ଶରଧାବାଲିରେ ତାଳଧ୍ୱଜ ଓ ଦର୍ପଦଳନ, ବଳଗଣ୍ଡି ଛକରେ ନନ୍ଦିଘୋଷ

0

ପୁରୀ : ଶ୍ରୀମନ୍ଦିର ସେବାନୀତିକୁ ନେଇ ସୁପ୍ରିମକୋର୍ଟରେ ମାମଲା ରୁଜ୍ଜୁ ହେବା ପରେ ଚଳିତ ରଥଯାତ୍ରାରେ ଏହାର ପ୍ରଭାବ ପଡ଼ିବା ନେଇ ଭକ୍ତଙ୍କ ମଧ୍ୟରେ ଆଶଙ୍କା ଜାତ ହୋଇଥିଲା; କିନ୍ତୁ ସବୁ ଆଶଙ୍କାର ପରିସମାପ୍ତି ଘଟାଇ ସ୍ବୟଂ ଜଗନ୍ନାଥ ଯେପରି ତାଙ୍କର ଘୋଷଯାତ୍ରାକୁ ସମ୍ପୂର୍ଣ୍ଣ ସହଜ ଓ ସରଳ କରିଦେଲେ। ନିର୍ଦ୍ଧାରିତ ସମୟରେ ସମସ୍ତ ନୀତିକାନ୍ତି ଶେଷ ହେଲା। ଗତ କିଛିବର୍ଷର ରେକର୍ଡ ଭାଙ୍ଗି ପ୍ରାୟ ଦେଢ଼ଘଣ୍ଟା ପୂର୍ବରୁ ଆରମ୍ଭ ହେଲା ପବିତ୍ର ଘୋଷଯାତ୍ରାର ରଥଟଣା।
ନବଦିନ ବ୍ୟାପୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ଜଗନ୍ନାଥମୟ ହୋଇଛି ଶ୍ରୀକ୍ଷେତ୍ରର ପବିତ୍ର ବଡ଼ଦାଣ୍ଡ। ଭକ୍ତ ଓ ଭଗବାନ ଏକାକାର ହୋଇଛନ୍ତି। ଭାଇଭଉଣୀଙ୍କୁ ସାଥୀରେ ଧରି ଘୋଷଯାତ୍ରା କରିଛନ୍ତି ଶ୍ରୀଜଗନ୍ନାଥ ମହାପ୍ରଭୁ। ଲୋକାରଣ୍ୟ ହୋଇଛି ସମଗ୍ର ପୁରୀ ସହର। ପ୍ରାୟ ୧୦ଲକ୍ଷ ଭକ୍ତଙ୍କ ସମାଗମ ହୋଇଛି। ନିର୍ଦ୍ଧାରିତ ସମୟର ଦେଢଘଣ୍ଟା ପୂର୍ବରୁ ହୋଇଛି ରଥଟଣା। ଭକ୍ତଙ୍କ ଭାବ ଓ ଭକ୍ତିରେ ଉଛୁଳିଛି ବଡ଼ଦାଣ୍ଡ। ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହୋଇଛି ଶ୍ରୀଗୁଣ୍ଡିଚା ଯାତ୍ରା। ସନ୍ଧ୍ୟା ସୁଦ୍ଧା ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଛି ତାଳଧ୍ୱଜ ଓ ଦର୍ପଦଳନ ରଥ। ବଳଗଣ୍ଡି ଛକରେ ଅଟକିଛି ନନ୍ଦିଘୋଷ। ରଥରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ ଏବଂ ଦେବୀ ସୁଭଦ୍ରା। ଚକ୍ରରାଜ ଶ୍ରୀସୁଦର୍ଶନଙ୍କ ସମେତ ମଦନମୋହନ ଓ ରାମକୃଷ୍ଣଙ୍କୁ ରଥରେ ବିଜେ କରାଯାଇଛି। ୭ଦିନ ଧରି ଜନ୍ମବେଦୀରେ ଅବସ୍ଥାନ କରିବେ
ଦାରୁବ୍ରହ୍ମ। ସକାଳଧୂପରେ ଖେଚୁଡି ଖାଇ ରଥକୁ ବିଜେ କରିଥିଲେ କାଳିଆଠାକୁର। ଶ୍ରୀମସ୍ତକରେ ଶୋଭା ପାଉଥିଲା ଆକର୍ଷଣୀୟ ଟାହିଆ। ଶାସ୍ତ୍ରୀୟ ବିଧିବ୍ୟବସ୍ଥା ଅନୁଯାୟୀ ପ୍ରଥମେ ଶ୍ରୀସୁଦର୍ଶନ ରଥକୁ ବିଜେ କରିଥିଲେ। ଏହାପରେ ଦେବୀ ସୁଭଦ୍ରା, ପ୍ରଭୁ ଶ୍ରୀବଳଭଦ୍ର ଏବଂ ଶ୍ରୀଜଗନ୍ନାଥ ଧାଡ଼ି ପହଣ୍ଡିରେ ରଥାରୂଢ ହୋଇଥିଲେ। ଶ୍ରୀଜୀଉଙ୍କୁ ଚିତାଲାଗି କରାଯିବା ସହ ବେଶ କରାଯାଇଥିଲା। ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ ତିନିରଥ ଉପରେ ଛେରାପହଁରା କରିଥିଲେ। ଗୋବର୍ଦ୍ଧନପୀଠ ଶଙ୍କରାଚାର୍ଯ୍ୟ ଜଗତ୍‍ଗୁରୁ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିଥିଲେ। ରଥରୁ ଚାରମାଳ ଫିଟାଯାଇ ଘୋଡା ଓ ସାରଥି ଲଗାଯାଇଥିଲା। ନିର୍ଦ୍ଧାରିତ ସମୟର ଦେଢଘଣ୍ଟା ପୂର୍ବରୁ ଦିନ ୨ଟା ୩୫ରେ ଆରମ୍ଭ ହୋଇଥିଲା ରଥଟଣା। ପ୍ରଥମେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ଏହାପରେ ସୁଭଦ୍ରାଙ୍କ ଦର୍ପଦଳନ ଏବଂ ଶେଷରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଲକ୍ଷାଧିକ ଭକ୍ତ ପ୍ରବଳ ଉତ୍କଣ୍ଠାର ସହ ଟାଣିଥିଲେ। ଜୟ ଜଗନ୍ନାଥ ଧ୍ୱନି, ହରିବୋଲ ହୁଳହୁଳିରେ ପ୍ରକମ୍ପିତ ହୋଇଥିଲା ବଡ଼ଦାଣ୍ଡ। ଜନଗହଳି ଭିତରେ ଶ୍ୱାସରୁଦ୍ଧ ହୋଇ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ତାଙ୍କର ପରିଚୟ ମିଳିପାରି ନାହିଁ। ଜିଲା ସଦର ହାସପାତାଳରେ ମୃତକଙ୍କ ଶବ ରଖାଯାଇଛି। ମୋଟାମୋଟି ଭାବେ ଶାନ୍ତିଶୃଙ୍ଖଳାର ସହ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ନବଦିନ ବ୍ୟାପୀ ପାବନ ରଥଯାତ୍ରା।
ଆସନ୍ତାକାଲି ସକାଳେ ଯଦି ନନ୍ଦିଘୋଷ ରଥକୁ ଶରଧାବାଲିରେ ପହଞ୍ଚାଇ ଦିଆଯାଏ, ତେବେ ସନ୍ଧ୍ୟାରେ ଗୁଣ୍ଡିଚା ମନ୍ଦିରକୁ ପ୍ରବେଶ କରିବେ ତିନିଠାକୁର। ତେବେ ଏ ନେଇ ପ୍ରଶାସନ ନିଷ୍ପତ୍ତି ନେଇନଥିବା ଜଣାପଡ଼ିଛି। ଆଜି ଶ୍ରୀକ୍ଷେତ୍ରରେ ପହଞ୍ଚି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‍ ବିନିତ ଶରଣ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଶା ବିଧାନସଭା ବାଚସ୍ପତି ପ୍ରଦୀପ ଅମାତ, ରାଜସ୍ୱମନ୍ତ୍ରୀ ମହେଶ୍ୱର ମହାନ୍ତି, ଆଇନମନ୍ତ୍ରୀ ପ୍ରତାପ କୁମାର ଜେନା, ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ପଞ୍ଚାୟତିରାଜମନ୍ତ୍ରୀ ପ୍ରଦୀପ ମହାରଥୀ, ପର୍ଯ୍ୟଟନମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂ, ପ୍ରମୁଖ ଶ୍ରୀଜୀଉଙ୍କ ରଥଯାତ୍ରା ଦର୍ଶନ କରିଛନ୍ତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର, କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ଡି.ଭି.ଭି ସ୍ୱାମୀ, ଜିଲାପାଳ ଅରବିନ୍ଦ ଅଗ୍ରୱାଲ, ରାଜ୍ୟ ପୁଲିସ ମହାନିର୍ଦେଶକ ଡଃ ରାଜେନ୍ଦ୍ର ପ୍ରସାଦ ଶର୍ମା, କେନ୍ଦ୍ରାଞ୍ଚଳ ପୁଲିସ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଏବଂ ଜିଲା ଆରକ୍ଷୀ ଅଧିକ୍ଷକ ଡାକ୍ତର ସାର୍ଥକ କୁମାର ଷଡ଼ଙ୍ଗୀ ରଥଯାତ୍ରା ପରିଚାଳନା କରିଛନ୍ତି। ସୁରକ୍ଷା ଦାୟିତ୍ୱରେ ୧୪୨ପ୍ଲାଟୁନ ପୁଲିସ ଫୋର୍ସଙ୍କ ସମେତ ପ୍ରାୟ ୨ହଜାର ପୁଲିସ ଅଧିକାରୀ ଏବଂ ୧୨୫ ମାଜିଷ୍ଟ୍ରେଟ ନିୟୋଜିତ ହୋଇଛନ୍ତି।

Leave A Reply