ରାମ ମନ୍ଦିର ନିର୍ମାଣ ନିମନ୍ତେ ଟ୍ରଷ୍ଟ ଗଠନ ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟଙ୍କ ନିର୍ଦେଶକ୍ରମେ ଅଯୋଧ୍ୟା ରାମ ଜନ୍ମଭୂମିରେ ରାମ ମନ୍ଦିର ନିର୍ମାଣ ନିମନ୍ତେ କେନ୍ଦ୍ର ସରକାର ଟ୍ରଷ୍ଟ ଗଠନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ରାୟରେ ରହିଥିବା ବୈଷୟିକ ଦିଗକୁ ଆଧାର କରି ଟ୍ରଷ୍ଟ ଗଠନ କରାଯିବ। ​‌େ​‌ତଣୁ ସୁପ୍ରିମକୋର୍ଟଙ୍କ ରାୟର ଏହି ବୈଷୟିକ ଦିଗକୁ ଅନୁଧ୍ୟାନ କରିବା ଲାଗି କେନ୍ଦ୍ର ସରକାର ଅମଲାତନ୍ତ୍ର ଅଧିକାରୀଙ୍କୁ ନେଇ ଏକ ଟିମ୍ ଗଠନ କରିଛନ୍ତି। ଏହି ଟିମ୍‌ ଆଟର୍ଣ୍ଣି ଜେନେରାଲ ଓ ଆଇନ ମନ୍ତ୍ରଣାଳୟ ଠାରୁ ଆବଶ୍ୟକ ଆଇନଗତ ମତାମତ ଲୋଡିବେ। ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁଯାୟୀ କେନ୍ଦ୍ର ସରକାର ଅଯୋଧ୍ୟା ଆଇନ ୧୯୯୩ର ଧାରା ୬ ଓ ୭ ଆଧାରରେ ଅଯୋଧ୍ୟା ରାମ ଜନ୍ମଭୂମି ଅଞ୍ଚଳକୁ ଅଧିଗ୍ରହଣ କରିବେ। ଧାରା ୬ ଅନୁଯାୟୀ ସରକାର ବୋର୍ଡ ବା ଟ୍ରଷ୍ଟ ଗଠନ କରି ଉକ୍ତ ଜମିକୁ ହସ୍ତାନ୍ତର କରିବେ। ଟ୍ରଷ୍ଟର ପରିଚାଳନା ଓ କାର୍ଯ୍ୟଧାରା ସମ୍ପର୍କରେ ସରକାର ଆବଶ୍ୟକ ନୀତି ନିର୍ଦ୍ଧାରଣ କରିବେ। ଏପରିକି ମନ୍ଦିର ନିର୍ମାଣ ଓ ଆନୁଷଙ୍ଗିକ କାର୍ଯ୍ୟ ସମ୍ପର୍କରେ ମଧ୍ୟ ସରକାର ନୀତି ନିର୍ଦ୍ଧାରଣ କରିବେ। ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁଯାୟୀ ମନ୍ଦିର ନିର୍ମାଣ ସହିତ ସରକାର ମସଜିଦ ତିଆରି ଲାଗି ସୁନ୍ନି ୱାକଫ ବୋର୍ଡକୁ ୫ଏକର ଜମି ଯୋଗାଇ ଦେବେ। ଶନିବାର ସୁପ୍ରିମକୋର୍ଟ ଦେଇଥିବା ଐତିହାସିକ ରାୟରେ ଅଯୋଧ୍ୟାର ରାମ ଜନ୍ମଭୂମିର ୨.୭୭ ଏକର ଜମିକୁ ସମ୍ପୂର୍ଣ୍ଣ ରୂପେ ରାମଲାଲା ବିରାଜମାନଙ୍କୁ ପ୍ରଦାନ କରିଛନ୍ତି। ଆସନ୍ତା ରାମନବମୀ କିମ୍ବା ହିନ୍ଦୁ ନବବର୍ଷରେ ରାମମନ୍ଦିର ନିର୍ମାଣ ନିମନ୍ତେ ଶିଳାନ୍ୟାସ କରାଯିବ।

Comments are closed.