ଯବାନ ପାଲଟିଲେ କିଷାନ : ୧୦୦ଟି ଗାଈ ପାଳି ୨୦ପରିବାରକୁ କାମ ଯୋଗାଇଛନ୍ତି

 

ନବରଙ୍ଗପୁର (ବାଙ୍କବିହାରୀ ବିଷୋୟୀ): ଅବସରପ୍ରାପ୍ତ ଜଣେ ଯବାନ ଏବେ ଚାଷୀ ଓ ଗୋପାଳକ ପାଲଟିଛନ୍ତି। ଜୟ ଯବାନ, ଜୟ କିଷାନ ଉକ୍ତିକୁ ଏହି ଯବାନ ସାକାର କରି ଦେଖାଇଛନ୍ତି। କେବଳ ସେତିକି ନୁହେଁ ଗୋପାଳନ କରି ସେ କୋଡ଼ିଏ ପରିବାରକୁ କର୍ମସଂସ୍ଥାନ ଯୋଗାଇପାରି ଆଜି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।

ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ସରୁଗୁଡାର ବିଜୟକୁମାର ପାଠକ। ଉତ୍ତର ପ୍ରଦେଶର ମୂଳବାସିନ୍ଦା ବିଜୟଙ୍କ ପିଲାଟି ଦିନରୁ ଗୋପାଳନ ଓ ଚାଷ କାର୍ଯ୍ୟ ପ୍ରତି ଥିଲା ଅହେତୁକ ଆଗ୍ରହ। ତେଣୁ ସେନାରେ ଚାକିରି କରିବା ସମୟରୁ ଜାଗା କିଣି ଗୋପାଳନ କରିବା ଆରମ୍ଭ କରିଥିଲେ। ଚାକିରିରୁ ଅବସର ନେବା ପରେ ଏବେ ପୁରା ସମୟ ଗୋପାଳନ ଓ ଚାଷ କାର୍ଯ୍ୟରେ ନିୟୋଜିତ କରିଛନ୍ତି। ସେ ନିଜ ପରିବାର ପ୍ରତିପୋଷଣ ସହ ପ୍ରାୟ ୨୦ଟି ପରିବାରକୁ ବର୍ଷତମାମ କାମଯୋଗାଇ ଦେଇ ଦାଦନ ଯିବାକୁ ରୋକିବାରେ ସକ୍ଷମ ହୋଇ ପାରିଛନ୍ତି ଏହି ଅବସରପ୍ରାପ୍ତ ଯବାନ। ତାଙ୍କର ପରିବାରେ ୫ଜଣ ରହୁଛନ୍ତି। ପତ୍ନୀ, ପୁଅ ବୋହୂ ଓ ନାତିକୁ ନେଇ ତାଙ୍କର ଛୋଟ ପରିବାର। ତେବେ ସୈାଭାଗ୍ୟ ବଶତଃ ସେ ସରୁଗୁଡାରେ ପଡିଆ ଜମି କିଣିବାରେ ସକ୍ଷମ ହୋଇପାରିଥିଲେ। ୨୦୦୫ ମସିହାରେ ସେ ସୁନାବେଡା ଏଚଏଲ ନିକଟସ୍ଥ ମିଲିଟାରୀ ଗୋଳାବାରୁଦ କାରଖାନାରେ ଚାକିରିକରୁଥିବାବେଳେ ସେଠାରେ ଚାକରି କରୁଥିବା ନବରଙ୍ଗପୁର ଅଞ୍ଚଳର ଜଣେ କର୍ମଚାରୀଙ୍କ ସହଯୋଗରେ ସୁରୁଗୁଡାରେ ୪୦ଏକର ଜମି କିଣିଥିଲେ। ଏହାରେ ସେ ତାଙ୍କର ପରିବାରକୁ ଏଠାକୁ ଆଣିଥିଲେ। ମାତ୍ର ୧୦ଟି ଗାଈକୁ ନେଇ ଗୋପାଳନ କେନ୍ଦ୍ର ଆରମ୍ଭ କରିଥିଲେ। ପ୍ରଥମେ ତାଙ୍କର ପତ୍ନୀ ଏହି ଗାଇ ପାଳନକୁ ନାପସନ୍ଦ କରିଥିଲେ ହେଁ ପରବର୍ତ୍ତୀ ସମୟରେ ସ୍ୱାମୀଙ୍କ ଗୋପାଳ ଯୋଜନାରେ ସେ ମୁଖ୍ୟ ସହଯୋଗୀ ହୋଇଥିଲେ। ସ୍ଥାନୀୟ ପରିବେଶ ତାଙ୍କୁ ଅଡୁଆ ଲାଗିଥିଲା। ପରେ ପରେ ସମସ୍ତଙ୍କ ସହିତ ମିଳାମିଶା କରିବା ପରେ ସ୍ଥାନୀୟ ଭାଷା ଓ ପରିବେଶରେ ସାମିଲ ହୋଇପାରିଥିଲେ। ୧୦ଟି ଗାଈ ବଂଶ ବୃଦ୍ଧି ପାଇ ଏବେ ତାହା ବଢି ୧୦୦ଟି ଗାଈରେ ପହଞ୍ଚିଥିବା ବିଜୟ ପ୍ରକାଶ କରିଛନ୍ତି। ଏହି ଗାଈ ମାନଙ୍କର ଖାଦ୍ୟ, ସେବା ଶୁଶ୍ରୁଷା କରିବା ପାଇଁ ୨୦ଜଣ ଶ୍ରମିକ ନିୟୋଜିତ ଅଛନ୍ତି। ଏଠାରେ ବର୍ଷତମାମ କାମ ମିଳିଯାଉଥିବାରୁ ଟଙ୍କା ପାଇଁ ଦାଦନ ଭାବରେ ରାଜ୍ୟ ବାହାରୁ ଯିବାକୁ ପଡୁନଥିବା ଶ୍ରମିକ ମାନେ କହିଛନ୍ତି। ଏହି ଗୋଶାଳାରୁ ଉତ୍ପାଦିତ ଶୁଦ୍ଧ କ୍ଷୀର, ପନିର, ଦହି ଇତ୍ୟାଦି ସୁଲଭ ମୂଲ୍ୟରେ ନବରଙ୍ଗପୁର ସହରକୁ ଆଣି ତାଙ୍କର ନିଜ ଦୋକାନରେ ବିକ୍ରି ଯାଉଥିବାରୁ ଗ୍ରାହକ ଙ୍କର ଭିଡ ଜମୁଥିବା ଦେଖିବାକୁ ମିଳଛି। ସେ କେବଳ ଗୋପାଳନ ହିଁ ସୀମିତ ନଥିବାବେଳେ ଦୁଇଟି ପୋଖରୀ ଖୋଳି ମାଛଚାଷ, ପଡିଆ ଢିପ ଜମିରେ ପରିବେଶ ସନ୍ତୁଳନ କରିବା ସହିତ ଆମ୍ବ, କଦଳୀ, ମକା, ଧାନ,ଘାସ ଚାଷ, କରି ଲୋକଙ୍କୁ ବର୍ଷତମାମ କାମ ଯୋଗାଇ ଦେଇ ଆସୁଛନ୍ତି। ସେ ଆସାମକୁ ବଦଳି ହେବା ପରେ ସେଠାରୁ ୧୦୧୫ ମସିହାରେ ଅବସର ନେଇ ପୁରା ସମୟ ଗୋପାଳନ ଓ ଚାଷ କାର୍ଯ୍ୟରେ ନିୟୋଜିତ ରହିଛନ୍ତି। ସେ ନବରଙ୍ଗପୁର ଜିଲାର ବସତି ସ୍ଥାପନ କରି ଏଠାରେ ଗୋପାଳନ ପ୍ରତି ଆଗ୍ରହ ବଢାଇବା ସହ ଏକ ଶ୍ରେଷ୍ଠ ଚାଷୀ ଭାବେ ଲୋକଙ୍କର ପାଇଁ ଉଦାହରଣ ପାଲଟିଛନ୍ତି।

Comments are closed.