ଆତ୍ମସମର୍ପଣ ପାଇଁ ରାଜି ହେଲେ ରତୁଲ ପୁରୀ

ନୂଆଦିଲ୍ଲୀ : ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ପୁତୁରା ତଥା ଅଗୁସ୍ତା ୱେଷ୍ଟଲାଣ୍ଡ ଦୁର୍ନୀତି ମାମଲାର ଅଭିଯୁକ୍ତ ରତୁଲ ପୁରୀ ଆତ୍ମସମର୍ପଣ କରିବାକୁ ରାଜି ହୋଇଛନ୍ତି। ଏଥିନିମନ୍ତେ ସେ ଗୁରୁବାର ଦିଲ୍ଲୀର ଏକ କୋର୍ଟରେ ଆବେଦନ କରିଛନ୍ତି। କୋର୍ଟ ଏହା ଉପରେ ଶୁକ୍ରବାର ଶୁଣାଣି ଲାଗି ଦିନ ଧର୍ଯ୍ୟ କରିଛନ୍ତି।

ସମ୍ପ୍ରତି ଅନ୍ୟ ଏକ ବେଆଇନ ଅର୍ଥ କାରବାର ମାମଲାରେ ଗିରଫ ହୋଇ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ହାଜତରେ ଥିବା ବ୍ୟବସାୟୀ ପୁରୀ ସ୍ବତନ୍ତ୍ର କୋର୍ଟ ବିଚାରପତି ଅରବିନ୍ଦ କୁମାରଙ୍କ ଅଦାଲତରେ ଏହି ଆବେଦନ କରିଛନ୍ତି। ଅଗୁସ୍ତା ୱେଷ୍ଟଲାଣ୍ଡ ହେଲିକପ୍ଟର କାରବାର ପାଇଁ ଲାଞ୍ଚ ଗ୍ରହଣ କରିଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ରହିଛି। ତାଙ୍କ ବିରୋଧରେ ପୂର୍ବରୁ ଜାରି କରାଯାଇଥିବା ଜାମିନ ବିହୀନ ଗିରଫ ପରୱାନା ରଦ୍ଦ କରିବା ଲାଗି ପୁରୀ ବୁଧବାର ବିଚାରପତି କୁମାରଙ୍କ ଅଦାଲତରେ ଆବେଦନ କରିଥିଲେ। ତଦନ୍ତରେ ସହଯୋଗ କରିବାକୁ ସେ ପ୍ରସ୍ତୁତ ଥିବାରୁ ଏନବିଡବ୍ଲ୍ୟୁ ଜାରି କରିବାର ଆବଶ୍ୟକତା ନ ଥିବା ସେ ଦର୍ଶାଇଥିଲେ। ମାତ୍ର ପୁରୀଙ୍କୁ ଆଶ୍ବସ୍ତି ଦେବା ନେଇ କୌଣସି କାରଣ ନ ଥିବା ଦର୍ଶାଇ ବିଚାରପତି ତାଙ୍କ ଆବେଦନ ରଦ୍ଦ କରିଥିଲେ। ଇଡିଙ୍କ ବାରମ୍ବାର ନୋଟିସ ସତ୍ତ୍ବେ ପୁରୀ ତଦନ୍ତ ନିମନ୍ତେ ହାଜର ହେଉ ନ ଥିବା ଏବଂ ସହଯୋଗ କରୁ ନ ଥିବା ଅଭିଯୋଗ ଦର୍ଶାଯାଇଥିଲା। ଏପରିକି ଜୁଲାଇ ୨୬ ଜେରା ବେଳେ ପୁରୀ ତଦନ୍ତ ଅଧିକାରୀଙ୍କୁ ନ ଜଣାଇ କାର୍ଯ୍ୟାଳୟ ଛାଡି ଚାଲିଯାଇଥିବା କୁହାଯାଇଥିଲା। ମାତ୍ର ପୁରୀଙ୍କ ଓକିଲ ଯୁକ୍ତି ବାଢିଥିଲେ ଯେ ପିଏମଏଲଏ ଆଇନ ଧାରା ୫୦ ଅଧିନରେ ପୁରୀଙ୍କର ବୟାନ ରେକର୍ଡ କରାଯାଇଛି। ଏଥିସହ ତଦନ୍ତରେ ସହଯୋଗ ନିମନ୍ତେ ସେ ପ୍ରସ୍ତୁତ ବୋଲି ମଧ୍ୟ ପୁରୀ ତଦନ୍ତ ଅଧିକାରୀମାନଙ୍କୁ ୨ଟି ଇମେଲ କରିଛନ୍ତି। ମୋସେର ବିଅର କମ୍ପାନୀରେ ୩୫୪ କୋଟି ଟଙ୍କା ଠକେଇ ମାମଲାରେ ତାଙ୍କ ଜାମିନ ରଦ୍ଦ ହେବା ପରେ ଇଡି ତାଙ୍କୁ ମଙ୍ଗଳବାର ଗିରଫ କରିଥିଲା।

Comments are closed.