ବାର୍ଷିକ ୧୦ କୋଟି ଟଙ୍କା ବେତନ ପାଇବେ ରବି ଶାସ୍ତ୍ରୀ

0

ମୁମ୍ବଇ  : ଭାରତୀୟ କ୍ରିକେଟ୍‌ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ପୁନଃନିଯୁକ୍ତି ପାଇଥିବା ରବି ଶାସ୍ତ୍ରୀ ବାର୍ଷିକ ବେତନ ବାବଦକୁ ୯.୫ ରୁ ୧୦ କୋଟି ଟଙ୍କା ପାଇବେ ବୋଲି ଏକ ଗଣମାଧ୍ୟମ ନିଜ ରିପୋର୍ଟରେ ଦର୍ଶାଇଛି।
ପୂର୍ବରୁ ରବି ଶାସ୍ତ୍ରୀ ମୁଖ୍ୟ ପ୍ରଶିକ୍ଷକ ଭାବେ ବାର୍ଷିକ ୮ କୋଟି ଟଙ୍କା ପାଉଥିଲେ। ପୁନର୍ବାର ଶାସ୍ତ୍ରୀଙ୍କୁ ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତ କରାଯାଇଥିବାରୁ ତାଙ୍କ ପାରିଶ୍ରମିକରେ ୨୦ ପ୍ରତିଶତ ବୃଦ୍ଧି କରାଯାଇଥିବା ରିପୋର୍ଟରେ ଦର୍ଶାଯାଇଛି। କେବଳ ରବି ଶାସ୍ତ୍ରୀ ନୁହନ୍ତି ଅନ୍ୟ ପ୍ରଶିକ୍ଷକଙ୍କ ପାରିଶ୍ରମିକରେ ମଧ୍ୟ ବୃଦ୍ଧି ଘଟିଛି। ବୋଲିଂ ପ୍ରଶିକ୍ଷକ ଭାବେ ପଦ ବଜାୟ ରଖିଥିବା ଭାରତ ଅରୁଣ ଓ ଫିଲଡିଂ ପ୍ରଶିକ୍ଷକ ପଦ ବଜାୟ ରଖିଥିବା ଆର.ଶ୍ରୀଧର୍‌ଙ୍କୁ ବାର୍ଷିକ ୩.୫ କୋଟି ଟଙ୍କା ପାରିଶ୍ରମିକ ମିଳିବ ବୋଲି ଆଶା କରାଯାଉଛି। ସେହିପରି ସଞ୍ଜୟ ବାଙ୍ଗରଙ୍କ ସ୍ଥାନରେ ନୂତନ ବ୍ୟାଟିଂ ପ୍ରଶିକ୍ଷକ ଭାବେ ନିଯୁକ୍ତ ହୋଇଥିବା ବିକ୍ରମ ରାଠୋର ବାର୍ଷିକ ୨.୫ରୁ ୩ କୋଟି ଟଙ୍କା ପାରିଶ୍ରମିକ ବାବଦକୁ ପାଇବେ ବୋଲି ଆଶା ରହିଛି।
ସୂଚନାଥାଉକି ମୁଖ୍ୟ ପ୍ରଶିକ୍ଷକ ଭାବେ ରବି ଶାସ୍ତ୍ରୀ, ବୋଲିଂ ପ୍ରଶିକ୍ଷକ ଭାବେ ଭାରତ ଅରୁଣ, ବ୍ୟାଟିଂ ପ୍ରଶିକ୍ଷକ ଭାବେ ସଞ୍ଜୟ ବାଙ୍ଗର ଓ ଫିଲଡିଂ ପ୍ରଶିକ୍ଷକ ଭାବେ ଆର.ଶ୍ରୀଧର୍‌ଙ୍କ କାର୍ଯ୍ୟକାଳ ବିଶ୍ବକପ୍‌ ଶେଷ ପର୍ଯ୍ୟନ୍ତ ଥିଲା। ଏହାପରେ ଏହି ସମୟସୀମାକୁ ୪୫ ଦିନ ବଢ଼ାଇଥିଲା ବିସିସିଆଇ। ମୁଖ୍ୟ ପ୍ରଶିକ୍ଷକ ସହ ଅନ୍ୟାନ୍ୟ ସପୋର୍ଟ ଷ୍ଟାଫ୍‌ ନିଯୁକ୍ତି ପାଇଁ ବିସିସିଆଇ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ମୁଖ୍ୟ ପ୍ରଶିକ୍ଷକ ପଦ ନିମନ୍ତେ ଟିମ୍‌ ମୁଡ଼ି, ମାଇକ ହେସନ୍‌, ରବିନ୍‌ ସିଂହ ଓ ଲାଲଚାନ୍ଦ ରାଜପୁତ୍‌ଙ୍କୁ ପଛରେ ପକାଇ ରବି ଶାସ୍ତ୍ରୀ ପୁନଃନିଯୁକ୍ତି ପାଇଥିଲେ। ବୋଲିଂ ପ୍ରଶିକ୍ଷକ ଭାବେ ଭାରତ ଅରୁଣ ଓ ଫିଲଡିଂ ପ୍ରଶିକ୍ଷକ ଭାବେ ଆର.ଶ୍ରୀଧର୍‌ ପଦ ବଜାୟ ରଖିଥିବା ବେଳେ ବ୍ୟାଟିଂ ପ୍ରଶିକ୍ଷକ ପଦରୁ ସଞ୍ଜୟ ବାଙ୍ଗରଙ୍କୁ ବାଦ୍‌ ଦିଆଯାଇ ତାଙ୍କ ସ୍ଥାନରେ ବିକ୍ରମ ରାଠୋରଙ୍କୁ ନିଯୁକ୍ତ କରାଯାଇଥିଲା।

Leave A Reply