କୋଲୋଷ୍ଟରକୁ କମ୍‌ କରିବାର ପ୍ରାକୃତିକ ଉପାୟ

0

କୋଲେଷ୍ଟେରଲ ଏକ ଚର୍ବିଜାତୀୟ ଦ୍ରବ୍ୟ ଯାହା ଶରୀରର କୋଷ ଓ ଅନ୍ତଃସ୍ରାବୀ ରସ ତିଆରି କରିବାରେ ସାହାଯ୍ୟ କରେ। ଏହା ଯକୃତ, ଅନ୍ୟାନ୍ୟ କୋଷ ଓ ଅନ୍ତଃନାଳୀରେ ତିଆରି ହୁଏ। ଚର୍ବିଜାତୀୟ ପଦାର୍ଥକୁ ଲିପିଡ଼ କୁହାଯାଏ। ଏହି ଲିପିଡ଼ଗୁଡ଼ିକ ଶରୀରସ୍ଥ ରକ୍ତବାହୀ ଧମନୀରେ ଲାଇପୋ ପ୍ରୋଟିନ ଦ୍ୱାରା ସଞ୍ଚାରିତ ହୋଇଥାଏ। ରକ୍ତରେ କୋଲେଷ୍ଟେରଲ ଅଂଶ ପ୍ରାୟ ବଂଶାନୁକ୍ରମିକ ସ୍ଥିରୀକୃତ ହୋଇଥାଏ। ଦୈନନ୍ଦିନ ଖାଦ୍ୟ ପାନୀୟ, ଦିନଚର୍ଯ୍ୟା, ରାତ୍ରିଚର୍ଯ୍ୟା ଓ ଋତୁଚର୍ଯ୍ୟା ମଧ୍ୟ ଏଥିପାଇଁ ଦାୟୀ। ଅତ୍ୟଧିକ ତେଲ, ଘିଅ, ମାଛ, ମାଂସ, ଅଣ୍ଡା, ତେଲ ଛଣାଛଣି ଖାଦ୍ୟ, ଲହୁଣି, ନଡ଼ିଆ, ଚିଙ୍ଗୁଡ଼ି, ଦୁଧସର, ଖୁଆ ଆଦି ଚର୍ବିଜାତୀୟ ଖାଦ୍ୟ ପଦାର୍ଥରେ ତଥା ଅଧିକ କ୍ୟାଲୋରୀଯୁକ୍ତ ଖାଦ୍ୟରେ କୋଲେଷ୍ଟେରଲ ରହିଥାଏ। ଏହାକୁ ସେବନ କଲେ ରକ୍ତରେ କୋଲେଷ୍ଟେରଲ ପରିମାଣ ବୃଦ୍ଧି ପାଏ। ରକ୍ତର ପ୍ରତି ଡେସିଲିଟରରେ ୨ଶହ ମିଲିଗ୍ରାମରୁ ଅଧିକ ହେଲେ ଏହା ବଢ଼ିଛି ବୋଲି ଜାଣିବାକୁ ହେବ। ହାଇଡ଼େନସିଟି ଲାଇପୋପ୍ରୋଟିନ (ଏଚଡ଼ିଏଏଲ), ଭଲ କୋଲେଷ୍ଟେରଲ ଲୋଚେନସିଟି ଲାଇପୋପ୍ରୋଟିନ ((ଏଲଡ଼ିଏଏଲ), ଖରାପ କୋଲେଷ୍ଟେରଲ ଡ଼େନସିଟି ଲାଇପୋପ୍ରୋଟିନ (ଭିଏଲଡ଼ିଏଲ) ଯାହାକି ଯକୃତରୁ ଶରୀରର ବିଭିନ୍ନ ଅଂଶକୁ ଯାଇଥାଏ।
ଏଚଡ଼ିଏଲ ଶରୀରର ରକ୍ଷାକାରୀ ବା ପ୍ରୋଟେକ୍ଟିଭ କୋଲେଷ୍ଟେରଲ ନାମରେ ଜଣାଯାଏ। ଏହା ଧମନୀରେ କୋଲେଷ୍ଟେରଲ ଜମିବାକୁ ଦିଏନାହିଁ। ଅଳ୍ପ କୋଲେଷ୍ଟେରଲ ଥିବା ତଥା କମ କ୍ୟାଲୋରୀଯୁକ୍ତ ଖାଦ୍ୟ ଆମ ଶରୀରର ପ୍ରତିଦିନ ଆବଶ୍ୟକତା ଅନୁଯାୟୀ ଖାଇଲେ ହୃଦରୋଗ ଆଶଙ୍କା ହ୍ରାସ ପାଏ। ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗ ନିୟନ୍ତ୍ରଣ ପାଇଁ ଓøଷଧ ଓ ନିୟମିତ ବ୍ୟାୟାମ ସହିତ ସତର୍କତା ଅବଲମ୍ବନ କରିବା ବିଧେୟ। ମଦପାନ, ଧୂମପାନ ଏବଂ ଚର୍ବିଜାତୀୟ ଖାଦ୍ୟ ପରିବର୍ତ୍ତେ ସନ୍ତୁଳିତ ଖାଦ୍ୟ ଏବଂ ଦୈନିକ ସକାଳେ ଓ ସଂଧ୍ୟାରେ ଦୁଇ ତିନି କିଲୋମିଟର ଚାଲିଲେ ହୃଦଘାତ ଭୟ ଦୂର ହୋଇଥାଏ।
କେବଳ ବୃକ୍ଷଲତାରୁ ପ୍ରସ୍ତୁତ ଔଷଧ ଏଲଡ଼ିଏଲ କୋଲେଷ୍ଟେରଲ କମାଇବା ପାଇଁ ବ୍ୟବହାର କଲେ ଯଥେଷ୍ଟ ଉପକାର ମିଳେ। ଯଥା ୧- ଧନିଆଁ ଓ ଅଁଳା ସମ ପରିମାଣର ଚୁର୍ଣ୍ଣ କରି ଦୁଇ ଚାମଚ ସକାଳେ ସଂଧ୍ୟାରେ ଖାଲି ପେଟରେ ଲେମ୍ବୁ ପାଣି ସହ ସେବନ କରିବେ। ୨- ଫେସି ବା ଅତସି (ଲିନସିଡ଼)କୁ ଭାଜି ଚୁର୍ଣ୍ଣ କରି ଦିନକୁ ଦୁଇ ଥର ଖାଲି ପେଟରେ ଖାଇବେ। ୩- ଡାଲଚିନି ଚୁର୍ଣ୍ଣ ଏକ ଚାମଚ ଲେଖାଁ ଖାଲି ପେଟରେ ୪ ମାସ ସେବନ କଲେ ବୃଦ୍ଧି ପାଇଥିବା କୋଲେଷ୍ଟେରଲ ସାଧାରଣ ସ୍ତରକୁ ଆସିଥାଏ। ୪- ପିତାପାପଡ଼ା ବା ଘରପୋଡ଼ିଆ ଗଛ ପଞ୍ଚାଙ୍ଗ ଶୁଖାଇ ଅଧାଗୁଣ୍ଡ କରି ଦଶ ଗ୍ରାମକୁ ୫ଶହ ମିଲି ଲିଟର ପାଣିରେ ସିଝାଇ ୫୦ ମି.ଲି. ରହିଲେ ଛାଣି ଖାଲି ପେଟରେ ଦିନକୁ ଦୁଇଥର ୩୦ରୁ ୪୫ ଦିନ ପର୍ଯ୍ୟନ୍ତ ସେବନ କରିବେ। ରକ୍ତରେ ସିରମ କୋଲେଷ୍ଟେରଲ ପରୀକ୍ଷା ପରେ ଆଶାନୁରୂପ ଫଳ ନମିଳିଲେ ୩ରୁ ୬ମାସ ପର୍ଯ୍ୟନ୍ତ ଏହା ବ୍ୟବହାର କରିବେ। ଖାଦ୍ୟ ପାନୀୟ ଓ ପଥ୍ୟ ମାନି ଚଳିବାକୁ ହେବ। ଖରାପ କୋଲେଷ୍ଟେରଲ ଏଲଡ଼ିଏଲ ଅଧିକ ମାତ୍ରାରେ ବୃଦ୍ଧି ପାଇଥିଲେ ପ୍ରତିଦିନ ପିଆଜ ରସ ୨୫ମିଲି ଓ ଶୁଦ୍ଧ ମହୁ ୨୦ମିଲି ସକାଳେ ଥରେ ଖାଲି ପେଟରେ ୩/୪ ମାସ ସେବନ କଲେ ଉତ୍ତମ ଫଳ ମିଳିଥାଏ।
ଉପରୋକ୍ତ ତୁଟୁକା ପ୍ରୟୋଗ ବ୍ୟତୀତ ଏଥିପାଇଁ କେତେକ ବୃକ୍ଷଲତାରୁ ପ୍ରସ୍ତୁତ ଔଷଧ ଅଭିଜ୍ଞ ଆୟୁର୍ବେଦ ଡାକ୍ତରଙ୍କ ପରାମର୍ଶ ଅନୁସାରେ ବ୍ୟବହାର କଲେ ସୁଫଳ ମିଳିବ। ଅର୍ଜୁନ କ୍ଷୀରପାକ-ଏଥିରେ ଅର୍ଜୁନ ଗଛର ଛାଲି ୫୦ଗ୍ରାମ ଗୁଣ୍ଡ କରି ୨୫୦ ମିଲି ଗାଈ କ୍ଷୀର ଓ ସମ ପରିମାଣର ପାଣି ସହ ସିଝାଇ ୧୦୦ମିଲି ରହିଲେ ଛାଣି ସାମାନ୍ୟ ଉଷୁମ ଅବସ୍ଥାରେ ଖାଲି ପେଟରେ ସକାଳେ ସନ୍ଧ୍ୟାରେ ପାନ କରିବେ। ଏହାଛଡ଼ା ଅର୍ଜୁନାରିଷ୍ଟ, ଅର୍ଜୁନ ଘୃତ, ଅର୍ଜୁନ ଘନ ବଟିକା, ନାଗାର୍ଜୁନାଭ୍ର ରସ, ତ୍ରିଫଳା ଚୁର୍ଣ୍ଣ, ଅର୍ଜୁନିନ ବଟିକା, ହୃଦୟ ବଲ୍ଲଭ ରସ, ବୃହତ ବାତ ଚିନ୍ତାମଣି ରସ ବଟିକା ଆଦି ବ୍ୟବହାର କରିବା ଫଳରେ କୋଲେଷ୍ଟେରଲ ଏବଂ ହୃଦରୋଗ ପ୍ରତିରୋଧକ ଓ ପ୍ରତିଷେଧକ ବ୍ୟବସ୍ଥା କରାଯାଇପାରୁଛି।
ଡାକ୍ତର ସ୍ୱପ୍ନେଶ୍ୱର ପଣ୍ଡା
ସାଇଲୋ ଗୋବିନ୍ଦପୁର, କଟକ

Leave A Reply