ପୁଣି କନ୍ଧମାଳରେ ଲଜ୍ଜା : ତୁମୁଡିବନ୍ଧରେ ନାବାଳିକା ବଳାତ୍କାର ଅଭିଯୋଗ

0

ତୁମୁଡିବନ୍ଧ : କନ୍ଧମାଳ ଜିଲା ତୁମୁଡିବନ୍ଧ ଥାନା ଅଞ୍ଚଳରେ ଗୁରୁବାର ପୁଣି ଏକ ନାବାଳିକାକୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଜଣେ ୯ ବର୍ଷୀୟା ନାବାଳିକା ନିଜ ମାଆଙ୍କ ପାଖରେ ଖେଳୁଥିବା ବେଳେ ସେହି ଅଞ୍ଚଳର ଜଣେ ୧୫ ବର୍ଷୀୟ ନାବାଳକ କୌଶଳ କ୍ରମେ ତାଙ୍କୁ ସେଠାରୁ ଡ଼ାକି ନେଇ ବଳାତ୍କାର କରିଛନ୍ତି। ଝିଅକୁ ନପାଇବାରୁ ମାଆ ତାଙ୍କୁ ଖୋଜୁଥିବା ବେଳେ ଏକ ଘର ସମ୍ମୁଖରେ ଝିଅର ଜୋତା ଥିବା ଦେଖିବା ପରେ ଉକ୍ତ ଘରର କବାଟ ଖୋଲି ଦେଖିଥିଲେ। ଦୁଷ୍କର୍ମ ପରେ ନାବାଳିକା ଜଣକ ଚେତା ଶୂନ୍ୟ ହୋଇଯାଇଥିଲେ। ଚେତା ଫେରିବା ପରେ ନାବାଳିକା ଜଣଙ୍କ ବଳାତ୍କାରର ଶିକାର ହୋଇଥିବା ଜଣା ପଡ଼ିବା ପରେ ନାବାଳିକାଙ୍କ ମାଆ ତୁମୁଡିବନ୍ଧ ଥାନାରେ ଅଭିଯୋଗ କରିଛନ୍ତି। ଏନେଇ ତୁମୁଡିବନ୍ଧ ଥାନାରେ ମାମଲା ରୁଜୁ କରାଯାଇଛି। ନାବାଳିକାକୁ ତୁମୁଡିବନ୍ଧ ପୁଲିସ ଡାକ୍ତରୀ ମାଇନା ପାଇଁ ଫୁଲବାଣୀ ନେଇଥିବା ଜଣାପଡ଼ିଛି।

ତେବେ ପୂର୍ବରୁ କନ୍ଧମାଳ ଜିଲାର ଦାରିଙ୍ଗବାଡ଼ିରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ଏନେଇ ଏଯାବତ୍ ବିକ୍ଷୋଭ ଜାରି ରହିଥିବା ବେଳେ ପରେ ଜି.ଉଦୟଗିରିରେ ମଧ୍ୟ ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଥିଲା। କନ୍ଧମାଳ ଜିଲାରେ ଏହିପରି କ୍ରମାଗତ ଭାବେ ଘଟିଚାଲିଛି ନାବାଳିକା ବଳାତ୍କାର ଘଟଣା।

Leave A Reply