ବଳାତ୍କାର ପୀଡ଼ିତା ଛାତ୍ରୀଙ୍କ ଆତ୍ମହତ୍ୟା

0

ସମ୍ବଲପୁର : ଏକ ଅଭାବନୀୟ ଘଟଣାକ୍ରମରେ ଗଣବଳାତ୍କାରର ଶିକାର ହୋଇଥିବା ସମ୍ବଲପୁୁର ଜିଲା ଶାସନ ଅଞ୍ଚଳର ନବମ ଶ୍ରେଣୀ ଛାତ୍ରୀ ବୁଧବାର ସନ୍ଧ୍ୟାରେ ଆତ୍ମହତ୍ୟା କରିଛନ୍ତି। ଗଣଧର୍ଷଣର ଶିକାର ହେବାର ମାତ୍ର ୨୧ ଦିନ ପରେ ଛାତ୍ରୀ ଜଣକ ନିଜ ଜୀବନ ହାରିଛନ୍ତି। ମାନସିକ ଗ୍ଲାନି ଓ ଲୋକ ଅପବାଦ ସହି ନ ପାରି ସେ ଶେଷରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହେଉଛି। ଏହି ଘଟଣାରେ ଏସପି ସଂଜୀବ ଅରୋରା କହିଛନ୍ତି; ଆତ୍ମହତ୍ୟାର କାରଣ ଜଣାପଡ଼ିନାହିଁ।
ଏହି ଛାତ୍ରୀଙ୍କୁ ଗତ ୨ ତାରିଖ ରାତିରେ ବିଭିନ୍ନ ସ୍ଥାନକୁ ନେଇ ୪ ଥର ଗଣ ବଳାତ୍କାର କରାଯାଇଥିଲା। ପୁଲିସ ଏହି ଘଟଣାରେ ଜଣେ ନାବାଳକ ସହ ୬ ଅଭିଯୁକ୍ତଙ୍କୁ ଗିରଫ କରିଛି; କିନ୍ତୁ ଛାତ୍ରୀଜଣକ ଆଜି ସନ୍ଧ୍ୟା ପ୍ରାୟ ୬.୪୫ରେ ଘରେ କେହି ନ ଥିଲା ବେଳେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଛାତ୍ରୀଙ୍କ ବାପା ବ୍ୟବସାୟିକ ଉଦ୍ଦେଶ୍ୟରେ ବାହାରକୁ ଯାଇଛନ୍ତି। ଆଜି ସନ୍ଧ୍ୟାରେ ମା’ ଓ ଭଉଣୀ ଶାସନର ସାପ୍ତାହିକ ହାଟକୁ ଯାଇଥିଲେ। ମାଆ ବଜାରକୁ ବାହାରିବା ବେଳେ ତାଙ୍କ ପାଇଁ ହଳେ ଜୋତା ଆଣି ଦେବାକୁ ସେ କୁଆଡ଼େ ହସି ହସି କହିଥିଲେ। ମାଆ ଚୁଲିରେ ତରକାରୀ ବସାଇ ହାଟକୁ ବାହାରି ଥିବାରୁ ଝିଅକୁ ନଜର ରଖିବାକୁ କହି ଯାଇଥିଲେ; କିନ୍ତୁ ତରକାରୀ ପୋଡ଼ି ଗନ୍ଧ ହେବାରୁ ଘର ମାଲିକାଣି ସେଠାକୁ ଆସି ଦେଖିବା ବେଳକୁ ଛାତ୍ରୀ ଆତ୍ମହତ୍ୟା କରିଥିବା ତାଙ୍କ ନଜରରେ ପଡ଼ିଥିଲା। ଏ ସଂପର୍କରେ ଶାସନ ଥାନା ଅଧିକାରୀ ଜୟରଶ୍ମୀ ସେଠୀ କହିଛନ୍ତି ଯେ ପୀଡ଼ିିତା ଝିଅକୁ ଘରେ ଏକା ନ ଛାଡ଼ିବାକୁ ତା ବାପା-ମାଆଙ୍କୁ ପରାମର୍ଶ ଦିଆଯାଇଥିଲା। ଗତକାଲି ତା’ ମାଆ ଶାସନ ପୁଲିସ ସହାୟତାରେ ସମ୍ବଲପୁର ଆଇନ ସେବା ପ୍ରାଧିକରଣ ଓ ରେଡକ୍ରସ କାର୍ଯ୍ୟାଳୟକୁ ଯାଇ ଅନୁକମ୍ପା ରାଶି ସକାଶେ ଆବେଦନ କରିଥିଲେ। ଆଜି ଛାତ୍ରୀଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଯିବା ବେଳେ ସେହି କୋଠରୀରୁ ତାଙ୍କ ମୋବାଇଲ ଫୋନ ଜବତ କରାଯାଇଛି। ଏସପି ଶ୍ରୀ ଆରୋରା କହିଛନ୍ତି ଯେ ଛାତ୍ରୀଙ୍କୁ ବଳାତ୍କାର କରିଥିବା ସମସ୍ତ ଅପରାଧୀଙ୍କୁ ତତ୍ପରତାର ସହିତ ଗିରଫ କରି ଜେଲକୁ ପଠାଯାଇଛି। ମାତ୍ର ୧୫ ଦିନରେ ଏହି ଘଟଣାର ଅଭିଯୋଗ ଫର୍ଦ କୋର୍ଟରେ ଦାଖଲ କରାଯାଇଛି। ଫାଷ୍ଟଟ୍ରାକ୍‍ କୋର୍ଟରେ ଏହି ମାମଲାର ତ୍ୱରିତ ଶୁଣାଣି ପାଇଁ ଜିଲା ଜଜ୍‍ଙ୍କୁ ସେ ଅନୁରୋଧ ମଧ୍ୟ କରିଛନ୍ତି। ତାଙ୍କୁ ସହାୟତା ରାଶି ପ୍ରଦାନ ପାଇଁ ମଧ୍ୟ ସେ ସୁପାରିସ କରିଛନ୍ତି। ଅଭିଯୁକ୍ତମାନେ ଛାତ୍ରୀଙ୍କ ପୂର୍ବ ପରିଚିତ ବୋଲି ଏସ୍‍ପି କହିଛନ୍ତି।
ପ୍ରକାଶ ଯୋଗ୍ୟ ଯେ ଏହି ଘଟଣାରେ ଉତ୍ତରପ୍ରଦେଶ ପିଲିଭିତ ଜିଲା ପୂରୁନାପୁର ଗ୍ରାମର ମୂଳବାସିନ୍ଦା ତଥା ଟାଟା ମୋଟର୍ସ, ମାଝିପାଲିର ଅଭିଯୁକ୍ତ ଅଫଜଲ ରାଜା ଓରଫ କାର୍ତ୍ତିକଙ୍କ ସହିତ ଶାସନ ବଜାରପଡ଼ାର ଟିନୁ ସାହୁ, ହାଡ଼ୁ ପଞ୍ଚବିହାର, ଆଶୀର୍ବାଦ ବେହେରା, ଅଭିଳାଷ ପଞ୍ଚବିହାର ଓ ଜଣେ ନାବାଳକଙ୍କୁ ପୁଲିସ ଗିରଫ କରିଥିଲା।

Leave A Reply