ଜାତୀୟ ନିରାପତ୍ତା ବିରୋଧୀ ଆଭିମୁଖ୍ୟ କଂଗ୍ରେସ ପାଇଁ ମହଙ୍ଗା ପଡ଼ିଲା

ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ଏହା ପରେ ଦଳର ହାଇକମାଣ୍ଡ ବରିଷ୍ଠ ନେତାମାନଙ୍କୁ ନେଇ କାର୍ଯ୍ୟକାରିଣୀ କମିଟି ବୈଠକରେ ଆତ୍ମସମୀକ୍ଷା କରିଛନ୍ତି। ତେବେ ନିର୍ବାଚନ ସମୟରେ କଂଗ୍ରେସ ଜାତୀୟ ନିରାପତ୍ତା ବିରୋଧୀ ଆଭିମୁଖ୍ୟ ପୋଷଣ କରି ବଡ଼ ତ୍ରୁଟି କରିଥିଲା, ଯାହା ଦଳ ପାଇଁ ମହଙ୍ଗା ପଡ଼ିଲା ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି।

ବିଶେଷଜ୍ଞଙ୍କ ମତରେ ୨୦୧୯ ନିର୍ବାଚନ ସବୁ ଦଳକୁ ଏକ ଶିକ୍ଷା ଦେଇଛି। ତାହା ହେଉଛି କୌଣସି ଦଳ ସେନାର ସାମରିକ କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠାଇବା କିମ୍ବା ଜାତୀୟ ନିରାପତ୍ତା ଉପରେ ଜଟିଳ ମତଦେବା ଅନୁଚିତ। କଂଗ୍ରେସ ୨୦ ବର୍ଷ ତଳେ ଯେଉଁ ଭୁଲ କରିଥିଲା ତାହା ପୁନର୍ବାର ୨୦୧୯ ନିର୍ବାଚନରେ ଦୋହରାଇବା ଫଳରେ ଜନସମର୍ଥନ ହାସଲ କରିବାରେ ବିଫଳ ହୋଇଛି।

୧୯୯୯ ଅକ୍ଟୋବର ନିର୍ବାଚନ ପୂର୍ବରୁ ତତ୍କାଳୀନ କଂଗ୍ରେସ ନେତୃବୃନ୍ଦ ସେତେବେଳର ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସରକାରଙ୍କୁ ସମାଲୋଚନା କରିଥିଲେ। ଗୋଇନ୍ଦା ଏବଂ ରାଜନୈତିକ ବିଫଳତା ଯୋଗୁ ପାକିସ୍ତାନ ସହିତ କାରଗିଲ ଯୁଦ୍ଧ ହେଲା ବୋଲି କଂଗ୍ରେସ କହିଥିଲା। ଯଦିଓ କେ. ସୁବ୍ରମନ୍ୟମଙ୍କ ନେତୃତ୍ଵରେ ଗଠିତ କାରଗିଲ୍‌ ରିଭ୍ୟୁ କମିଟି କିଛି ତ୍ରୁଟି ଯୋଗୁ ଯୁଦ୍ଧ ହେଲା ବୋଲି ଦର୍ଶାଇଥିଲା, ମାତ୍ର ଭାରତୀୟ ଯବାନଙ୍କ ଉପରେ ଜନସାଧାରଣଙ୍କ ଆସ୍ଥା ଏବଂ ସମବେଦନା ରହିଥିଲା, ଯେଉଁମାନେ ଦେଶ ସୁରକ୍ଷା ପାଇଁ ପ୍ରାଣବଳୀ ଦେଇଥିଲେ। କିନ୍ତୁ ଇସଲାମାବାଦ ଦ୍ବାରା କରାଯାଉଥିବା କିଛି ତ୍ରୁଟିପୂର୍ଣ୍ଣ ପ୍ରଚାରକୁ ଆଧାର କରି କଂଗ୍ରେସ ସେତେବେଳେ ସରକାରଙ୍କ ବିଫଳତା ଏବଂ ତ୍ରୁଟି ଯୋଗୁ ଯୁଦ୍ଧ ହୋଇଥିଲା ବୋଲି କହିଥିଲା। ଫଳସ୍ବରୂପ ନିର୍ବାଚନ ପରେ କଂଗ୍ରେସ ନେତୃତ୍ଵାଧୀନ ଉପା ବାଜପେୟୀଙ୍କ ନେତୃତ୍ଵାଧୀନ ଏନଡିଏଠାରୁ ଅଳ୍ପ ବ୍ୟବଧାନରେ ଆଗୁଆ ଥିଲେ ବି ସରକାର ଗଢ଼ିପାରି ନ ଥିଲା। ବାଜପାୟୀଙ୍କ ନେତୃତ୍ଵାଧୀନ ଏନଡିଏ କ୍ଷମତାକୁ ଆସିଥିଲା।

୨୦୧୯ରେ ବି ରାହୁଲ ଗାନ୍ଧୀଙ୍କ ନେତୃତ୍ଵାଧୀନ କଂଗ୍ରେସକୁ ସମଦଶା ଭୋଗିବାକୁ ପଡ଼ିଲା। ୨୦୧୬ ସର୍ଜିକାଲ ଷ୍ଟାଇକ୍‌ ଏବଂ ୨୦୧୯ ବାଲାକୋଟ ବିମାନ ଆକ୍ରମଣ ଉପରେ କଂଗ୍ରେସ ଏବଂ ଏହାର ନେତାମାନେ ବାରମ୍ବାର ପ୍ରଶ୍ନ ଉଠାଇ ବଡ଼ ଭୁଲ କରିଥିଲେ। ଉରିରେ ଲଶ୍କର-ଏ-ତୋଇବା ଏବଂ ପୁଲୱାମାରେ ଜୈଶ-ଏ-ମହମ୍ମଦ ସଂଗଠନର ଆତଙ୍କବାଦୀ ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆତଙ୍କବାଦୀଙ୍କୁ ଉଚିତ ଜବାବ ଦେଇଥିଲେ। କିନ୍ତୁ କଂଗ୍ରେସ ଏହା ଉପରେ ପ୍ରଶ୍ନ ଉଠାଇ ପ୍ରମାଣ ମାଗିଥିଲା। ଯାହା ଫଳରେ ଦେଶବାସୀ କଂଗ୍ରେସ ଏବଂ ଏହାର ମେଣ୍ଟ ଦଳଗୁଡ଼ିକର ଆଭିମୁଖ୍ୟକୁ ନେଇ ଦ୍ବନ୍ଦ୍ବରେ ପଡ଼ିଥିଲେ।

ସେହିପରି ଏନଡିଏ ଜୈଶ ଆତଙ୍କବାଦୀ ସଂଗଠନ ମୁଖ୍ୟ ମାସୁଦ ଆଝାରକୁ ବିଶ୍ଵ ଆତଙ୍କବାଦୀ ଘୋଷଣା କରିବାକୁ ବାରମ୍ବାର ଉଦ୍ୟମ କରିବା ସହ ଆଣ୍ଟି ସାଟେଲାଇଟ ୱିପନ ଟେଷ୍ଟ କରିଥିଲା। କିନ୍ତୁ କଂଗ୍ରେସର ବରିଷ୍ଠ ନେତା ସାମ୍‌ ପିଟ୍ରୋଡା ଏହା ଉପରେ କେତେକ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏହାବ୍ୟତୀତ ସିଏଜି ରାଫେଲ ଯୁଦ୍ଧ ବିମାନ କାରବାରରେ ମୋଦୀ ସରକାରଙ୍କୁ କ୍ଲିନ୍‌ଚିଟ୍‌ ଦେଇଥିଲା। ସୁପ୍ରିମକୋର୍ଟ ବି ରାଫେଲ ଡିଲ୍‌ର ତଦନ୍ତ ସମ୍ପର୍କିତ ପ୍ରଥମ ପିଟିଶନକୁ ଖାରଜ କରିଦେଇଥିଲେ ଏବଂ ପରବର୍ତ୍ତୀ ସମୟରେ ରିଭ୍ୟୁ ପିଟିଶନ ଉପରେ ଶୁଣାଣି ନେଇ ରାୟ ଦେଇଥିଲେ।

ତେବେ ୧୯୯୯  କାନ୍ଦାହାର ବିମାନ ଅପହରଣ ଘଟଣାରେ ମାସୁଦ ଆଝାରକୁ ମୁକ୍ତ କରିବା ପ୍ରସଙ୍ଗ ଉଠାଇ କଂଗ୍ରେସ ମୋଦୀଙ୍କ ବିମାନ ଆକ୍ରମଣ ଏବଂ ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲଙ୍କୁ ଟାର୍ଗେଟ କରିଥିଲା। ମାତ୍ର ୨୬/୧୧ ମୁମ୍ବଇ ଆକ୍ରମଣ ପରେ ମନମୋହନ ସିଂହଙ୍କ ସରକାରର ନିଷ୍କ୍ରିୟତା ଏବଂ ଆତଙ୍କବାଦୀଙ୍କ ଉପରେ ପ୍ରତିଆକ୍ରମଣ ପାଇଁ ସରକାର ବାଧା ଦେଇଥିବା ନେଇ ତତ୍କାଳୀନ ବାୟୁସେନା ମୁଖ୍ୟଙ୍କ ମନ୍ତବ୍ୟ ଦଳର ଅସଲ ଚେହରାକୁ ପଦାରେ ପକାଇଥିଲା।

ଅନ୍ୟପଟେ ନିର୍ବାଚନୀ ପ୍ରଚାର ସମୟରେ ମୋଦୀ ସରକାର ଏବଂ ବିଜେପି ନେତୃବୃନ୍ଦମାନେ ଭାରତୀୟ ସେନା ବିରୋଧରେ ଗୋଟିଏ ହେଲେ ଶବ୍ଦ ପ୍ରୟୋଗ କରି ନ ଥିଲେ। କିନ୍ତୁ କଂଗ୍ରେସ ବାରମ୍ବାର ଭାରତୀୟ ସେନା ଏବଂ ଯବାନଙ୍କ କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠାଇଥିଲା। କଂଗ୍ରେସର ଏସବୁ ତ୍ରୁଟି ଶେଷରେ ଦଳକୁ ପରାଜୟର ଦ୍ବାରଦେଶରେ ପହଞ୍ଚାଇଥିଲା ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି।

Comments are closed.