ରଥକାଠ ଅନୁକୂଳ ପାଇଁ ଗଲା ମାଳମାହାର୍ଦ

0

ପୁରୀ : ରଥକାଠ କାଟିବା ଅନୁକୂଳ ପୂର୍ବରୁ ବଡ଼ରାଉଳ ଠାକୁରାଣୀଙ୍କ ପୂଜାର୍ଚ୍ଚନା କରାଯିବ। ଶ୍ରୀମନ୍ଦିର ପ୍ରଶାସକ (ନୀତି) ବିଶ୍ବଜିତ ବିଶ୍ବାଳ ସୋମବାର ଶ୍ରୀଜୀଉଙ୍କ ଶ୍ରୀଅଙ୍ଗଲାଗି ମାଳ, ମାହାର୍ଦ୍ଦ, ନଡିଆ ସହ ନୟାଗଡ ଯାଇଛନ୍ତି। ପରମ୍ପରା ଅନୁଯାୟୀ ବଡ଼ରାଉଳ ଠାକୁରାଣୀଙ୍କୁ ପୂଜାର୍ଚ୍ଚନା ପରେ ରଥକାଠ କଟା ଅନୁକୂଳ ହେବ। ରଥ ନିର୍ମାଣ ପାଇଁ ୬୮୫ଖଣ୍ଡ କାଠ ଆବଶ୍ୟକ ରହିଛି। ଚଳିତବର୍ଷ ୬୭୦ଖଣ୍ଡ ଅସନ, ଧଅଁରା ଓ ଫାସିକାଠ ଯୋଗାଇବାକୁ ନୟାଗଡ ବନଖଣ୍ଡ ଅଧିକାରୀଙ୍କୁ ଚିଠି ଲେଖାଯାଇଛି। ନୀତି ପ୍ରଶାସକଙ୍କ ସହ ବରିଷ୍ଠ ତତ୍ତ୍ବାବଧାରକ ସୁଦର୍ଶନ ମେକାପ, ରଥକାଠ ଅମିନ ଲକ୍ଷ୍ମଣ ମହାରଣା, ଭୋଇ ସର୍ଦାର ରବି ଭୋଇ ଯାଇଛନ୍ତି। ମଙ୍ଗଳବାର ମା’ବଡ଼ରାଉଳ ଠାକୁରାଣୀଙ୍କୁ ମାଜଣା କରାଯିବା ସଙ୍ଗେ ସଙ୍ଗେ ଶ୍ରୀଜୀଉଙ୍କ ମାଳମାହାର୍ଦ୍ଦ ଲାଗି କରାଯିବ। ମା’ଙ୍କୁ ପୂଜାର୍ଚ୍ଚନା ପରେ ରଥକାଠ କଟାଗଲେ କୌଣସି ବିଘ୍ନ ହୁଏନାହିଁ ବୋଲି ସ୍ଥାନୀୟ ଲୋକଙ୍କ ବିଶ୍ବାସ ରହିଛି। ଚଳିତବର୍ଷ ରଥ ନିର୍ମାଣ ପାଇଁ ନୟାଗଡ ଓ ଦଶପଲା ବନଖଣ୍ଡରୁ କାଠ ସଂଗ୍ରହ କରାଯିବା ପ୍ରସ୍ତାବ ରହିଛି।

Leave A Reply