ଲମ୍ବା ବ୍ୟବଧାନ ପରେ ମର୍ଦାନି ରାଣୀ

ମୁମ୍ବଇ : ଏକ ଲମ୍ବା ବ୍ୟବଧାନ ପରେ ଦମଦାର୍‌ ଚରିତ୍ର ଜରିଆରେ ବଲିଉଡରେ ପୁଣି ପାଦ ଥାପିଛନ୍ତି ଅଭିନେତ୍ରୀ ରାଣୀ ମୁଖାର୍ଜୀ। ତାଙ୍କ ଅଭିନୀତ ‘ମର୍ଦାନି’ ଚଳଚ୍ଚିତ୍ର ରାଣୀ ଓ ଆଦିତ୍ୟ ଚୋପ୍ରାଙ୍କ ବିବାହ ପରେ ହିଁ ମୁକ୍ତିଲାଭ କରିଥିଲା। ରାଣୀଙ୍କ ଜବରଦସ୍ତ ଅଭିନୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଥିଲା। ଏହା ପରେ ରାଣୀ ଗର୍ଭବତୀ ହେଲେ ଓ ସିନେଜଗତରୁ କିଛି ସମୟ ପାଇଁ ଦୂରେଇ ଗଲେ। ଝିଅ ଆଦିରାର ଲାଳନପାଳନରେ ଧ୍ୟାନ ଦେବା ସହ ଅନ୍ୟାନ୍ୟ କାମରେ ସ୍ବାମୀଙ୍କୁ ମଧ୍ୟ ସହଯୋଗ କରୁଥିଲେ। ଏସବୁ ଭିତରେ କମ୍-ବ୍ୟାକ୍ ନିମନ୍ତେ ରାଣୀ ପ୍ରସ୍ତୁତି ଆରମ୍ଭ କଲେ। ପ୍ରଯୋଜକ ମହଲ ଚାହୁଁଥିଲେ, ଯଥାଶୀଘ୍ର ‘ମର୍ଦାନି-୨’ର କାମ ଆରମ୍ଭ ହେଉ। ଝିଅ ଜନ୍ମ ପରେ ରାଣୀଙ୍କ ଓଜନ ବଢ଼ିଯାଇଥିଲା। ଯଥା ସମୟରେ ଓଜନ କମ୍ କରି ରାଣୀ ସୁଟିଂ ଆରମ୍ଭ କରିଥିଲେ। ‘ମର୍ଦାନି-୨’ର ସୁଟିଂ ଶେଷ ହୋଇଥିବାବେଳେ ଏହାର ଟ୍ରେଲର୍ ମଧ୍ୟ ମୁକ୍ତିଲାଭ ହୋଇସାରିଛି। ସମାଜରେ ବଢ଼ୁଥିବା ବଳାତ୍କାର ସମସ୍ୟାକୁ ନେଇ ଦ୍ବିତୀୟ ଭାଗର କାହାଣୀ ଆଧାରିତ। ରାଣୀ ଏଥିରେ ପୁଲିସ୍ ଅଫିସର୍ ଭୂମିକାରେ ଅବତୀର୍ଣ୍ଣ ହୋଇଥିବାବେଳେ ଦର୍ଶକ ମହଲରେ ତାଙ୍କ ଭୂମିକା ଆଦୃତ ହେବ ବୋଲି ସେ ଆଶା କରିଛନ୍ତି।

Comments are closed.