ଖୁବଶୀଘ୍ର ବିବାହ କରିବେ ରଣବୀର-ଆଲିଆ!

0

ମୁମ୍ବଇ : ଲାଗୁଛି ଚଳିତ ବର୍ଷ ବଲିଉଡ଼ରେ ଅନେକ ତାରକା ବିବାହ ବନ୍ଧନରେ ଆବଦ୍ଧ ହେବେ। ସୋନମକପୁର, ନେହା ଧୁପିଆ ଏବଂ ଅନୁଷ୍କା ଶର୍ମାଙ୍କ ପରେ ଦୀପକା ପାଦୁକୋନ ଏବଂ ରଣଭୀର ସିଂହଙ୍କ ବିବାହ ଖବର ଚର୍ଚ୍ଚାରେ ରହିଛି। ଏବେ ଏହି ତାଲିକାରେ ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ନାମ ସାମିଲ ହୋଇଛି। ନିଜ ସମ୍ପର୍କକୁ ନେଇ ଉଭୟ କିଛି କହୁନଥିଲେ ମଧ୍ୟ ନିକଟରେ ଏକ ସାକ୍ଷାତକାରରେ ବିବାହ ବନ୍ଧନରେ ଆବଦ୍ଧ ହେବାର ସଂକେତ ଦେଇଛନ୍ତି।
ଦୁଇ ଦିନ ପୂର୍ବରୁ ରଣବୀର କପୁର ଚଳଚ୍ଚିତ୍ର ‘ସଂଜୁ’ର ପ୍ରଚାର ପାଇଁ ଫ୍ୟାକ୍ଟସ୍‍ ଷ୍ଟାର ଇଣ୍ଡିଆର ଅଫିସିଆଲ ଟ୍ୱିଟର ଆକାଉଣ୍ଟ ଜରିଆରେ ପ୍ରଶଂସକଙ୍କ ସହ କଥା ହୋଇଥିଲେ। ଏହି ଅବସରରେ ଜଣେ ପ୍ରଶଂସକ ଆପଣ କେବେ ବିବାହ କରିବେ ବୋଲି ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ରଣବୀର ଲେଖିଥିଲେ ଯେ ‘ଆଶା କରୁଛି ଖୁବଶୀଘ୍ର’। ଏହା ପ୍ରଶଂସକଙ୍କୁ ଚକିତ କରିଛି। କାରଣ ଏହା ପୂର୍ବରୁ ରଣବୀର ସବୁବେଳେ ବିବାହ ପ୍ରଶ୍ନକୁ ଟାଳି ଯାଉଥିଲେ। ସେହିପରି କିଛି ଦିନ ପୂର୍ବରୁ ଆଲିଆ ଭଟ୍ଟ ଏକ ସାକ୍ଷାତକାରରେ ବିବାହକୁ ନେଇ ପ୍ରଶ୍ନର ଉତ୍ତରରେ କହିଥିଲେ ଯେ ‘ଲୋକ ଭାବୁଛନ୍ତି କି ମୁଁ ୩୦ ବର୍ଷ ବୟସ ପରେ ବିବାହ କରିବି ହେଲେ ବହୁତ ସମ୍ଭାବନା ଅଛି କି ଏହା ପୂର୍ବରୁ ମୁଁ ବିବାହ କରି ସମସ୍ତକୁ ଚକିତ କରିଦେବି’। ଏହା ପୂର୍ବରୁ ଆଲିଆଙ୍କୁ ରଣବୀରଙ୍କ ପରିବାର ସହ ଏକ ନୈଶ୍ୟ ଭୋଜିରେ ଦେଖିବାକୁ ମିଳିଥିଲା। ରଣବୀରଙ୍କ ମା’ ନୀତୁ କପୁରଙ୍କ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଆଲିଆଙ୍କ ସହ କେତେକ ଫଟୋ ମଧ୍ୟ ସେୟାର କରିଥିଲେ। ଅର୍ଥାତ କପୁର ପରିବାର ପକ୍ଷରୁ ବିବାହକୁ ସବୁଜ ସଂକେତ ଦିଆଯାଇସାରିଛି। ଏବେ ଆଲିଆ ଏବଂ ରଣବୀର କେବେ ଖୁସୀ ଖବର ଶୁଣାଉନ୍ତି ତାକୁ ଅପେକ୍ଷା। ଉଲ୍ଲେଖ ଯେ କରଣ ଜୋହରଙ୍କ ନିର୍ଦେଶିତ ଚଳଚ୍ଚିତ୍ର ବ୍ରହ୍ମାସ୍ତ୍ରରେ ରଣବୀର ଏବଂ ଆଲିଆ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ଏହି ଚଳଚ୍ଚିତ୍ର ଆସନ୍ତା ବର୍ଷ ମୁକ୍ତିଲାଭ କରିବ।

Leave A Reply