ଦଳ ସହ ଧରାପଡ଼ିଲେ ନକଲି ନକ୍ସଲ ନେତା

0

ରାୟଗଡା : ବିଭିନ୍ନ ସମୟରେ ବ୍ୟବସାୟୀ, ସାଧାରଣ ଜନତାଙ୍କୁ ନିଜକୁ ମାଓବାଦୀ ଭାବେ ପରିଚୟ ଦେଇ ଟଙ୍କା ଆଦାୟ କରୁଥିବା ୪ ଜଣ ଦୁର୍ବୃତଙ୍କୁ ବୁଧବାର ପୁଲିସ ଗିରଫ କରିଛି। ପ୍ରେମରେ ପଡି ରାୟଗଡା ସହରକୁ ଏହି ଦଳର କିଙ୍ଗପିନ ଭରତ ଆସିଥିବା ବେଳେ ପୁଲିସ ତାକୁ ଗିରଫ କରିଥିଲା। ତାର ସହଯୋଗରେ ଅନ୍ୟ ୩ ଜଣ ଧରା ପଡିଥିଲେ। ଏମାନଙ୍କଠାରୁ ୧ ଲକ୍ଷ ୮୬ ହଜାର ୯୧୦ ଟଙ୍କା ସହ ୩ ଟି ମଟର ସାଇକଲକୁ ପୁଲିସ ଜବତ କରିଛି। ଏକ ଖବରଦାତା ସମ୍ମିଳନୀରେ ଏସପି ଏହି ସୂଚନା ଦେଇଛନ୍ତି। କାଶୀପୁର ବ୍ଲକ ଜଲଖୁରା ଗ୍ରାମର ଭରତ ଓରଫ ଭାପ୍ତା ନାଏକ, ବଳରାମ ନାଏକ, ପିଣ୍ଟୁ ଓରଫ ରମେଶ ନାଏକ ଏବଂ ବେଲେକେଦାସ ନାଏକ ୪ ଜଣ ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ମାଓବାଦୀ ନାମରେ ଚାନ୍ଦା ମାଗି ଆସୁଥିଲେ।

ଅଣ୍ଡିରାକଞ୍ଚ ଥାନା ପାଇକ କୁପାଖାଲ ଗ୍ରାମର ଶଙ୍କର ନାୟକଙ୍କୁ ୧୦ ଲକ୍ଷ ଟଙ୍କା ମାଗିଥିଲେ। ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ବଂଶଧାରା-ଘୁମସର ଓ ନାଗାବଳୀ ଡିଭିଜନ ସମ୍ପାଦକ ଉମାକାନ୍ତଙ୍କ ପରିଚୟ ଦେଇ ମାଓବାଦୀଙ୍କ ପ୍ୟାଡରେ ଚିଠି ଲେଖି ଏହି ଟଙ୍କା ମାଗିଥିଲେ। ପରେ ଫୋନ ମାଧ୍ୟମରେ ହତ୍ୟା ଧମକ ପାଇ ଶଙ୍କର ଗତ ସେପ୍ଟେମ୍ବର ୧୦ରେ ଚନ୍ଦ୍ରଗିରି ନିକଟ ଡଙ୍ଗେସେଖାଲ ଜଙ୍ଗଲ ଭିତରେ ଏମାନଙ୍କୁ ୧୦ଲକ୍ଷ ଟଙ୍କାଦେଇ ଆସିଥିଲେ। ପରେ ଡିସେମ୍ବର ୧୧ରେ ପୁଣି ସେହି ଗାଁର ହଳଧର ବାଗଙ୍କୁ ଧମକାଇ ଏମାନେ ଟଙ୍କା ମାଗିଥିଲେ। ତେବେ ହଳଧର ଟଙ୍କା ଦେବା ପରିବର୍ତ୍ତେ ପୁଲିସ ପାଖରେ ପହଞ୍ଚି ଅଣ୍ଡିରାକଞ୍ଚ ଥାନାରେ ଏତଲା ଦେଇଥିଲେ। କେସ ନମ୍ବର ୩୬ ପ୍ରକାର ଏତଲାକୁ ପଞ୍ଜିକରଣ କରି ଏସଡିପିଓ ରାଜକିଶୋର ଦାସଙ୍କ ତତ୍ୱାବଧାନରେ ଅଣ୍ଡିରାକଞ୍ଚ ଥାନା ଅଧିକାରୀ ଦୀନବନ୍ଧୁ ଶବର ଏବଂ ଦୋରାଗୁଡା ଥାନା ଅଧିକାରୀ ଗୌରହରି ତଦନ୍ତ ଆରମ୍ଭ କରିଥିଲେ। ସମସ୍ତ ୪ଜଣଙ୍କ ମୋବାଇଲକୁ ଟ୍ରାକିଂ କରି ପୁଲିସ ଅଭିଯୁକ୍ତଙ୍କ ପତ୍ତା ଲାଗାଇ ପାରିଥିବା ବେଳେ ସମ୍ପୂର୍ଣ୍ଣ ଜଙ୍ଗଲିଆ ଏବଂ ପାହାଡିଆ ପରିବେଶ ହୋଇଥିବାରୁ ସେମାନଙ୍କୁ ଧରି ପାରି ନଥିଲା। ତେବେ ଫୋନ ଟ୍ରାକିଂରୁ ଭରତ ନାଏକ ଜଣେ ଝିଅକୁ ପ୍ରେମ କରୁଥିବା ଜାଣିପାରି ପୁଲିସ ପ୍ରେମର ଜାଲ ବିଛାଇ ଥିଲା। ପ୍ରେମିକାଙ୍କ ଅନୁରୋଧ ପ୍ରକାରେ ଭରତ ରାୟଗଡା ସହରକୁ ସାକ୍ଷାତ ପାଇଁ ଆସିବା ପରେ ପୁଲିସର ଜାଲରେ ଫସି ଯାଇଥିଲା। ପୁଲିସ ଭରତକୁ ଧରିବା ପରେ ଅନ୍ୟ ୩ ଜଣ ସାଥୀଙ୍କ ପାଖରେ ପହଞ୍ଚିଥିଲା। ଏହି କ୍ରମରେ ବଳରାମ ନାଏକ, ପିଣ୍ଟୁ, ବାଲେକଦାସ ନାଏକକୁ ମଧ୍ୟ ଗରିଫ କରିବାରେ ପୁଲିସ ସକ୍ଷମ ହୋଇଥିଲା। ପଚରାଉଚୁରା ବେଳେ ଶଙ୍କରଠାରୁ ୧୦ ଲକ୍ଷ ଟଙ୍କା ନେଇଥିବା ମଧ୍ୟ ସେମାନେ ସ୍ୱୀକାର କରିଥିଲେ। ସେହି ଟଙ୍କାରେ ସେମାନେ ରାୟଗଡାଠାରେ ୨ଟି ଏବଂ ଭବନୀପାଟଣାଠାରେ ଗୋଟିଏ ମୋଟ ୩ଟି ମଟର ସାଇକଲ କିଣିଥିବା ସ୍ୱୀକାର କରିଥିଲେ।

ଏମାନଙ୍କଠାରୁ ମାଓବାଦୀଙ୍କ ନାମରେ ଲୋଖା ଯାଇଥିବା ପୋଷ୍ଟର, ୩ଟି ମଟର ସାଇକଲ, ଧମକାଇବା ପାଇଁ ବ୍ୟବହାର କରୁଥିବା ୫ଟି ଫୋନ ସହ ୧ ଲକ୍ଷ ୮୬ ହଜାର ୯୧୦ଟଙ୍କା ଜବତ ହୋଇଛି। ଏ ନେଇ କେସ ନମ୍ବର୨ ଏବଂ ୩୬ ଦୁଇଟି ମାମଲା ରୁଜୁ କରି ଦଫା ୩୮୭, ୫୦୬, ୫୦୭ ଏବଂ ୩୪ ଆଇପିସି ପ୍ରକାରେ ୪ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଏସପି ରାହୁଲ ପିଆର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

Leave A Reply