କରୁଛନ୍ତି। ଅନ୍ୟପକ୍ଷରେ ଦଳୀୟ ମ୍ୟାନେଜମେଣ୍ଟ ଯଦି ତାଙ୍କ ବ୍ୟାଟିଂ ସ୍ଥାନ ପରିବର୍ତ୍ତନ କରିବାକୁ ଚାହାନ୍ତି ତେବେ ତାଙ୍କର କୌଣସି ଆପତ୍ତି ନାହିଁ। ୱେଷ୍ଟଇଣ୍ଡିଜର ପିଚ୍‌ ସଂପର୍କରେ ମତ ଦେଇ ପନ୍ତ୍ କହିଥିଲେ ଏଠାରେ ୱିକେଟ୍‌ ଧିମା ରହୁଛି। ଏହାକୁ ଦୃଷ୍ଟିରେ ରଖି ପିଚ୍‌ରେ ଯେଉଁ ବ୍ୟାଟସମ୍ୟାନ୍‌ ଅଧିକ ସମୟ ତିଷ୍ଠି ରହିବେ ସେ ଅଧିକ ରନ୍ ସଂଗ୍ରହ କରିବା ଆଶା ଅଧିକ ହେବ।

Comments are closed.