ବୁଢ଼ାବଳଙ୍ଗ ନଦୀରୁ ଦିନରାତି ଚୋରି ହେଉଛି ବାଲି

ଗ୍ରାମବାସୀଙ୍କ ଅଭିଯୋଗ: ଆଖି ବୁଜିଛି ରାଜସ୍ବ ବିଭାଗ

ରେମୁଣା : ବେଆଇନ ଭାବେ ନଦୀଶଯ୍ୟାରୁ ବାଲି ଉଠାଇ ବିକ୍ରି କରିବା କିଛି ଲୋକଙ୍କର ନିଶା ପାଲଟି ଯାଇଛି। ଏପଯେ କେଉଁଠି ନଦୀ କୂଳ ଖାଉଛି ତ କେଉଁଠି ଗୋଷ୍ଠୀ ସଙ୍ଘର୍ଷ ଭଳି ଘଟଣା ଘଟୁଛି। ମାତ୍ର ଏସବୁକୁ ରାଜସ୍ବ ବିଭାଗ ଆଖି ବୁଜିଦେଇଛି। ଫଳରେ ଗ୍ରାମବାସୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରି ଘଟଣା ରେମୁଣା ବ୍ଲକ, ଗଣ୍ଡର୍ଦ୍ଦା ପଞ୍ଚାୟତର ଆମ୍ବୁଲକୁଡ଼ା ଗାଁରେ ଦେଖିବାକୁ ମିଳିଛି। ଏହି ଗାଁ ପାଖ ଦେଇ ଯାଇଛି ବୁଢ଼ାବଳଙ୍ଗ ନଦୀ। ଅଞ୍ଚଳର କିଛି ବାଲି ମାଫିଆ ଦିନରାତି ବାଲି ଉଠାଇ ଚାଲିଛନ୍ତି। ଗାଁ ଦାଣ୍ଡରେ ଟ୍ରାକ୍ଟର, ପିକ୍ଅପ, ମିନିଟ୍ରକ ଆଦି ବାଲି ବୋହିବା କାମରେ ଲାଗିଥିବାରୁ ସାଧାରଣ ଲୋକଙ୍କ ଯାତାୟାତ ପ୍ରଭାବିତ ହେଉଛି। ଗାଁ ଦାଣ୍ଡରେ ଛୋଟ ଛୋଟ ପିଲାଙ୍କର ଜୀବନ ପ୍ରତି ବିପଦ ଦେଖାଦେଉଛି। ବାଲି ଉଠାଣକୁ ନେଇ ଗ୍ରାମବାସୀ ଓ ମାଫିଆଙ୍କ ମଧ୍ୟରେ ବିବାଦ ମଧ୍ୟ ଦେଖାଦେଉଛି। ତେଣୁ ବାଲି ଉଠାଣ ବନ୍ଦ କରିବା ପାଇଁ ଗ୍ରାମବାସୀ ଦାବି କରିଆସୁଛନ୍ତି। ଏନେଇ ସେମାନେ ଆରଆଇ, ତହସିଲଦାର ଏମିତିକି ଥାନାରେ ମଧ୍ୟ ଲିଖି ଜଣାଇ କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା ରଖିଛନ୍ତି। ଅପରପକ୍ଷରେ ନଦୀ ଗର୍ଭରୁ ବ୍ୟାପକ ବାଲି ଉଠାଯାଉଥିବାରୁ ନଦୀର ଗତିପଥ ପରିବର୍ତନ ହୋଇ ଗାଁ ଆଡ଼କୁ ମାଡ଼ିବା ଏବଂ ବିଲବାଡ଼ି ପ୍ରଭାବିତ ଆଶଙ୍କା ରହିଛି। ପ୍ରଶାସନ ତୁରନ୍ତ ଚୋରା ବାଲି ଉଠାଣ ଏବଂ ଚାଲାଣ ବିରୋଧରେ କଠୋର ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Comments are closed.