ସରିଲା ରଥ ନିର୍ମାଣ

0

ପୁରୀ : ଶେଷହେଲା ରଥ ନିର୍ମାଣ। ଉଠିଲା କଳସ। କନାପକା ଆରମ୍ଭ ହେଲା। ପାର୍ଶ୍ବଦେବଦେବୀଙ୍କୁ ରଥ ଚାରିପଟେ ବିଜେ କରାଗଲା। ଏହାପରେ ତିନିରଥକୁ ଆକର୍ଷଣୀୟ ଫୁଲରେ ସଜ୍ଜିତ କରାଯିବ। ଆଗାମୀ ୧୪ତାରିଖ ଶନିବାର ଦିନ ଚତୁର୍ଦ୍ଧାମୂର୍ତ୍ତି ରଥରେ ବସି ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଘୋଷଯାତ୍ରା କରିବେ। ଅକ୍ଷୟ ତୃତୀୟା ତିଥିରେ ପରମ୍ପରା ଅନୁଯାୟୀ ରଥ ନିର୍ମାଣ ଆରମ୍ଭ ହୋଇଥିଲା। ୬୦ ମହାରଣାଙ୍କ ସମେତ ଚିତ୍ରକର, ରୂପକାର, ଦରଜି, କମାର ଏବଂ ଭୋଇସେବକ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ୧୬ଚକ ବିଶିଷ୍ଟ ନନ୍ଦିଘୋଷ, ଶ୍ରୀବଳଭଦ୍ରଙ୍କ ପାଇଁ ୧୪ଚକ ଲାଗିଥିବା ତାଳଧ୍ବଜ ଏବଂ ଦେବୀ ସୁଭଦ୍ରାଙ୍କ ନିମନ୍ତେ ୧୨ଚକ ଥିବା ଦର୍ପଦଳନ ରଥ ନିର୍ମାଣ କରାଯାଇଛି। ରଥ ନିର୍ମାଣରେ ୮୬୫ଖଣ୍ଡ ଅସନ, ଧଉଁରା, ଫାସି ଏବଂ ସାହାଜ କାଠ ବ୍ୟବହାର କରାଯାଇଛି। ବୁଧବାର ରଥ ଉପ​ରେ କଳସ ସମେତ ଶୁଆଶାରି ଲଗାଯାଇଛି। ମହାପ୍ରଭୁଙ୍କ ଉଦେଶ୍ୟରେ ସିଂହାସନ ଏବଂ ବେଦୀ ନିର୍ମିତ ହୋଇଛି। ରଥ ଅଶ୍ବ ପ୍ରସ୍ତୁତ ହୋଇ ରହିଛନ୍ତି। ତିନିରଥପାଇଁ ୧୬୮୦ ମିଟର କନା ଅଣାଯାଇଛି। ସେଥିରେ ୭୫୦ମିଟର ନାଲି, ୩୫୦ମିଟର ହଳଦିଆ, ୨୫୦ମିଟର ନୀଳ ଏବଂ ୩୦୦ମିଟର କଳାକନା ରହିଛି। ରଥମାପ ଅନୁଯାୟୀ ଦରଜି ସେବକ କନା ସିଲାଇ କରିଛନ୍ତି। ରଥର ବିଭିନ୍ନ ଅଂଶ ରଙ୍ଗ କରାଯାଇଛି। ଶୁକ୍ରବାର ନେତ୍ରୋତ୍ସବ ତିଥିରେ ତିନିରଥ ସିଂହଦ୍ବାର ସମ୍ମୁଖକୁ ନିଆଯିବ। ଏଥିପାଇଁ ଆଜ୍ଞାମାଳ ବିଜେ କରିବାର ବିଧିରହିଛି। ୧୪ଗୋଟି ରଥଟଣା ଦଉଡି ଏବଂ ୫ଟି ଘେରଦଉଡି ଆସି ପହଞ୍ଚିଛି। ଶ୍ରୀଜୀଉଙ୍କ ରଥଯାତ୍ରା ସେବାପୂଜା ପାଇଁ ଆବଶ୍ୟକୀୟ ଚନ୍ଦନକାଠ, ବାରଲାଗି ପାଟ, ବାସୁଙ୍ଗାପାଟ, ଲାଗିଲୁଗା, ଝୁଣା, ଚେହେଲି, କସ୍ତୁରୀ, ବିଜେଡୋରି ଏବଂ ବନକଲାଗି ସାମଗ୍ରୀ ମନ୍ଦିର ପ୍ରଶାସନ ସଂଗ୍ରହ କରିଛି। ଆଷାଢ ଶୁକ୍ଳ ଦ୍ବିତୀୟା ତିଥିରେ ଭାଇଭଉଣୀଙ୍କୁ ସାଥୀରେ ଧରି ଶ୍ରୀଜଗନ୍ନାଥ ନବଦିନବ୍ୟାପୀ ଘୋଷଯାତ୍ରା କରିବେ। ଏହି ବିରଳ ମୁହୂର୍ତ୍ତକୁ ଅଗଣିତ ଜଗନ୍ନାଥପ୍ରେମୀ ପ୍ରବଳ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି।

Leave A Reply