ସରିଲା ୩୩ ଚକ ନିର୍ମାଣ

0

ପୁରୀ : ଶ୍ରୀଜୀଉଙ୍କ ଘୋଷଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଚାଲିଛି। ଗୁରୁବାର ସନ୍ଧ୍ୟାସୁଦ୍ଧା ତିନି ରଥର ୩୩ଗୋଟି ଚକ କାମ ଶେଷ ହୋଇଛି। ପହି ଅଭାବରୁ ଆଉ ୯ଟି ଚକ ନିର୍ମାଣ ଅଟକି ରହିଛି। ଖପୁରିଆ କରତକଳରୁ ପହି ଆସିବା ପରେ ତୁମ୍ବରେ ଅର ଓ ପହି ସଂଯୋଗ କରାଯାଇ ଚକ ନିର୍ମାଣ ଶେଷ ହେବ। ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ, ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ନିମନ୍ତେ ୪୨ଗୋଟି ଚକ ଦରକାର । ସେଥିରୁ ନନ୍ଦିଘୋଷର ୧୨, ତାଳଧ୍ୱଜ ୧୨ ଏବଂ ଦର୍ପଦଳନ ପାଇଁ ୯ଟି ଚକ ନିର୍ମାଣ ସରିଛି । ତୁମ୍ବ, ଅର, ପହି, କଣଗୁଜ, ଓରା, ମୁହାଣ୍ଟ, ନିରାଡି ଏବଂ ୩ଗୋଟି ଅଖ ନିର୍ମାଣ ଶେଷ ହୋଇଥିବା ଦର୍ପଦଳନ ରଥ ମୁଖ୍ୟ ବିଶ୍ୱକର୍ମା କୃଷ୍ଣଚନ୍ଦ୍ର ମହାରଣା ସୂଚନା ଦେଇଛନ୍ତି। ଗୁରୁବାର ଗୋଟିଏ ନାହାକା ନିର୍ମାଣ କରାଯାଇଛି। ପ୍ରତି ରଥରେ ୪ଟି ଲେଖାଏଁ ନାହାକା ଉଠିବାର ବିଧି ରହିଛି। ଧଉଁରା ଓ ସାହାଜ କାଠରେ ଚଉତା କାମ ସରିଥିବାରୁ ଶୁକ୍ରବାରଠାରୁ ଭୂଇଁ ନିର୍ମାଣ ଆରମ୍ଭ ହେବ। ରଥ ସିଂହାସନ ତଳ କାଠ ଚଉପଟ କରାଯାଉଛି। ରୂପକାର ସେବକ କଣଗୁଜରେ ନୃସିଂହ ମୂର୍ତ୍ତି ଖୋଦେଇ ଏବଂ କମାର ସେବକ ରଥ ନିର୍ମାଣ ପାଇଁ କଣ୍ଟାକବ୍‍ଜା ପ୍ରସ୍ତୁତ କରୁଛନ୍ତି। ନିର୍ମାଣ ସରିଥିବା ୩୩ଟି ଚକରେ ଠେକ କରାଯିବା ସହ ପନ୍ଦାରୀ ଓ ଲୁହାବଳା ଲଗାଯାଇଛି। ରଥକନା କିଣିବା ପାଇଁ ବୟନିକା ସମେତ ଗୁଜୁରାଟର ଏକ ସଂସ୍ଥାଠାରୁ ମିଳିଥିବା କନା ନମୂନା ଯାଞ୍ଚ କରାଯାଉଛି । ଓଡ଼ିଶା ସମବାୟ କତା ନିଗମଠାରୁ ରଥ ଦଉଡି କିଣାଯିବ । ରଥ କନକମୁଣ୍ଡି ଉପରେ ଆବରଣ ଦିଆଯିବାକୁ ସ୍ଥିର ହୋଇଛି । ଶ୍ରୀଜୀଉଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ମନ୍ଦିର ପ୍ରଶାସନ ଚନ୍ଦନକାଠ, ବାସୁଙ୍ଗାପାଟ, ଝୁଣା, ବନକଲାଗି, ବିଜେଡୋରି, ଲାଗିଲୁଗା, ଝୁମ୍ପା, ବାରଲାଗି ପାଟ ଓ କସ୍ତୁରୀ ସଂଗ୍ରହ କରୁଛି। ଶ୍ରୀଜୀଉଙ୍କ ଦେବସ୍ନାନ ପୂର୍ଣ୍ଣିମାଠାରୁ ନବଯୌବନ ଦର୍ଶନ, ଶ୍ରୀଗୁଣ୍ଡିଚା, ହେରାପଞ୍ଚମୀ, ସନ୍ଧ୍ୟାଦର୍ଶନ, ବାହୁଡା, ହରିଶୟନ ଏକାଦଶୀ ସୁନାବେଶ, ଅଧରପଣା ଭୋଗ ଏବଂ ନୀଳାଦ୍ରି ବିଜେ ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ନୀତିନିର୍ଘଣ୍ଟ ପ୍ରସ୍ତୁତ କରିବ। ଛତିଶା ନିଯୋଗ ଏବଂ ପରିଚାଳନା କମିଟି ବୈଠକରେ ତାହାକୁ ଅନୁମୋଦନ କରାଯିବ ବୋଲି ପ୍ରଶାସକ (ନୀତି) ପ୍ରଦୀପ କୁମାର ଦାଶ ପ୍ରକାଶ କରିଛନ୍ତି । ରଥ ନିର୍ମାଣ କାର୍ଯ୍ୟରେ ଅଗ୍ରଗତି ହୋଇଥିବା ସେ ମତ ଦେଇଛନ୍ତି ।

Leave A Reply