ପ୍ରମୁଖ ସଚିବଙ୍କ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ

ଖୋର୍ଦ୍ଧା: ରାଜସ୍ୱ ଓ ପ୍ରାକୃତି ବିପର୍ୟ୍ୟୟ ବିଭାଗର ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ ବୁଧବାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗସ୍ତରେ ଯାଇଥିଲେ। ଚିକିତ୍ସାଳୟର ବିଭିନ୍ନ ୱାର୍ଡ ପରିଦର୍ଶନ କରିବା ସହ ବ୍ୟକ୍ତିଗତ ଭାବେ ସେ ଅନ୍ତଃବିଭାଗରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ଭେଟି ସେମାନଙ୍କୁ ଦିଆଯାଉଥିବା ଚିକିତ୍ସା ଓ ଆବଶ୍ୟକ ଔଷଧ ଚିକିତ୍ସାଳୟରୁ ମିଳୁଛି କି ନାହିଁ , ସେ ସମ୍ପର୍କରେ ପଚାରି ବୁଝିଥିଲେ । ରକ୍ତ ପରୀକ୍ଷା ଓ ଅଲଟ୍ରାସାଉଣ୍ଡ ଆଦିରେ ବ୍ୟାପକ ଅବ୍ୟବସ୍ଥା ହେଉଥିବା କଥା କେତେକ ରୋଗୀ ଅଭିଯୋଗ କରିଥିଲେ ।

ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ବିଜୟ କୁମାର ମହାପାତ୍ର କହିଥିଲେ ଯେ ରକ୍ତ ପରୀକ୍ଷା ପାଇଁ ଆବଶ୍ୟକ ଅଟୋଆନାଲାଇଜର ମେସିନଟିରେ ତ୍ରୁଟି ଦେଖାଦେଇଥିବାରୁ ରକ୍ତ ପରୀକ୍ଷାରେ ବିଳମ୍ବ ହେଉଛି । ସେହିପରି ଅଲଟ୍ରା ସାଉଣ୍ଡ ମେସିନ ଚଳାଇବା ଲାଗି କୌଣସି ତାଲିମପ୍ରାପ୍ତ ଡାକ୍ତର ନାହାନ୍ତି । ଖୁବ୍ ଶିଘ୍ର ଅଲଟ୍ରା ସାଉଣ୍ଡ ମେସିନ ଚଳାଇବା ପାଇଁ ୨ଜଣ ଡାକ୍ତରଙ୍କୁ ତାଲିମ ପାଇଁ ପଠା ଯିବ ବୋଲି ମୁଖ୍ୟ ଚିକିତ୍ସା ଅଧିକାରୀ ସଚିବଙ୍କୁ ସୂଚନା ଦେଇଥିଲେ । ସେହିପରି ଦୀର୍ଘ ବର୍ଷ ହେବ ନିର୍ମାଣ ହୋଇ ମଧ୍ୟ କାର୍ୟ୍ୟରେ ଆସୁନଥିବା ଟ୍ରମାକେୟାର ସେଣ୍ଟରଟି ଅଚଳ ହୋଇପଡିଥିବା କଥା ଗଣମାଧ୍ୟମର ପ୍ରତିନିଧିମାନେ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହା ଏକ ଲେବୁଲ-୨ର ଟ୍ରମାକେୟାର ସେଣ୍ଟର ।

ଏଠାକୁ ଖୁବ୍ ଶିଘ୍ର ଆବଶ୍ୟକ ସଂଖ୍ୟକ ଯନ୍ତ୍ରପାତି ଯୋଗାଇ ଦିଆଯିବ ବୋଲି ଶ୍ରୀ ଧଳ ପ୍ରତିଶୃତି ଦେଇଛନ୍ତି । ଏହା ସହିତ ମୁଖ୍ୟ ଚିକିତ୍ସାଳୟରେ ରୋଗୀ ଚିକିତ୍ସା ପାଇ ଆବଶ୍ୟକ ହେଉଥିବା ଯନ୍ତ୍ରାପାତିକୁ ଖୁବ୍ ଶିଘ୍ର ଯୋଗାଇ ଦେବା ପାଇଁ ସେ ସରକାରଙ୍କୁ ସୁପାରିଶ କରିବେ ବୋଲି ସଚିବ ପ୍ରତିଶୃତି ଦେଇଛନ୍ତି । ଅନ୍ୟପଟେ ଚିକିତ୍ସାଳୟରେ ମିଳୁଥିବା ଉନ୍ନତମାନର ସ୍ୱାସ୍ଥ୍ୟ ସେବା ଏବଂ ସରକାରଙ୍କ ପକ୍ଷରୁ ନିରାମୟ ଯୋଜନା ମାଧ୍ୟମରେ ଯୋଗାଇ ଦିଆଯାଉଥିବା ସମସ୍ତ ପ୍ରକାର ଔଷଧ ଏଠାରେ ମିଳିଥିବାରୁ ସଚିବ ସନ୍ତୋଷବ୍ୟକ୍ତ କରିଥିଲେ । ଏହାପରେ ସଚିବ ଶ୍ରୀ ଧଳ ସହର ନିକଟବର୍ତୀ ଟାଙ୍ଗିଆପଡା ଗ୍ରାମ ପଞ୍ଚାୟତକୁ ଗସ୍ତରେ ଯାଇ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ୟ୍ୟର ସମୀକ୍ଷା କରିଥିଲେ । ପରେ ସେ ଟାଙ୍ଗିଆପଡା ଠାରେ ଥିବା ଅଙ୍ଗନବାଡି କେନ୍ଦ୍ର-୧ର ପରିଦର୍ଶନରେ ଯାଇଥିଲେ । ଏଠାରେ ପିଲାମାନଙ୍କୁ ନିଜ ନାମ ଲେଖିବାକୁ କହିବା ସହିତ ସେମାନଙ୍କୁ ସଂଖ୍ୟା ସମ୍ପର୍କରେ ପଚାରିଥିଲେ । ପିଲାମାନଙ୍କୁ ପାଇଖାନା ବ୍ୟବହାର ଉପରେ ସଚେତନ କରିବାକୁ ଅଙ୍ଗନବାଡି କର୍ମୀଙ୍କୁ ପରାମର୍ଶ ଦେଇଥିଲେ । ସଚିବଙ୍କ ଏହି ଗସ୍ତ ସମୟରେ ତାଙ୍କ ସହିତ ଜିଲ୍ଲାପାଳ ସିତାଶୁଂ ରାଉତ, ପ୍ରକଳ୍ପ ନିର୍ଦ୍ଦେଶକ ଦିଗନ୍ତ ରାଉତରାୟ, ବିଡିଓ ପ୍ରଶାନ୍ତ କୁମାର ନାୟକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅଶୋକ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.