ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ଜୋରଦାର : ୧୨ ସୁଦ୍ଧା ପୁରୀକୁ ବିଦ୍ୟୁତ ଯୋଗାଣ

ଭୁବନେଶ୍ବର : ବାତ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟ ଜୋରଦାର ଚାଲିଛି । ସାମୁଦ୍ରିକ ବାତ୍ୟା ଫନୀର ପ୍ରଭାବରେ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିବା ଅଞ୍ଚଳ ମଧ୍ୟରୁ ପୁରୀ, କୋଣାର୍କ, ନିମାପଡା, ଭୁବନେଶ୍ୱର ଏବଂ ଜଟଣୀରେ ଜଳଯୋଗାଣ ବ୍ୟବସ୍ଥା ସମ୍ପୂର୍ଣ୍ଣଭାବେ ସ୍ବଭାବିକ ହୋଇଛି ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ସଚିବ ସଞ୍ଜୟ ସିଂହ କହିଛନ୍ତି ।
ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ବାତ୍ୟା ବିପର୍ଯ୍ୟୟ ପରେ ଜଳଯୋଗାଣ ସହିତ ପରିମଳ ବ୍ୟବସ୍ଥା ଏକ ବଡ ଆହ୍ୱାନ ଭାବେ
ଦେଖାଦେଇଛି। କେତେକ ସହରାଞ୍ଚଳର ପରିମଳ ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇ ଶ୍ରୀ ସିଂହ କହିଛନ୍ତି ଭୁବନେଶ୍ୱର ସହରାଞ୍ଚଳରେ ୧୫୦ ଜଣ
ଯନ୍ତ୍ରୀଙ୍କୁ ନେଇ ୩୨୦୦ସଫେଇ କର୍ମଚାରୀ ୫୧୬ଟି ଜେସିବି ଏବଂ ଟ୍ରାକ୍ଟର ନେଇ ସହର ସଫେଇ କାର୍ଯ୍ୟ କରୁଛନ୍ତି । ପୁରୀ ସହରରେ ୪୦ଜଣ ଯନ୍ତ୍ରୀ, ୪୦୦ ସଫେଇ କର୍ମଚାରୀଙ୍କୁ ୭୨ଟି ଯନ୍ତ୍ର ସାହାଯ୍ୟରେ ପରିମଳ ବ୍ୟବସ୍ଥାକୁ ସ୍ୱାଭାବିକ କରାଯାଉଛି । ସମୁଦାୟ ୧୩ଟି ବାତ୍ୟା ପ୍ରଭାବିତ ଅଞ୍ଚଳରେ ୬୨୧ଜଣ ଯନ୍ତ୍ରୀ ୫ହଜାର ୨୦୦ ସଫେଇ କର୍ମଚାରୀ ୮୬୧ଟି ଯନ୍ତ୍ର ସାହାଯ୍ୟରେ ସହରାଞ୍ଚଳ ସଫେଇ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ତେବେ ବାତ୍ୟାରେ ଦୁଇହଜାର ୩୬୪ଟି ପାଇପ ଜଳ ଯୋଗାଣ ଯୋଜନା ଗୁରୁତର ଭାବେ ପ୍ରଭାବିତ ହୋଇଛି ବୋଲି ସେ କହିଛନ୍ତି ।
ବିଦ୍ୟୁତ ସଂଯୋଗ ନେଇ ଶ୍ରୀ ସିଂହ କହିଛନ୍ତି ଯେ, ଗୁରୁବାର ଆଉ ୨୫ହଜାର ଉପଭୋକ୍ତାଙ୍କୁ ବିଦ୍ୟୁତ ସଂଯୋଗ ଦିଆଯାଇଛି । ଆଜି ସୁଦ୍ଧା ମୋଟ ୮୬ହଜାର ଉପଭୋକ୍ତାଙ୍କୁ ବିଦ୍ୟୁତ ଯୋଗାଇ ଦିଆଯାଇଛି। ପୁରୀରେ ୧୨ତାରିଖ ସୁଦ୍ଧା ବିଦ୍ୟୁତ ଯୋଗାଣ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଛି। ବିଦ୍ୟୁତ ସଂଯୋଗ ପହଞ୍ଚିବା ପରେ ମଧ୍ୟ ସମସ୍ୟା ସୃଷ୍ଟି ହେବା ଆଶଙ୍କା କରି ୫ଶହ ସରକାରୀ ଆଇଟିଆଇ ପିଲାଙ୍କୁ ନେଇ ଟିମ୍‍ ଗଠନ କରି ଘରକୁ ଘର ପଠାଯିବ। ସେମାନେ ବିଦ୍ୟୁତ ସଂଯୋଗରେ ସହାୟତା କରିବେ। ତେବେ ବାଲୁଖଣ୍ଡ ଅଭୟାରଣ୍ୟ ଓ ନନ୍ଦନକାନନରେ କୌଣସି ବନ୍ୟଜନ୍ତୁ ମରିଥିବା ରିପୋର୍ଟ ବର୍ତ୍ତମାନ ପର୍ଯ୍ୟନ୍ତ ମିଳିନାହିଁ ବୋଲି ଶ୍ରୀ ସିଂହ କହିଛନ୍ତି।

Comments are closed.