ପନ୍ତ୍‌ଙ୍କୁ ନିଜ ବ୍ୟାଟିଂ ଉପରେ ନିୟନ୍ତ୍ରଣ ରଖିବାକୁ ପଡ଼ିବ : କ୍ଲୁଜନର୍‌

0

ଧର୍ମଶାଳା : ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସଫଳତା ହାସଲ କରିବାକୁ ହେଲେ ଯୁବ ଭାରତୀୟ ୱିକେଟରକ୍ଷକ ଋଷଭ ପନ୍ତ୍‌ଙ୍କୁ ନିଜ ବ୍ୟାଟିଂ ଉପରେ ନିୟନ୍ତ୍ରଣ ରଖିବାକୁ ପଡ଼ିବ ବୋଲି ମତ ଦେଇଛନ୍ତି ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ଦଳର ବ୍ୟାଟିଂ ପ୍ରଶିକ୍ଷକ ଭାବେ ନିଯୁକ୍ତି ପାଇଥିବା ପୂର୍ବତନ ଅଲରାଉଣ୍ଡର୍‌ ଲାନ୍‌ସ କ୍ଲୁଜନର୍‌।
ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଓ ଘରୋଇ ଭାରତୀୟ କ୍ରିକେଟ୍‌ ଦଳ ମଧ୍ୟରେ ଖେଳାଯିବାକୁ ଥିବା ଟ୍ବେଣ୍ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଧର୍ମଶାଳାରେ ଆୟୋଜିତ ହେବ। ଦକ୍ଷିଣ ଆଫ୍ରିକା ଦଳ ସହ ଧର୍ମଶାଳାରେ ଥିବା କ୍ଲୁଜନର୍‌ ସାମ୍ବାଦିକଙ୍କ ସହ ଆଲୋଚନା କାଳରେ କହିଛନ୍ତି ପନ୍ତ୍‌ ବେଶ୍‌ ପ୍ରତିଭାବାନ୍‌ ବ୍ୟାଟସମ୍ୟାନ୍‌ ଏଥିରେ କୌଣସି ସନ୍ଦେହ ନାହିଁ। ତେବେ ସେ ବହୁବାର ଖରାପ ସଟ୍‌ ଖେଳି ଆଉଟ୍‌ ହେବାର ନଜିର ରହିଛି। ତେଣୁ ଅନ୍ତର୍ଜାତୀୟ ସ୍ତରରେ ବ୍ୟାଟସମ୍ୟାନ୍‌ ଭାବେ ସଫଳତା ହାସଲ କରିବାକୁ ହେଲେ ତାଙ୍କୁ ନିଜ ଉପରେ ନିୟନ୍ତ୍ରଣ ରଖିବାକୁ ପଡ଼ିବ। କେଉଁ ବଲ୍‌ରେ ସଟ୍‌ ଖେଳିବାକୁ ପଡ଼ିବ ସେ ସଂପର୍କରେ ବୁଦ୍ଧିମତାର ସହ ନିଷ୍ପତ୍ତି ନେବାକୁ ପଡ଼ିବ। ଅନ୍ୟମାନେ ଯେଉଁ ଭୁଲ୍‌ କରୁଛନ୍ତି ସେଥିରୁ ମଧ୍ୟ ପନ୍ତ୍‌ ଶିକ୍ଷାଲାଭ କରିପାରିବେ। ସବୁବେଳେ ବଡ଼ ସଟ୍‌ ଖେଳିବାକୁ ପ୍ରୟାସ କଲେ ପନ୍ତ୍‌ ଅସୁବିଧାରେ ପଡ଼ିବେ। ପିଚ୍‌ରେ ପନ୍ତ୍‌ ଯେତେ ଅଧିକ ସମୟ ଅତିବାହିତ କରିବେ ସେ ସେତେ ଅଧିକ ରନ୍ ସଂଗ୍ରହ କରିପାରିବେ। ଏହାକୁ ପନ୍ତ୍‌ ବୁଝିବା ନିହାତି ଆବଶ୍ୟକ ବୋଲି କ୍ଲୁଜନର ସ୍ପଷ୍ଟ କରି ଦେଇଛନ୍ତି।
ଦକ୍ଷିଣ ଆଫ୍ରିକା ତରଫରୁ ୪୯ଟି ଟେଷ୍ଟ ଓ ୧୭୧ଟି ଦିନିକିଆ ମ୍ୟାଚ୍‌ ଖେଳିଥିବା କ୍ଲୁଜନର କହିଛନ୍ତି ପ୍ରତ୍ୟେକ କ୍ରିକେଟର୍‌ ନିଜ ଭୁଲ୍‌ରୁ ଶିକ୍ଷାଲାଭ କରିବା ଉଚିତ୍‌। ଏଥିସହ ଅନ୍ୟ କ୍ରିକେଟର୍‌ଙ୍କ ଭୁଲ୍‌ରୁ ମଧ୍ୟ ଶିକ୍ଷାଲାଭ କରାଯାଇ ପାରିବ। ଜଣେ ବ୍ୟାଟସମ୍ୟାନ୍‌ ଯେଉଁ ଭୁଲ୍‌ କରି ଆଉଟ୍‌ ହେବେ ସେହି ଭୁଲ୍‌ ଯେପରି ନିଜେ ନ ଦୋହରାନ୍ତି ତାହା ଅନ୍ୟ ବ୍ୟାଟସମ୍ୟାନ୍‌ ବୁଝିବା ଆବଶ୍ୟକ। ଭାରତୀୟ କ୍ରିକେଟ୍‌ ଦଳରେ ଅନେକ ବରିଷ୍ଠ ଓ ଖ୍ୟାତନାମା କ୍ରିକେଟର୍‌ ରହିଥିବାରୁ ପନ୍ତ୍‌ ସେମାନଙ୍କ ଠାରୁ ଆବଶ୍ୟକ ପରାମର୍ଶ ଗ୍ରହଣ କରିବା ନିହାତି ଆବଶ୍ୟକ ବୋଲି ମତ ଦେଇଛନ୍ତି କ୍ଲୁଜନର୍‌। ବିଶେଷ କରି ଧୋନିଙ୍କ ପରି ମହାନ୍‌ ୱିକେଟରକ୍ଷକଙ୍କ ବିକଳ୍ପ ଭାବେ ପନ୍ତ୍‌ଙ୍କୁ ଗଣାଯାଉଥିବାରୁ ନିଜ ପ୍ରଦର୍ଶନରେ ପନ୍ତ୍‌ଙ୍କୁ ଉନ୍ନତି ଆଣିବାକୁ ପଡ଼ିବ। ବିସ୍ଫୋରକ ବ୍ୟାଟିଂ ବଳରେ ପନ୍ତ୍‌ ଭାରତୀୟ ଦଳକୁ ମ୍ୟାଚ୍‌ ଜିତାଇବାରେ ବେଶ୍‌ ସକ୍ଷମ। ତେବେ କେଉଁ ବଲ୍‌ରେ ସଟ୍‌ ମାରିବେ (ସଟ୍‌ ମନୋନୟନ) ତାଙ୍କୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ ବୋଲି କ୍ଲୁଜନର୍‌ ସ୍ପଷ୍ଟ କରି ଦେଇଛନ୍ତି।
ବର୍ତ୍ତମାନ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସେପରି ନାମଜାଦା ଅଲରାଉଣ୍ଡର ଦେଖିବାକୁ ମିଳୁନଥିବା ସଂପର୍କରେ ମତ ଦେଇ କ୍ଲୁଜନର କହିଥିଲେ ବର୍ତ୍ତମାନ ସମୟରେ ଟେଷ୍ଟ କ୍ରିକେଟ୍‌ ଅପେକ୍ଷା ଟ୍ବେଣ୍ଟି୨୦ କ୍ରିକେଟ୍‌କୁ ଅଧିକ ପ୍ରାଧାନ୍ୟ ଦିଆଯାଉଛି। ଫଳରେ ଅଲରାଉଣ୍ଡରଙ୍କୁ ନିଜ ପ୍ରତିଭା ପ୍ରଦର୍ଶନ ପାଇଁ ବିଶେଷ ସୁଯୋଗ ମିଳିପାରୁ ନାହିଁ।
ଭାରତ ବିପକ୍ଷ ଟ୍ବେଣ୍ଟି୨୦ ସିରିଜ୍‌ ଦକ୍ଷିଣ ଆଫ୍ରିକା ଦଳ ପାଇଁ ଅଗ୍ନିପରୀକ୍ଷା ବୋଲି କ୍ଲୁଜନର କହିଛନ୍ତି। ଭାରତୀୟ ଟ୍ବେଣ୍ଟି୨୦ ଦଳରେ ଅନେକ ତାରକା ଖେଳାଳି ରହିଥିବା ବେଳେ ସେମାନଙ୍କ ବିପକ୍ଷରେ ଦକ୍ଷିଣ ଆଫ୍ରିକା କ୍ରିକେଟର୍‌ କିପରି ପ୍ରଦର୍ଶନ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଥିବା ସେ ମତ ଦେଇଛନ୍ତି। ଭାରତ ବିପକ୍ଷ ଟ୍ବେଣ୍ଟି୨୦ ସିରିଜ୍‌ ଶେ​‌ଷ ହେବା ପରେ କ୍ଲୁଜନର ସ୍ବଦେଶ ଫେରିବାର ଅଛି। ତେ​‌େ​‌ବ ଆସନ୍ତା ନଭେମ୍ବରରେ ଖେଳାଯିବାକୁ ଥିବା ସୟଦ ମୁସ୍ତାକ ଅଲ୍ଲି କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ପାଇଁ କ୍ଲୁଜନର ଦିଲ୍ଲୀ ଦଳର ବ୍ୟାଟିଂ ପରାମର୍ଶଦାତା ଭାବେ କାର୍ଯ୍ୟ କରିବାର ସମ୍ଭାବନା ରହିଛି। ଏ ସଂପର୍କରେ ମତ ଦେଇ କ୍ଲୁଜନର କହିଥିଲେ ଦିଲ୍ଲୀ ଦଳର ବ୍ୟାଟିଂ ପ୍ରଶିକ୍ଷକ ଭାବେ ଦାୟିତ୍ବ ନିର୍ବାହ କରିବେ କି ନାହିଁ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସେ ସ୍ଥିର କରି ନାହାନ୍ତି। ବାଂଲାଦେଶ ପ୍ରିମିୟର ଲିଗ୍‌ର ଗୋଟିଏ ଦଳ ତରଫରୁ ତାଙ୍କୁ ପ୍ରଶିକ୍ଷକ ଭାବେ ନିଯୁକ୍ତ କରିବାକୁ ଆଲୋଚନା ଚାଲିଛି। ତେଣୁ ଆଗାମୀ ଦିନରେ ସଂପୂର୍ଣ୍ଣ ଚିତ୍ର ସ୍ପଷ୍ଟ ହୋଇଯିବ ବୋଲି କ୍ଲୁଜନର୍‌ ସୂଚନା ଦେଇଛନ୍ତି।

Leave A Reply