ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ଚୀନ୍‍ ସମେତ କୌଣସି ଦେଶ ମନ୍ତବ୍ୟ ଦିଅନ୍ତୁ ନାହିଁ : ବିଦେଶ ମନ୍ତ୍ରଣାଳୟ

ନୂଆଦିଲ୍ଲୀ : ଜମ୍ମୁ-କାଶ୍ମୀର ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରାଯିବା ଭାରତର ଆଭ୍ୟନ୍ତରୀଣ ବ୍ୟାପାର। ଏ ବିଷୟରେ ଭାରତର ଆଭିମୁଖ୍ୟ ଅତ୍ୟନ୍ତ ସ୍ପଷ୍ଟ ବୋଲି ଚୀନ୍‍ ସମ୍ପୂର୍ଣ୍ଣରୂପେ ଅବଗତ ଥିବା ଭାରତ ଦୃଢ଼ଭାବେ କହିଛି। ବୈଦେଶିକ ମନ୍ତ୍ରଣାଳୟ କହିଛି, ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ଚୀନ୍‍ ସମେତ କୌଣସି ଦେଶ ମନ୍ତବ୍ୟ ଦିଅନ୍ତୁ, ଏହା କେବେ ଭାରତ ଚାହେଁ ନାହିଁ ଓ ଏଭଳି କାର୍ଯ୍ୟରୁ ସେମାନେ ନିବୃତ୍ତ ରହିବା ଉଚିତ।

ଚୀନ୍‍ ବୈଦେଶିକ ବିଭାଗ ମୁଖପାତ୍ରଙ୍କଦ୍ୱାରା ଜମ୍ମୁ-କାଶ୍ମୀର ଓ ଲଦାଖ୍‍ କେନ୍ଦ୍ରଶାସିତ ଅଞ୍ଚଳ ଗଠନ ଉପରେ ମନ୍ତବ୍ୟ ଦିଆଯିବା ପରେ ଭାରତ ଏହି ପ୍ରତିକ୍ରିୟା ପ୍ରକାଶ କରିଛି। ବୈଦେଶିକ ମନ୍ତ୍ରଣାଳୟ କହିଛି, ଜମ୍ମୁକାଶ୍ମୀର ଓ ଲଦାଖ୍‍ ଭାରତର ଅଭିନ୍ନ ଅଙ୍ଗ ଓ ଅନ୍ୟ ଦେଶମାନେ ଭାରତର ସାର୍ବଭୌମତ୍ୱ ଏବଂ ଆଞ୍ଚଳିକ ଅଖଣ୍ଡତାକୁ ସମ୍ମାନ କରନ୍ତୁ, ଏହା ଆଶା କରାଯାଏ। ବିବୃତ୍ତିରେ କୁହାଯାଇଛି, ଚୀନ୍‍ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କାଶ୍ମୀର ଓ ଲଦାଖର ଏକ ବଡ଼ ଇଲାକା ନିଜ ଅକ୍ତିଆରରେ ରଖିଛି। ଏଥିସହିତ
ପାକିସ୍ତାନ ଅଧିକୃତ କାଶ୍ମୀରର ଭାରତୀୟ ଅଞ୍ଚଳକୁ ମଧ୍ୟ ଏହା ବେଆଇନ ଭାବେ ନିଜ ଅଧିକାରରେ ରଖିଛି। ଏଥିରେ କୁହାଯାଇଛି, ଭାରତ ନିଜର ଉଦବେଗ ବିଷୟରେ ଉଭୟ ପାକିସ୍ତାନ ଓ ଚୀନ୍‍କୁ କହିଆସୁଛି। ଚୀନ-ପାକିସ୍ତାନ ଅର୍ଥନୈତିକ କରିଡ଼ରକୁ ନେଇ ଭାରତ ସର୍ବଦା ନିଜର ଉଦବେଗ ବିଷୟରେ ଜଣାଇଆସୁଛି। ୧୯୪୭ ମସିହାରେ ବେଆଇନ ଭାବେ ପାକିସ୍ତାନଦ୍ୱାରା ଅଧିକୃତ ଭାରତୀୟ ଅଞ୍ଚଳରେ ଏହି ଅର୍ଥନୈତିକ କରିଡର୍‍ ସ୍ଥାପିତ ହୋଇଛି

Comments are closed.