ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ : ୪ ଅଧିକାରୀଙ୍କୁ ସତ୍ୟପାଠ ଦାଖଲ ନିର୍ଦେଶ

0

କଟକ : ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ତଦନ୍ତ କମିସନ ଜଷ୍ଟିସ ରଘୁବୀର ଦାଶ ମଙ୍ଗଳବାର କଟକ ସର୍କିଟ ହାଉସସ୍ଥିତ କମିସନଙ୍କ କାର୍ଯ୍ୟାଳୟରେ ଏକ ବୈଠକ କରିଛନ୍ତି। ଏହି ବୈଠକରେ ସରକାରଙ୍କ ପକ୍ଷରୁ ନିଯୁକ୍ତ ଆଇନଜୀବୀ ଅଯୋଧ୍ୟା ରଞ୍ଜନ ଦାଶଙ୍କ ସହ କମିସନ ସତ୍ୟପାଠ ସଂପର୍କରେ ଆଲୋଚନା କରିଥିଲେ। ତେବେ କମିସନଙ୍କ ନିକଟରେ ୭ଟି ସତ୍ୟପାଠ ଦାଖଲ ହୋଇଥିବାବେଳେ ଚାବି ହଜିବା ପ୍ରସଙ୍ଗରେ ଅଧିକ ତଥ୍ୟ ଚାହିଁଛନ୍ତି କମିସନ। ଶ୍ରୀମନ୍ଦିର ପ୍ରଶାସନ, ପୁରୀ ଜିଲାପାଳ, ଟ୍ରେଜେରୀ ଅଫିସର ଓ ଆଇନ ବିଭାଗ ସଚିବଙ୍କ ଠାରୁ କମିସନ ଏହି ତଥ୍ୟ ଚାହିଁଛନ୍ତି। ଏ ନେଇ ସତ୍ୟପାଠ ମାଧ୍ୟମରେ ରିପୋର୍ଟ ଦେବା ପାଇଁ ଏହି ୪ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ୨୯ ତାରିଖ ସୁଦ୍ଧା ସତ୍ୟପାଠ ଦାଖଲ ହେବା ପରେ ପରବର୍ତ୍ତୀ ଶୁଣାଣି ହେବ ବୋଲି କମିସନଙ୍କ ସଚିବ କାଶୀନାଥ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଦାଖଲ ହୋଇଥିବା ସତ୍ୟପାଠକୁ ଅନୁଧ୍ୟାନ କରି ସାରିଛନ୍ତି କମିସନ। ତେବେ କମିସନ ଚାହୁଁଥିବା ତଥ୍ୟ ଏଥିରେ ନଥିବାରୁ ଅଧିକ ତଥ୍ୟ ଲୋଡିଛନ୍ତି କମିସନ। ଟର୍ମ ଅଫ ରେଫରେନସ ଅନୁଯାୟୀ ଚାବି ହଜିବା ପୂର୍ବବର୍ତ୍ତୀ ଘଟଣାକ୍ରମ ଓ କେଉଁ ପରିସ୍ଥିତିରେ ଚାବି ହଜିଲା ସେ ସଂପର୍କରେ ତଦନ୍ତ କରିବେ କମିସନ। ଚାବି ହଜିବା ଘଟଣାରେ କେଉଁ ବ୍ୟକ୍ତି, କେଉଁ ଅନୁଷ୍ଠାନ ବା କେଉଁ ଅଧିକାରୀ ଦାୟୀ ଓ ତାଙ୍କର ଭୂମିକା କେତେ ରହିଛି ସେ ନେଇ ତଦନ୍ତ ହେବ।

Leave A Reply