ଚାରି ନାହାକାରେ ବିନ୍ଧ ଅନୁକୂଳ

0

ପୁରୀ : ଶ୍ରୀଜୀଉଙ୍କ ରଥ ନିର୍ମାଣ ପାଇଁ ସୋମବାର ଚାରି ନାହାକାରେ ବିନ୍ଧ ଅନୁକୂଳ କରାଯାଇଛି। ନାହାକା ଉପରେ ମାଳ ଓ ମାହାର୍ଦ ରଖି ମହାରଣା ସେବକ ଅନୁକୂଳ କାର୍ଯ୍ୟ ସମ୍ପନ୍ନ କରିଛନ୍ତି। ତିନି ରଥପାଇଁ ୧୨ଟି ନାହାକା ନିର୍ମାଣ କରାଯାଇଛି। ପ୍ରତି ରଥରେ ଚାରି ନାହାକା ଉଠିବ। ଧଉଁରା ଓ ସାହାଜ କାଠରେ ନାହାକା ପ୍ରସ୍ତୁତ ହୋଇଛି। ରଥ ନିର୍ମାଣରେ ନାହାକା ଗୁଡିକର ଭୂମିକା ଗୁରୁତ୍ୱପୂର୍ଣ୍ଣ। ମୁହାଣ୍ଟରେ ବିନ୍ଧ ପାଇଁ ସୂତା ବାଡାଯାଇଛି। ନନ୍ଦିଘୋଷ ରଥ ନିମନ୍ତେ ପୋଟଳ ପାରେଣି ନିର୍ମାଣ ଆରମ୍ଭ ହୋଇଛି। ତିନି ରଥର ଯୋଖା ନିର୍ମାଣ ଚାଲିଛି। ଚଉତା କାଠରେ ଭୂଇଁ ନିର୍ମାଣ ପାଇଁ ଚିହ୍ନ ଦିଆଯାଇଛି। ଗରଗରା ନିର୍ମାଣରେ ମହାରଣା ଲାଗି ପଡିଛନ୍ତି। ସିଂହାସନ ତଳେ ପଟା ପକାଯିବା ପାଇଁ କାଠ ପ୍ରସ୍ତୁତ କରାଯାଉଛି। ୧୨ଟି ନିରାଡି ନିର୍ମାଣ ଶେଷ ହୋଇଛି। ଓରା ଗୁଡିକୁ ସୁରକ୍ଷିତ ସ୍ଥାନରେ ରଖାଯାଇଛି।
ତିନି ରଥର ୪୨ଚକ ମଧ୍ୟରୁ ୩୯ଟି ନିର୍ମାଣ ସରିଛି। ରଥ ନିର୍ମାଣ ତଦାରଖ କମିଟି ଏବଂ ପୂର୍ତ୍ତ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟକୁ ରଥ ମହାରଣା ବିରୋଧ କରିଛନ୍ତି। ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନାଙ୍କୁ ସୋମବାର ସାକ୍ଷାତ କରି ଅଭିଯୋଗ କରିଛନ୍ତି। ଦର୍ପଦଳନ ରଥର ଗୋଟିଏ ଚକ ଠିକ୍‍ ଥିବାବେଳେ ରବିବାର ପୂର୍ତ୍ତ ନିର୍ବାହୀ ଯନ୍ତ୍ରୀ ତାହାକୁ ବାତିଲ କରିଥିଲେ। ଆଉଏକ ଚକ ନିର୍ମାଣ ପାଇଁ ଯନ୍ତ୍ରୀ ପରାମର୍ଶ ଦେଇଥିଲେ। ବିବାଦର ସମାଧାନ ପାଇଁ ଆଲୋଚନା କରାଯିବ ବୋଲି ମୁଖ୍ୟ ପ୍ରଶାସକ ପ୍ରତିଶ୍ରୁତି ଦେଇଛନ୍ତି। ଅବଶିଷ୍ଟ ୩ଟି ଚକ ନିର୍ମାଣ ନିମନ୍ତେ ୧୨ଟି ପହି ଆସି ପହଞ୍ଚିଛି। ମହାରଣା ସେଥିରେ ବିନ୍ଧ କରୁଛନ୍ତି। କଣଗୁଜରେ ନୃସିଂହ ମୂର୍ତ୍ତି ଖୋଦେଇ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମହାରଣା, ରୂପକାର, କମାର ଏବଂ ଭୋଇ ସେବକ ରଥ ନିର୍ମାଣରେ ଲାଗିଛନ୍ତି। ଦରଜି ସେବକଙ୍କ ଦ୍ୱାରା ରଥକନା ସିଲେଇ କରାଯିବ।

Leave A Reply