ଫଟୋ ପ୍ରଦର୍ଶନୀରେ ଭକ୍ତଙ୍କ ଭିଡ଼

0

ପୁରୀ: ରଥଯାତ୍ରା ପାଇଁ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଶରଧାବାଲିରେ ଆୟୋଜନ କରାଯାଇଛି ଫଟୋ ପ୍ରଦର୍ଶନୀ। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଆକର୍ଷଣୀୟ ଫଟୋ ଗୁଡିକ ସେଥିରେ ସ୍ଥାନ ପାଇଛି। ତାହାକୁ ଦେଖିବା ପାଇଁ ଭକ୍ତଙ୍କ ମଧ୍ୟରେ ଉତ୍କଣ୍ଠା ପରିଲକ୍ଷିତ ହୋଇଛି। ଶ୍ରୀଜଗନ୍ନାଥଙ୍କ ନବକଳେବର ସମେତ ଦର୍ଶନୀୟ ସ୍ଥାନ ସମ୍ପର୍କରେ ଅନେକ ଫଟୋ ପ୍ରଦର୍ଶିତ ହୋଇଛି। ରାଜ୍ୟ ସରକାରଙ୍କ ୧୮ବର୍ଷର ସଫଳତା ସମ୍ପର୍କିତ କେତେକ ଫଟୋ ପ୍ରଦର୍ଶନୀରେ ରଖାଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଆଇନ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରତାପ କୁମାର ଜେନା ପ୍ରଦର୍ଶନୀ ଉଦ୍‌ଘାଟନ କରିଛନ୍ତି। ସେ କହିଲେ ଏହି ପ୍ରଦର୍ଶନୀ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରରେ ସହାୟକ ହୋଇପାରିବ। ଶୃଙ୍ଖଳିତ ରଥଯାତ୍ରା ଏବଂ ଭକ୍ତଙ୍କ ନିରାପତ୍ତା ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ ବୋଲି ଶ୍ରୀ ଜେନା କହିଛନ୍ତି। ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବ ହେମନ୍ତ ଶର୍ମା, ନିର୍ଦେଶକ ଲକ୍ଷ୍ମୀଧର ମହାନ୍ତି, ଯୁଗ୍ମ ନିର୍ଦେଶକ ନିରଞ୍ଜନ ସେଠୀ, ଉପନିର୍ଦେଶକ ବିପିନ ବିହାରୀ ବାରିକ, ପ୍ରଦର୍ଶନୀ ଅଧିକାରୀ ରବୀନ୍ଦ୍ର କୁମାର ନାୟକ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମାନସ ରଞ୍ଜନ ବିଶ୍ବାଳ ଉଦ୍‌ଘାଟନୀ ସମାରୋହରେ ଉପସ୍ଥିତ ଥିଲେ। ସେହିପରି ଠାକୁରଙ୍କ ଦୈନନ୍ଦିନ ରୀତିନୀତି ସମ୍ପର୍କରେ ଭକ୍ତଙ୍କୁ ଅବଗତ କରାଇବା ପାଇଁ ସହରର ୧୧ଟି ସ୍ଥାନରେ ସୂଚନା କେନ୍ଦ୍ର ଖୋଲାଯାଇଛି। ସେଠାରେ ପାଲା, ଦାସକାଠିଆ, ଘୋଡାନାଚ ପରିବେଷଣ କରାଯାଉଛି।
ହଜିବା ଓ ଖୋଜିବା ଲୋକଙ୍କ ସମ୍ପର୍କରେ ସୂଚନା ଦିଆଯାଉଛି। ଏଥିସହ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପ୍ରକାଶିତ ଉତ୍କଳ ପ୍ରସଙ୍ଗ, ଓଡ଼ିଶା ରିଭ୍ୟୁ ଏବଂ ଶ୍ରୀଜଗନ୍ନାଥ ଜଣାଣ ପୁସ୍ତକ ସୁଲଭ ମୂଲ୍ୟରେ ଭକ୍ତଙ୍କୁ ବିକ୍ରି କରାଯାଉଛି।

Leave A Reply