ଫିଙ୍ଗିଦେଲେ ୨୭୦୦ କ୍ୱିଣ୍ଟାଲ ଚାଉଳ

0
-୧.୨୫ କୋଟି ଟଙ୍କା କ୍ଷତି: ମିଲ ମାଲିକ, -ଖାଦ୍ୟ ନିଗମ ଅସୁଲ କରିବ: ସିଏସଓ, -ତଦନ୍ତ ଦାବି କଲା କୃଷକ ସଙ୍ଗଠନ

ସମ୍ବଲପୁର : ଖୋଲା ପଡ଼ିଆରେ ଟ୍ରାକ୍ଟରରେ ଅଣାଯାଇ ଫିଙ୍ଗାଯାଇଛି ଶହ ଶହ କ୍ବିଣ୍ଟାଲ ଚାଉଳ। ଯାହା ଗରିବଙ୍କ ପେଟକୁ ଯାଇଥାନ୍ତ, ତାହା ଏବେ ଅପରିତ୍ୟକ୍ତ ସ୍ଥାନରେ ଖାଲ ଖମା ଭରିବାରେ ଲାଗିଛି। ଦୁଇଦିନ ହେଲା ଏଠାରେ ଏକ ଗୋଦାମରୁ ଏଭଳି ଟ୍ରାକ୍ଟର ଟ୍ରାକ୍ଟର ସରକାରୀ ଚାଉଳ ଅଣାଯାଇ ଫିଙ୍ଗାଯାଇଛି। ସମ୍ବଲପୁର – ହୀରାକୁଦ ରାସ୍ତା କଡ଼ରେ ଶହ ଶହ କ୍ୱିଣ୍ଟାଲ କଷ୍ଟମ ଚାଉଳ ଫିଙ୍ଗା ଯାଇଛି। ଗରିବ ଦି ଓଳି ମୁଠାଏ ଖାଇବାକୁ ନ ପାଇ ଭୋକ ଉପାସରେ ରହୁଥିବା ବେଳେ କୋଟିଏରୁ ଅଧିକ ଟଙ୍କାର ସରକାରୀ ଚାଉଳ ଫିଙ୍ଗି ଦିଆଯିବାର ଦୃଶ୍ୟ ଅନେକଙ୍କୁ ବ୍ୟଥିତ କରିଛି। ଖାଦ୍ୟ ନିଗମକୁ ଠିକ ସମୟରେ ଏହି ଚାଉଳ ହସ୍ତାନ୍ତର ନ କରି ମିଲରେ ଗଚ୍ଛିତ ରଖା ଯାଇଥିବାରୁ ତାହା ନଷ୍ଟ ହୋଇଥିବା ଜଣାପଡ଼ିଛି। ସଂପୃକ୍ତ ମିଲ ମାଲିକ ପ୍ରାୟ ୧ କୋଟି ୨୫ ଲକ୍ଷ ଟଙ୍କା କ୍ଷତି ଦର୍ଶାଉଥିବାରୁ ବୀମା ଅର୍ଥ ହାତେଇବା ଏହା ପଛର ମୁଖ୍ୟ କାରଣ ହୋଇ ଥାଇ ପାରେ ବୋଲି କେତେକ ମହଲରେ ସନ୍ଦେହ ପ୍ରକାଶ ପାଇଛି। ସ୍ଥାନୀୟ କୃଷକ ସଙ୍ଗଠନ ଘଟଣାର ତଦନ୍ତ ଦାବି କରିଛି। ଗତ ୨୧ ତାରିଖ ରାତିରେ ପ୍ରବଳ ବର୍ଷା ହେବାରୁ
ଲରପଙ୍କ, ରେମେଡ ଅଞ୍ଚଳ ବୁଡ଼ି ଯାଇଥିଲା। ଲରପଙ୍କ-ଭଙ୍ଗାମୁଣ୍ଡା ଠାରେ ଥିବା ବୈଷ୍ଣୋଦେବୀ ରାଇସ ମିଲରେ ବର୍ଷା ପାଣି ପଶିଥିଲା। ମିଲ ମାଲିକ ରାଜେଶ ଅଗ୍ରୱାଲଙ୍କ କହିବା ଅନୁସାରେ ମିଲକୁ ହଠାତ ସୁନାମୀ ଭଳି ପାଣି ପଶି ଆସିିଥିଲା। ମିଲ ୮ ଫୁଟ ପାଣିରେ ବୁଡ଼ି ଯାଇଥିଲା। ବନ୍ୟାରେ ୨୭୦୦ କ୍ୱିଣ୍ଟାଲ କଷ୍ଟମ ଚାଉଳ ନଷ୍ଟ ହୋଇଥିବା ମିଲମାଲିକ କହିଛନ୍ତି। ସମୁଦାୟ ୧ କୋଟି ୨୫ ଲକ୍ଷ ଟଙ୍କା କ୍ଷତି ହୋଇଥିବା ସେ ଦର୍ଶାଇଛନ୍ତି। ବନ୍ୟା ପରେ ଯୋଗାଣ ବିଭାଗକୁ ଏ ସଂପର୍କରେ ଅବଗତ କରା ଯାଇଥିଲା ଓ ଖାଦ୍ୟ ସୁରକ୍ଷା ଅଧିକାରୀ ଏହି ଚାଉଳ ଖାଦ୍ୟ ପାଇଁ ଅନୁପଯୋଗୀ ବୋଲି କହିବା ପରେ ଏହାକୁ ଫିଙ୍ଗା ଯାଇଛି ବୋଲି ସେ ସ୍ପଷ୍ଟ କରିଛନ୍ତି। ଦୁଇ ଦିନ ହେଲା ଚାଉଳ ଫିଙ୍ଗା ଚାଲିଛି; ସରିନାହିଁ। ଏହା ଆହୁରି କିଛି ଦିନ ଚାଲିବ ବୋଲି ଜଣାପଡ଼ିଛି। ମିଲ ମାଲିକ ଆହୁରି କହିଛନ୍ତି ଯେ ବୀମା କମ୍ପାନୀ ଅଧିକାରୀଙ୍କ ଏହି ଚାଉଳ ଫିଙ୍ଗା ଯାଉଛି। କିଛି ବେଆଇନ କାମ କରାଯାଉ ନାହିଁ ବୋଲି ଶ୍ରୀ ଅଗ୍ରୱାଲ କହିଛନ୍ତି। ତେବେ କଷ୍ଟମ ମିଲିଂ ଧାନକୁ ଚାଉଳ କଲା ପରେ ୨୭୦୦ କ୍ୱିଣ୍ଟାଲ ମିଲରେ କାହିଁକି ପକେଇ ରଖା ଯାଇଥିଲା ବୋଲି ପ୍ରଶ୍ନ ଉଠୁଛି। ଠିକ ସମୟରେ ଏହି ଚାଉଳକୁ ଖାଦ୍ୟ ନିଗମକୁ ଦେଇଥିଲେ ବନ୍ୟାରେ ନଷ୍ଟ ହୋଇ ନଥାନ୍ତା ବୋଲି କୁହାଯାଉଛି। ଏ ସଂପର୍କରେ ଜିଲା ଯୋଗାଣ ଅଧିକାରୀ ପିତାମ୍ବର ଆଚାର୍ଯ୍ୟ କହିଛନ୍ତି ଯେ, ଖାଦ୍ୟ ନିଗମର ବଡ଼ ଗୋଦାମ ନ ଥିବାରୁ ହଠାତ ଚାଉଳ ଉଠାଇବା ସମ୍ଭବ ହେଉନାହିଁ। ତେବେ ଏହି ମିଲ ମାଲିକଙ୍କ ଯାହା କ୍ଷତି ହୋଇଛି ନିଗମ ସମ୍ପୃକ୍ତ ମିଲରଙ୍କଠାରୁ ଭରଣା କରିବ। ଏଥିରେ ନିଗମର କୌଣସି କ୍ଷତି ହେବ ନାହିଁ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି। ତେବେ ଏତେ ବ୍ୟାପକ ପରିମାଣରେ ଚାଉଳ ନଷ୍ଟ ହେବା ନେଇ ବିଭିନ୍ନ ମହଲରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି। ଗରିବ ଲୋକ ଖାଇବାକୁ ନ ପାଇ ଭୋକ ଉପାସରେ ରହୁଥିବା ବେଳେ ୨୭୦୦ କ୍ୱିଣ୍ଟାଲ ଫିଙ୍ଗାଯିବା ଘଟଣାକୁ ସହଜରେ ଗ୍ରହଣ କରା ଯାଇ ପାରୁନାହିଁ। ଏ ସଂପର୍କରେ ଚାଷୀ ନେତା ଚନ୍ଦ୍ରଶେଖର ପଣ୍ଡା ଏକ ପ୍ରତିକ୍ରିୟାରେ କହିଛନ୍ତି ଯେ, ପ୍ରାକୃତିକ ଦୁର୍ବିପାକ ଭିନ୍ନ କଥା। କିନ୍ତୁ ଏତେ ପରିମାଣରେ ଚାଉଳ ନଷ୍ଟ ହେବା ପର୍ଯ୍ୟନ୍ତ ମିଲ୍‍ ମାଲିକ କ’ଣ କରୁଥିଲେ ? ବୀମା ଅର୍ଥ ହାତେଇବା ଏହା ପଛର ଉଦ୍ଦେଶ୍ୟ ବୋଲି ସନ୍ଦେହ ହେଉଛି। ତେଣୁ ଏହି ମାମଲାର ନିରପେକ୍ଷ ତଦନ୍ତ ହେଉ ବୋଲି ଶ୍ରୀ ପଣ୍ଡା ଦାବି କରିଛନ୍ତି।
ଏଠି ପ୍ରଶ୍ନ ଉଠିଛି ଯେ, କାହା ଦାୟିତ୍ବହୀନତାରୁ ଏଭଳି କ୍ଷତି ଘଟିଲା ? ଏଥିପାଇଁ ଦାୟୀ କିଏ, ମିଲ୍‌ରେ ଅସୁରକ୍ଷିତ ଭାବେ ଏତେ ପରିମାଣର ଚାଉଳ ରଖାଯାଇଥିଲା କାହିଁକି ? ଯୋଗାଣ ବିଭାଗର ଏନେଇ ଭୂମିକା କ’ଣ ? ଏ ଭିତରେ ଆଉ କିଛି ଫନ୍ଦି ନାହିଁ ତ ? ଚାଷୀଟିଏ ତା’ର ଶ୍ରମ ଓ ସ୍ବେଦ ଦେଇ ଫସଲ ଉତ୍ପାଦନ କରୁଥିବାବେଳେ ଏହାକୁ ବିକ୍ରି କରିବା ଲାଗି ମଧ୍ୟ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ମାତ୍ର ଉତ୍ପାଦିତ ଶସ୍ୟକୁ ମିଲ୍‌ ମାଲିକ ଓ ବିଭାଗୀୟ ଅଧିକାରୀମାନଙ୍କ ଦାୟିତ୍ବହୀନତା ଯୋଗୁଁ ନଷ୍ଟ ହୋଇଯାଇଛି। ଏବେ କଥା ଉଠୁଛି ଚାଉଳ ନଷ୍ଟର ତଦନ୍ତ ହେବ ନା ମିଲ୍‌ ମାଲିକଙ୍କ କଥାରେ ଚୁପ୍‌ ବସିଯିବେ ଯୋଗାଣ ବିଭାଗ।

Leave A Reply