ରଥରେ ପ୍ରଥମ ଭୂଇଁ ଉଠିଲା

ପୁରୀ : ନିର୍ମାଣାଧୀନ ରଥରେ ରବିବାର ପ୍ରଥମ ଭୂଇଁ ଉଠିଛି। ଦ୍ବିତୀୟ ଭୂଇଁ ପ୍ରସ୍ତୁତ ହୋଇ ରହିଛି। ତୃତୀୟ ଭୂଇଁ ନିମନ୍ତେ ଚଉତା କାର୍ଯ୍ୟ ଚାଲିଛି। ଏହାପରେ ଚଉଦ ନାହାକା ଉଠିବ ବୋଲି ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ମୁଖ୍ୟ ମହାରଣା କୃଷ୍ଣଚନ୍ଦ୍ର ମହାରଣା କହିଛନ୍ତି। ଦେବସ୍ନାନ ପୂର୍ଣ୍ଣିମା ତିଥିରେ ଚାରିନାହାକା ଉଠିଥିଲା। ରବିବାର ପ୍ରଥମ ଭୂଇଁ ସମେତ ଛ’କାଠ ଉଠିଥିବା ସେ କହିଛନ୍ତି। ଶ୍ରୀଜୀଉଙ୍କ ରଥଯାତ୍ରା ଆଉ ୧୦ଦିନ ବାକିଥିବାରୁ ରଥ ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ ହୋଇଛି। ଚକରେ ଅଖ ସଂଯୋଗ ପରେ ଦଣ୍ଡା ପକାଯାଇଛି। ମୁହାଣ୍ଟ, ଗୁଜ ଏବଂ କୁଡୁକା ସଂଯୋଗ କରାଯାଇଛି। ନିରାଡି ଉଠାଯିବା ସହ ଗୟଳ ମୋଡାଯାଇଛି। ମହାରଣା ଓ ଭୋଇ ସେବକ ତିନିରଥରେ ପ୍ରଥମ ଭୂଇଁ ଉଠାଇଛନ୍ତି।
ନିର୍ଦ୍ଧାରିତ ସମୟରେ ରଥ ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ଶ୍ରୀ ମହାରଣା ପ୍ରକାଶ କରିଛନ୍ତି। ରଥ ନିର୍ମାଣ ତଦାରଖ କମିଟିର ସଭ୍ୟମାନେ ରବିବାର ରଥଖଳାକୁ ଯାଇ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି।

Comments are closed.