ସରିଲା ୩୮ଚକ ନିର୍ମାଣ

0

ପୁରୀ : ଶ୍ରୀଜୀଉଙ୍କ ରଥଯାତ୍ରା ପାଇଁ ୩୮ ଚକ ନିର୍ମାଣ ଶେଷ ହୋଇଛି। ନନ୍ଦିଘୋଷ ରଥର ୧୬ଟି ଚକ ମଧ୍ୟରୁ ୧୪, ତାଳଧ୍ୱଜର ୧୪ ଚକରୁ ୧୩ ଏବଂ ଦର୍ପଦଳନ ରଥର ୧୨ଟି ଚକ ମଧ୍ୟରୁ ୧୧ଟି ନିର୍ମାଣ ସରିଛି। ଖୁବ୍‍ଶୀଘ୍ର ଆଉ ୪ଟି ଚକ ନିର୍ମାଣ କରାଯିବ।
ଶନିବାର ୨ଟି ନାହାକା କାମ ଶେଷ ହୋଇଛି। ନନ୍ଦିଘୋଷ ରଥପାଇଁ ଗୋଟିଏ ଯୋକା ଏବଂ ୮ ଖମ୍ବି ନିର୍ମାଣ କରାଯାଇଛି। ଭୂଇଁ ନିମନ୍ତେ ଧଉଁରା ଓ ସାହାଜ କାଠ ଚଉପଟ କରାଯିବା ସହ ସୂତା ବାଡାଯାଇଛି। କଣଗୁଜରେ ନୃସିଂହ ମୂର୍ତ୍ତି ଖୋଦେଇ ଶେଷ ପର୍ଯ୍ୟାୟରେ ପହଞ୍ôଚଛି। ପ୍ରବଳ ଖରାଯୋଗୁଁ ଚକ ଗୁଡ଼ିକର ସୁରକ୍ଷା ନେଇ ଚିନ୍ତା ଘାରିଛି। ଚକ ଫାଟିଯିବାର ସମ୍ଭାବନା ଥିବାରୁ ଅଗ୍ନିଶମ ବିଭାଗ ଦ୍ୱାରା ସେଥିରେ ଜଳ ଢଳାଯିବାକୁ ଦର୍ପଦଳନ ରଥ ମୁଖ୍ୟ ବିଶ୍ୱକର୍ମା କୃଷ୍ଣଚନ୍ଦ୍ର ମହାରଣା ପରାମର୍ଶ ଦେଇଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ମଜୁରି ବୃଦ୍ଧି ଦାବି ଗ୍ରହଣ କରୁନଥିବାରୁ ମହାରଣାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ଶନିବାର କମାର ସେବକ ରଥ ଚକରେ କଣ୍ଟା ବାଡେଇବା ଅନୁକୂଳ କରିଛନ୍ତି। ଗୋଟିଏ ତୁମ୍ବ ସମେତ ୩୦ଟି ପହିରେ ଫାଟ ଦେଖାଦେବାରୁ ଚକ ନିର୍ମାଣ ବିଳମ୍ବ ହୋଇଛି। ଖରାଦାଉରୁ ଚକ ଗୁଡ଼ିକର ସୁରକ୍ଷା ପାଇଁ ନଡିଆ ବରଡା ଚାଞ୍ଚ ଘୋଡା ଯାଇଥିଲେ ମଧ୍ୟ ତାହା ଯଥେଷ୍ଟ ହେଉନାହିଁ। ଅଧିକ ଚକ ଫାଟିବାର ସମ୍ଭାବନା ଥିବାରୁ ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା କରାଯିବାକୁ ଦାବି ହେଉଛି। ରଥ ସିଂହାସନ ତଳ କାଠ ପ୍ରସ୍ତୁତ କରାଯାଇଛି। ରଥ ନିର୍ମାଣ ପାଇଁ ଭୋଇ ସେବକ ମହାରଣାଙ୍କୁ କାଠ ଯୋଗାଉଥିବା ବେଳେ କମାର କଣ୍ଟାକବ୍‍ଜା ପ୍ରସ୍ତୁତ କରୁଛନ୍ତି।

Leave A Reply