ପ୍ରବଳ ବର୍ଷାରେ କାଶୀପୁରର ସ୍ଥିତି ସାଙ୍ଘାତିକ, ୪ଟି ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ

କାଶୀପୁର : ଲଗାଣ ବର୍ଷା କାରଣରୁ ରାୟଗଡ଼ା ଜିଲାର କାଶୀପୁର ବ୍ଲକର ପରିସ୍ଥିତି ବେହାଲ ହୋଇପଡ଼ିଛି। ସମଗ୍ର ବ୍ଲକ ଜଳମଗ୍ନ ହେବା କାରଣରୁ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ପ୍ରବଳ ବର୍ଷା ଯୋଗୁଁ କାଶୀପୁର ବ୍ଲକର କୁଚେଇପଦର ଠାରେ ନିର୍ମାଣଧୀନ ବ୍ରିଜ ନିକଟରେ ଦିଆଯାଇଥିବା ଡ଼ାଇଭରସନ ବର୍ଷାରେ ଧୋଇଯାଇଥିବା କାରଣରୁ କୁଚେଇପଦର, ଡ଼ଙ୍ଗାସିଲ, କୋଡ଼ିପାରି, ମାଇକଞ୍ଚକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ସେହିପରି ଡ଼ଙ୍ଗାସିଲ ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ପ୍ରାର୍ଥମିକ ବିଦ୍ୟାଳୟର ପାଚେରି ଭାଙ୍ଗି ଯାଇଥିବାରୁ ହଷ୍ଟେଲ ମଧ୍ୟରେ ପାଣି ପଶି ବହୁ ସାମଗ୍ରୀ ନଷ୍ଟ ହୋଇଛି ଓ ରୋଷେଇ ଘରେ ପାଣି ପଶିବା ଯୋଗୁଁ ସମସ୍ତ ଛାତ୍ରଛାତ୍ରୀ ମଙ୍ଗଳବାର ରାତିରେ ଉପାସ ରହିଥିବା ଅଭିଯୋଗ ହୋଇଛି। ଏତଦ୍‍ ବ୍ୟତୀତ କାଶୀପୁର ବ୍ଲକର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବିଶ୍ରାମ ଗୃହରେ ପାଣି ପଶିଯିବାରୁ ରୋଗୀଙ୍କ ସମ୍ପର୍କୀୟ ମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। କାଶୀପୁର ଲକ୍ଷ୍ମୀବଜାର ନିକଟସ୍ଥ ପୋଖରୀରେ ପାଣିର ପାଣି ରାସ୍ତା ଉପରେ ପ୍ରବାହିତ ହେବାରୁ ମୁଖ୍ୟ ରାସ୍ତା ଦୀର୍ଘ ସମୟ ଧରି ବନ୍ଦ ରହିବାରୁ ଦୁଇ ପାଶ୍ୱର୍ରେ ଶହ ଶହ ଗାଡ଼ି ଅଟକି ରହିଛି। ଯାତାୟତ ମଧ୍ୟ ବନ୍ଦ ରହିଛି। ସେହିପରି ଟିକିରି ରେଳ ଷ୍ଟେସନରେ ମଧ୍ୟ ପ୍ରାୟ ୨ ଫୁଟର ପାଣି ଜମି ରହିଥିବା ସୂଚନା ମିଳିଛି।

ବର୍ଷା କାରଣରୁ ଗମନାଗମନ ଠାରୁ ଆରମ୍ଭ କରି ସାଧାରଣ ଜୀବନ ଜୀବିକା ଖୁବ ପ୍ରଭାବିତ ହୋଇଛି। ବ୍ଲକର ନିକଟରେ ଥିବା ବିଭିନ୍ନ ଛୋଟବଡ଼ ନାଳର ପାଣି ବୃଦ୍ଧି ପାଇବା କାରଣରୁ ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଛନ୍ତି। ଲଗାତର ବୃଷ୍ଟିପାତକୁ ଅନୁଧ୍ୟାନ କଲେ ରାୟଗଡ଼ା ଜିଲାର କାଶୀପୁର ବ୍ଲକରେ ସର୍ବାଧିକ ୩୧୭.୪ ମିଲିମିଟର ବର୍ଷା ହୋଇଥିବା ଜଣାପଡ଼ିଛି।

Comments are closed.