ରହସ୍ୟରେ ରତ୍ନଭଣ୍ଡାର ହୀରାନୀଳା ତାଲିକା

0

ପୁରୀ : ରହସ୍ୟରେ ରହିଛି ରତ୍ନଭଣ୍ଡାର ହୀରାନୀଳା ତାଲିକା। ଚାବି ହଜିବା ପରେ ଏଥିନେଇ ପ୍ରଶ୍ନ ଉଠିଛି। ଭିତର ଭଣ୍ଡାରଘର (ରତ୍ନଭଣ୍ଡାର)ରେ କେତେ ପରିମାଣର ହୀରାନୀଳା ଏବଂ ମୋତିମାଣିକ୍ୟ ରହିଛି ତାହା ଜାଣିବାକୁ ସାଧାରଣରେ ଉତ୍କଣ୍ଠା ପ୍ରକାଶ ପାଇଛି। ୧୯୭୮ ମସିହାର ସୁନାରୁପା ତାଲିକା ପ୍ରଶାସନ ପାଖରେ ରହିଛି। ଏକ ପୁସ୍ତକ ଆକାରରେ ତାହାକୁ ପ୍ରକାଶ କରାଯାଇଛି। କିନ୍ତୁ ଦୁର୍ମୂଲ୍ୟ ହୀରାନୀଳା ସମ୍ପର୍କରେ ଏହି ପୁସ୍ତକରେ କୌଣସି ଉଲ୍ଲେଖ କରାଯାଇନାହିଁ କି ପ୍ରଶାସନ ଏ ବାବଦରେ ମୁହଁ ଖୋଲୁନାହିଁ।
ବରିଷ୍ଠ ସେବକ ଏବଂ ଗବେଷକଙ୍କ କହିବା ଅନୁଯାୟୀ ରତ୍ନଭଣ୍ଡାରରେ ବିଶ୍ୱର ସବୁଠାରୁ ମୂଲ୍ୟବାନ ହୀରା ରହିଛି। ୧୯୭୮ ମସିହାର ଯାଞ୍ଚ ବେଳେ ତାହାର ଗୁଣବତ୍ତା ପରୀକ୍ଷା ପାଇଁ ଗୁଜରାଟର ଜଣେ ଅଭିଜ୍ଞ ଜୋହରୀଙ୍କୁ ଅଣାଯାଇଥିଲା। ପ୍ରଶାସକ ଓ ପରିଚାଳନା କମିଟି ସଭ୍ୟଙ୍କ ଉପସ୍ଥିତିରେ ଜୋହରୀ ଗୋଟିଏ ହୀରା ତନଖି କରିଥିଲେ। ଏପରି ବିରଳ ହୀରା ୪୦ବର୍ଷର ବ୍ୟବସାୟରେ ସେ କେବେ ଦେଖିନଥିବା ଜୋହରୀ ମତ ଦେଇଥିଲେ। ଆଶ୍ଚର୍ଯ୍ୟର କଥାହେଲା, ରତ୍ନଭଣ୍ଡାର ଗହଣା ତାଲିକାରେ ହୀରାନୀଳା ଓ ମୋତିମାଣିକ୍ୟ ସମ୍ପର୍କରେ କିଛି ଉଲ୍ଲେଖ କରାଯାଇ ନାହିଁ। ଏହି ମୂଲ୍ୟବାନ ରତ୍ନ ସମ୍ପର୍କରେ ସାଧାରଣରେ ପ୍ରଘଟ ହେଲେ ମନ୍ଦିର ଉପରେ ଆକ୍ରମଣର ସମ୍ଭାବନା ଥିବା ଆଶଙ୍କା କରି ତାହାକୁ ଗୋପନୀୟ ରଖାଯାଇଛି।
ଶ୍ରୀମନ୍ଦିର ସ୍ୱତ୍ୱଲିପିର ୪ର୍ଥ ଭାଗ,୧୯୭୮ ଗହଣା ତାଲିକା ଏବଂ ରାଜ୍ୟ ଅଭିଲେଖାଗାରରେ ରତ୍ନଭଣ୍ଡାର ଅଳଙ୍କାର ତାଲିକା ରହିଛି। ଗୋଟିଏ ତାଲିକା ସୁନାରୁପା ଏବଂ ଅନ୍ୟଟିରେ ହୀରା, ନୀଳା, ମୋତି, ମାଣିକ୍ୟ ଏବଂ ବୈଦୂର୍ଯ୍ୟର ବୋଲି କୁହାଯାଉଛି। ତେବେ ଏହାର ମୂଲ୍ୟ ଏପର୍ଯ୍ୟନ୍ତ ଆକଳନ କରାଯାଇ ନାହିଁ। ୧୯୦୫, ୧୯୨୬, ୧୯୭୮, ୧୯୮୨ ଏବଂ ୧୯୮୫ ମସିହାରେ ରତ୍ନଭଣ୍ଡାର ଖୋଲାଯାଇଥିଲା। ସେଥିରେ ୪୫୫ ପ୍ରକାର ସୁନା ଏବଂ ୨୯୦ପ୍ରକାର ରୁପା ରହିଥିବା ସୂଚନା ମିଳିଛି।
ରତ୍ନଭଣ୍ଡାର ଗହଣା ସମ୍ପର୍କରେ ୧୯୫୨ରେ ପ୍ରକାଶିତ ମାଦଳାପାଞ୍ଜି ଏବଂ ୧୯୫୬ ଓଡ଼ିଶା ଗେଜେଟିୟରରେ ତଥ୍ୟ ରହିଛି। ଶ୍ରୀମନ୍ଦିର ଇତିହାସରେ ସବୁଠାରୁ ଅଧିକ ଦିନ ୧୯୭୮ ମେ ୧୩ରୁ ଜୁଲାଇ ୨୩ ପର୍ଯ୍ୟନ୍ତ ରତ୍ନଭଣ୍ଡାର ଖୋଲା ଯାଇଥିଲା। ରତ୍ନଭଣ୍ଡାର ନିର୍ମାଣ ନକ୍ସା ସମ୍ପୂର୍ଣ୍ଣ ଗୋପନୀୟ ରଖାଯାଇଛି। ୧୯୨୬ ମସିହାରେ ରତ୍ନଭଣ୍ଡାର ଅଳଙ୍କାର ସାମୟିକ ଭାବେ ଜିଲା ରେକର୍ଡ ରୁମ୍‍କୁ ସ୍ଥାନାନ୍ତର ହୋଇଥିଲା। ରତ୍ନଭଣ୍ଡାରରେ ଥିବା ମୂଲ୍ୟବାନ ରତ୍ନପଥର ଶହ ଶହ ବର୍ଷଧରି ଶ୍ରୀଜୀଉଙ୍କୁ ଲାଗି କରାଯାଇ ନାହିଁ। ଚାବି ହଜିବା ପରେ ରତ୍ନଭଣ୍ଡାରର ମୂଲ୍ୟବାନ ରତ୍ନକୁ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଛି। ତେବେ ରତ୍ନଭଣ୍ଡାରର ସମସ୍ତ ଅଳଙ୍କାର ସମ୍ପୂର୍ଣ୍ଣ ସୁରକ୍ଷିତ ରହିଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରେସ୍‍ ବିଜ୍ଞପ୍ତି ମାଧ୍ୟମରେ ଭକ୍ତଙ୍କୁ ଆଶ୍ୱାସନା ଦିଆଯାଇଛି।
ଶ୍ରୀଜଗନ୍ନାଥ ମହାପ୍ରଭୁ ହେଉଛନ୍ତି ଐଶ୍ୱର୍ଯ୍ୟ ଓ ମାଧୁର୍ଯ୍ୟର ଠାକୁର। ପ୍ରତିବର୍ଷ ବିଜୟାଦଶମୀ (ଦଶହରା), ପୌଷପୂର୍ଣ୍ଣିମା (ପୁଷ୍ୟାଭିଷେକ), ଦୋଳପୂର୍ଣ୍ଣିମା, କାର୍ତ୍ତିକପୂର୍ଣ୍ଣିମା ଏବଂ ଆଷାଢ ଶୁକ୍ଳ ଏକାଦଶୀ ତିଥିରେ ମହାପ୍ରଭୁଙ୍କୁ ସୁନାବେଶ କରାଯାଏ। ପ୍ରତ୍ୟେକ ଦିନ ବିଭିନ୍ନ ବେଶରେ ଶ୍ରୀଜୀଉ ସ୍ୱର୍ଣ୍ଣ ଅଳଙ୍କାର ଲାଗି ହୋଇଥାଆନ୍ତି। ଚିତାଲାଗି ଅମାବାସ୍ୟାରେ ମହାପ୍ରଭୁ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ ଏବଂ ଦେବୀ ସୁଭଦ୍ରା ରତ୍ନଖଚିତ ଚିତାଲାଗି ହୁଅନ୍ତି। ରତ୍ନଭଣ୍ଡାରର ମୂଲ୍ୟବାନ ରତ୍ନ ପଥରକୁ ନେଇ ଭକ୍ତ ଓ ଗବେଷକଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ଲାଗି ରହିଛି। ଶ୍ରୀମନ୍ଦିର ପ୍ରଶାସନ ଏଥିନେଇ ସ୍ପଷ୍ଟ କରିବାକୁ ସାଧାରଣରେ ମତ ପ୍ରକାଶ ପାଉଛି।