୧୦ମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଘଟଣା : ଅଭିଯୁକ୍ତ ଅଟକ; ସନ୍ଦେହ ଘେରରେ ପ୍ରଧାନ ଶିକ୍ଷକଙ୍କ କାର୍ଯ୍ୟକଳାପ

ଲକ୍ଷ୍ମୀପୁର : କୋରାପୁଟ ଜିଲାରେ ୧୦ମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଘଟଣାର ଅଭିଯୁକ୍ତ ଗିରଫ ହୋଇଛି। ତେବେ ଯୁବକ ଜଣଙ୍କ ଲକ୍ଷ୍ମୀପୁରର ବୋଲି ଜଣାପଡ଼ିଛି। ଅଭିଯୁକ୍ତର ନାମ କୃଷ୍ଣ ବାଘ। ଖବର ପାଇ ଜିଲା ମଙ୍ଗଳ ସମ୍ପ୍ରସାରଣ ଅଧିକାରୀଙ୍କ ସହିତ ଶିଶୁ ସୁରକ୍ଷା ସଂସ୍ଥାର ଖୋଳତାଡ ଜାରି ରହିଛି।
ସୂଚନା ଅନୁଯାୟୀ, ଲକ୍ଷ୍ମୀପୁର ବ୍ଲକର ବୁର୍ଜା ଠାରେ ଜୈନିକା ୧୦ମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଥିବା ନେଇ ଶିଶୁ ସୁରକ୍ଷା ଅଧିକାର ସଂସ୍ଥାକୁ କୁଆଡ଼େ ସୂଚନା ମିଳିଥିଲା। ସୂଚନା ପାଇବା ପରେ ଜିଲା ମଙ୍ଗଳ ଅଧିକାରୀ ମଧୁସ୍ମିତା ମହାପତ୍ରଙ୍କ ସମେତ ଶିଶୁ ସୁରକ୍ଷା ସଂସ୍ଥାର ମୁଖ୍ୟ ରାଜଶ୍ରୀ ଦାସଙ୍କ ସହତି ଜଣେ ମହିଳା ଡାକ୍ତର ବୁର୍ଜା ହାଇସ୍କୁଲରେ ପହଞ୍ଚିି ଖୋଳତାଡ଼ ଆରମ୍ଭ କରିଥିଲେ। ସମ୍ପୃକ୍ତ ନାବାଳିକା ଜଣଙ୍କ ଦଶମ ଶ୍ରେଣୀ ଛାତ୍ରୀ। ଏହି ଯୁଗ୍ମ ଦଳ ଆପରାହ୍ଣ ପ୍ରାୟ ୨ଟାରେ ପହଞ୍ଚିଥିଲା। ପହଞ୍ଚିବା ପରେ ନାବାଳିକଙ୍କ ସମେତ ତାଙ୍କର ପରିବାର ଲୋକଙ୍କୁ ଏନେଇ ପଚରା ଉଚରା କରିଥିଲେ। ପରେ ଲକ୍ଷ୍ମୀପୁର ଡାକ୍ତରଖାନାକୁ ନିଆଯାଇ ପରୀକ୍ଷା କରାଯିବା ପରେ ପୀଡ଼ିତା ଜଣଙ୍କ ୭ ମାସର ଅନ୍ତସତ୍ତ୍ବା ଥିବା ଜଣାଯାଇଛି। ପରେ ଉକ୍ତ ଟିମ୍‍ ଲକ୍ଷ୍ମୀପୁର ଥାନାରେ ପହଞ୍ଚି ଏନେଇ ଏକ ଏତଲା ଦେଇଥିବା ଜିଲା ମଙ୍ଗଳ ଅଧିକାରୀ ମିଶ୍ର ପ୍ରକାଶ କରିଛନ୍ତି। ଏନେଇ ହାଇସ୍କୁଲରେ କାର୍ଯ୍ୟରତ ମହିଳା ସ୍ୱାସ୍ଥାକର୍ମୀ ଖୁସବୁ ରାଓ, ମହିଳା ଶିକ୍ଷୟିତ୍ରୀଙ୍କ ସହିତ ପ୍ରଧାନ ଶିକ୍ଷକ ବାସୁଦେବ ନାୟକଙ୍କୁ ମଧ୍ୟ ଘଟଣା ସମ୍ପର୍କରେ ପଚରା ଉଚରା କରାଯିବା ସହିତ ପ୍ରବେଶିକା ରେଜିଷ୍ଟର ମଗାଯିବା ସହିତ ପ୍ରଧାନ ଶିକ୍ଷକଙ୍କୁ ଥାନାକୁ ଡକାଯାଇ ପଚରା ଉଚରା କରାଯାଉଛି। ଯେଉଁ ଠାରେ ବାଳିକାମାନେ ରହୁଛନ୍ତି ସେଠାରେ ସେମାନଙ୍କର ମାସିକ ଋତୁଶ୍ରାବ ହେଉଛି କି ନାହିଁ ପରଖିବା ପାଇଁ ନିୟମ ଥିବା ବେଳେ କିପରି ଜଣେ ନାବାଳିକା ୭ ମାସର ଗର୍ଭବତୀ ହେଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେବା ସହିତ ଏଠାରେ ଥିବା ମହିଳା ଶିକ୍ଷୟିତ୍ରୀ ଓ ପ୍ରଧାନ ଶିକ୍ଷକଙ୍କ ନଜରକୁ କିପରି ଏଭଳି ଏକ ସମ୍ବେଦନଶୀଳ ସୂଚନା ମିଳିପାରିଲା ନାହିଁ ତାହାକୁ ନେଇ ମଧ୍ୟ ସାଧାରଣରେ ପ୍ରଶ୍ନ ଉଙ୍କି ମାରୁଛି। ଏପରିକି ବ୍ଲକ ସମ୍ପ୍ରସାରଣ ଅଧିକାରୀ ମାସିକ ପରିଦର୍ଶନ କରିବା ପାଇଁ ନିୟମ ରହିଥିବା ବେଳେ ସେ ମଧ୍ୟ କିପରି ଜାଣି ପରିଲେ ନାହିଁ ତାହାକୁ ନେଇ ପ୍ରଶ୍ନ ଉଠିଛି। ନାବାଳିକଙ୍କ ପ୍ରଥମ ଶ୍ରେଣୀରୁ ଏଠାରେ ଅନ୍ତେବାସୀନୀ ଭାବେ ରହି ପାଠ ପଢ଼ିଥିଲେ।
ଅଭିଯୋଗ ଅନୁଯାୟୀ, ଯୁବକ ଜଣଙ୍କ ପୀଡିତାଙ୍କ ସହ ପ୍ରାୟ ୩ ବର୍ଷ ହେଲା ସମ୍ପର୍କ ସ୍ଥାପନ କରିବା ସହିତ ବର୍ଷେ ହେଲା ଶରିରୀକ ସମ୍ପର୍କ ରଖି ଆସିଥିଲେ। ରାତି ସାଢ଼େ ୮ ପର୍ଯ୍ୟନ୍ତ ଜିଲା ମଙ୍ଗଳ ଅଧିକାରୀଙ୍କ ସହିତ ଶିଶୁ ସୁରକ୍ଷା ସଂସ୍ଥାର ମୁଖ୍ୟ ରାଜଶ୍ରୀ ଦାସ, ବୁର୍ଜା ହାଇସ୍କୁଲର ପ୍ରଧାନ ଶିକ୍ଷକ ପ୍ରମ୍ମୁଖ ଲକ୍ଷ୍ମୀପୁର ଥାନାରେ ଉପସ୍ଥିତ ଥିଲେ। ପୀଡ଼ିତାଙ୍କ ଅଭିଯୋଗକୁ ଭିତ୍ତି କରି ପୋକ୍ସୋ ଆଇନ ଅନୁଯାୟୀ ଏକ ମାମଲା ରୁଜୁ ହେବା ସହିତ ଅଭିଯୁକ୍ତ ଯୁବକକୁ ପଚରା ଉଚରା ଚାଲିଛି। ଆସନ୍ତା କାଲି ତାକୁ କୋର୍ଟ ଚାଲାଣ କରାଯିବ। ପୀଡ଼ିତାଙ୍କୁ ଜିଲା ଶିଶୁ ସୁରକ୍ଷା ସଂସ୍ଥା ହେପାଜତରେ ନେଇଛି।

Comments are closed.