ବର୍ଷା ବୁଡ଼ାଇଲା ବେପାର

0

ବର୍ଷା ବୁଡାଇଲା ରଥଯାତ୍ରା ବେପାର। ତିନିଦିନ ହେଲା ହାତବାନ୍ଧି ବସିଛନ୍ତି ବ୍ୟବସାୟୀ। ଶ୍ରୀଗୁଣ୍ଡିଚା ମନ୍ଦିର ନିକଟସ୍ଥ ଜାତୀୟ ପଲ୍ଲିଶ୍ରୀ ମେଳାରେ ଆଣ୍ଠୁଏ ଉଚ୍ଚର ପାଣି ଜମାହୋଇ ରହିଛି। ମେଳାଭିତରେ ପଶିବାକୁ ରାସ୍ତା ନାହିଁ। ୨୫୫ ବିକ୍ରୟ କେନ୍ଦ୍ର ବନ୍ଦହୋଇ ରହିଛି। ଦି’ପଇସା ରୋଜଗାର ଉ​‌େ​‌ଦ୍ଦଶ୍ୟରେ ଟ୍ରକ ଟ୍ରକ ଜିନିଷପତ୍ର ନେଇ ୧୭ଟି ରାଜ୍ୟରୁ ଆସିଥିବା ବ୍ୟବସାୟୀ ଗଭୀର ଚିନ୍ତାରେ ପଡିଛନ୍ତି। ମୋଟରପମ୍ପ ଲଗାଇ ଯେତେ ଜଳନିଷ୍କାସନ କଲେ ମଧ୍ୟ ବର୍ଷା ଛାଡୁନାହିଁ। ଅଧିକାଂଶ ଦୋକାନୀ ଏପର୍ଯ୍ୟନ୍ତ ଅନୁକୂଳ କରିନାହାନ୍ତି। ଚଳିତବର୍ଷ ପଲ୍ଲିଶ୍ରୀ ମେଳାରେ ପ୍ରାୟ ୧୦ କୋଟି ଟଙ୍କା ବ୍ୟବସାୟ ଟାର୍ଗେଟ ରହିଛି। ୨୫୫ ହସ୍ତତନ୍ତ ଓ ହସ୍ତଶିଳ୍ପ ଷ୍ଟଲ ସମେତ ମିନାବଜାର ଖୋଲାଯାଇଛି। ଓରମାସ ପକ୍ଷରୁ ଭୋଳାନାଥ ବିଦ୍ୟାପୀଠରେ ଆୟୋଜନ କରାଯାଇଛି ପଲ୍ଲିଶ୍ରୀ ମେଳା। ବର୍ଷାକୁ ଦୃଷ୍ଟିରେ ରଖି ବାଲି ପକାଯାଇଥିଲେ ମଧ୍ୟ ଏତେବର୍ଷା ହୋଇଛି ଯେ ତାହା କାମ ଦେଇନାହିଁ। ଯଦି ଏପରି ଅବସ୍ଥା ଲାଗିରୁହେ ତାହାଲେ ଲାଭ ପରିବର୍ତ୍ତେ ମୂଳପୁଞ୍ଜି ବୁଡିଯିବାର ଆଶଙ୍କା ପ୍ରକାଶ ପାଇଛି। କେତେକ ଷ୍ଟଲ ଭିତରେ ବର୍ଷାପାଣି ପଶିଯିବା ସହ ଲକ୍ଷାଧିକ ଟଙ୍କାର ଜିନିଷ ନଷ୍ଟ ହୋଇଛି।
ଶରଧାବାଲି ଦୁଇପାର୍ଶ୍ବରେ ଖୋଲିଥିବା ଶତାଧିକ ବ୍ୟବସାୟିକ ଷ୍ଟଲ (ବିକ୍ରୟକେନ୍ଦ୍ର) ଗୁଡିକର ଦୁରବସ୍ଥା ଦେଖିବାକୁ ମିଳିଛି। ପୌରସଂସ୍ଥା ଇଜିରାଦାରଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଦେଇ ଦେଶର ଅନେକ ନାମିଦାମୀ କମ୍ପାନୀ ଷ୍ଟଲଭଡା ନେଇଛନ୍ତି। ଗୋଟିଏ ଲେଖାଏଁ ଷ୍ଟଲକୁ ୩ରୁ ୫ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡିଛି। ଶ୍ରୀଗୁଣ୍ଡିଚା ପୂର୍ବଦିନଠାରୁ ବର୍ଷା ଲାଗିରହିବା ଯୋଗୁଁ ଷ୍ଟଲଗୁଡିକ ଖୋଲାଯାଇ ପାରୁ ନାହିଁ। ସେସବୁ ଭିତରେ ବର୍ଷା ଓ ନଳାପାଣି ଲହଡ଼ି ଭାଙ୍ଗୁଛି। ଗ୍ରାହକଙ୍କ ବିକ୍ରି ପାଇଁ ବଡ ବଡ ଟ୍ରକରେ ମୁମ୍ବାଇ, କଲକାତା ଏବଂ ଚେନ୍ନାଇରୁ ଆସିଥିବା କୋଟି କୋଟି ଟଙ୍କାର ବୈଦ୍ୟୁତିକ ସାମଗ୍ରୀ, ତେଲ ଘିଅ, ଟୁଥ୍‌ପେଷ୍ଟ, ବିସ୍କୁଟ, ଚାହା, ପ୍ଲାଷ୍ଟିକ ବାଲଟି, ଖାଦ୍ୟ ମସଲା, ଧୂପକାଠି, ସାବୁନ, ମ୍ୟାଗି ପ୍ରଭୂତି ପାଲ ଘୋଡାହୋଇ ରହିଛି। ବର୍ଷା ଛାଡୁନଥିବାରୁ ଷ୍ଟଲରେ ବ୍ୟାନର ଲଗାଯାଇ ପାରୁନାହିଁ। ବିଦ୍ୟୁତ ସଂଯୋଗ ଦେବାକୁ ସେସୁ ସାହସ କରୁନାହଁ। ଏଥିଯୋଗୁଁ ଷ୍ଟଲଭଡା ନେଉଥିବା ସଂସ୍ଥା ଗୁଡିକ କୋଟି କୋଟି ଟଙ୍କା କ୍ଷତି ସହିବାର ସମ୍ଭାବନା ରହିଛି।
ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ବଡ଼ଦାଣ୍ଡରେ ଖୋଲାଆକାଶ ତଳେ ବସି ଦୁଇପଇସା ରୋଜଗାର କରି ପରିବାର ଭରଣପୋଷଣ କରୁଥିବା କ୍ଷୁଦ୍ର ବିକାଳୀମାନେ। ଶରଧାବାଲିରେ ବସି ବେପାର କରିବାକୁ ଇଜିରାଦାର ଦିନକୁ ୧୦୦ଟଙ୍କା ଭଡା ନେଉଛି। କିନ୍ତୁ ସେତକ ମଧ୍ୟ ଉଠୁନାହିଁ। ତୁହାକୁ ତୁହା ବର୍ଷାଯୋଗୁଁ ଭକ୍ତଙ୍କ ସଂଖ୍ୟା ଯଥେଷ୍ଟ ହ୍ରାସପାଇଛି। ଏଥିଯୋଗୁଁ ଚାଟ୍‌, ଗୁପଚୁପ୍‌, ଚାଓମିନ, ଜଳଖିଆ, ଦହିବରା, ଦୋଷା, ନଡିଆ, ଦୀପ, ବେଲୁନ ଓ ଖେଳଣା ଦୋକାନୀମାନେ ମନଦୁଃଖରେ ବସିଛନ୍ତି। ମିନା ବଜାରରେ ମଧ୍ୟ ସେହି ସମାନ ପରିସ୍ଥିତି ଦେଖିବାକୁ ମିଳିଛି। ଦୋଳି, ଚକ୍ରି, ମତ୍‌କା କୁଅଁା ଆୟୋଜନ କରିଥିବା ବ୍ୟବସାୟୀମାନେ ବର୍ଷାଛାଡିବାକୁ ଅପେକ୍ଷା କରିଛନ୍ତି। (ପୁରୀ, ନି.ପ୍ର)

Leave A Reply