କୃତ୍ରିମ ଗୋଡ଼ରେ ଲଢ଼ିବେ

0

ନୂଆଦିଲ୍ଲୀ : କୁହାଯାଏ, ଘାଇଲା (କ୍ଷତାକ୍ତ) ବାଘ ଅତ୍ୟନ୍ତ ହିଂସ୍ର ପାଲଟିଥାଏ। ମଉକା ପାଇଲେ ଦୁଇଗୁଣା ଅଧିକ ଶକ୍ତି ସହିତ ଆକ୍ରମଣ କରେ। ଛତିଶଗଡ଼ ଜଙ୍ଗଲରେ ସକ୍ରିୟ ମାଓବାଦୀଙ୍କ ନିମନ୍ତେ ଏମିତି ଏକ ଘାଇଲା ବାଘ ପାଲଟିଛନ୍ତି ସିଆର୍‍ପିଏଫ୍‍ କୋବ୍ରା କମାଣ୍ଡୋର ଯବାନ ରାମଦାସ।
ଦୁଇବର୍ଷ ତଳେ ମାଓବାଦୀଙ୍କ ଏକ ଘାତକ ଆକ୍ରମଣରେ ଦୁଇଗୋଡ଼ ହରାଇଥିବା ରାମଦାସ କୃତ୍ରିମ ଗୋଡ଼ ପ୍ରତିରୋପଣ ପରେ ଚାଲିବାକୁ ସକ୍ଷମ ହୋଇଛନ୍ତି। ଇତିମଧ୍ୟରେ ରାମଦାସ ନିଜ ବାଟାଲିୟନରେ ଯୋଗ ଦେଇଛନ୍ତି। ଶାରୀରିକ ଅକ୍ଷମତା କାରଣରୁ କାର୍ଯ୍ୟାଳୟରେ ବସି ରହି କାମ କରିବାକୁ ତାଙ୍କୁ ସହଯୋଗୀମାନେ ପରାମର୍ଶ ଦେଇଥଲେ। କିନ୍ତୁ ଏକ କ୍ଷତାକ୍ତ ବାଘ ଯେଭଳି ପ୍ରତିଶୋଧପରାୟଣ ହୋଇଉଠିଥାଏ ଠିକ୍‍ ସେହିଭଳି ମନୋଭାବ ନେଇ ରାମଦାସ ମାଓଦମନ ଲାଗି ଜଙ୍ଗଲକୁ ଫେରିବାକୁ ଚାହିଁଛନ୍ତି।
ଏଥର ସେ ହୁଏତ ସମ୍ମୁଖ ଲଢ଼େଇ ପାଇଁ ସକ୍ଷମ ହୋଇ ନ ପାରନ୍ତି; କିନ୍ତୁ ମାଓବାଦୀଙ୍କ ମନୋଭାବ ଓ ଗତିବିଧିକୁ ଠଉରାଇ ସେମାନଙ୍କ ଷଡ଼ଯନ୍ତ୍ର ବିଫଳ କରିବା ପାଇଁ ଚକ୍ରବିହ୍ୱ ରଚିବା ନେଇ ତାଙ୍କଠାରେ ଉଚ୍ଚକୋଟୀର ଦକ୍ଷତା ରହିଛି ବୋଲି ସେ କହନ୍ତି। ତାଙ୍କର ଏହି ଦକ୍ଷତାକୁ ସିଆର୍‍ପିଏଫ୍‍ କୋବ୍ରା କମାଣ୍ଡୋ ପକ୍ଷରୁ ମଧ୍ୟ ସମ୍ମାନ ଦିଆଯାଇଛି। ଖୁବ୍‍ଶୀଘ୍ର ଅଭିଯାନକୁ
ଫେରିବେ ରାମଦାସ। ସିଆର୍‍ପିଏଫ୍‍ କୋବ୍ରା କମାଣ୍ଡୋର ପ୍ରମୁଖ ଯବାନମାନଙ୍କ ମଧ୍ୟରେ ରାମଦାସଙ୍କୁ ଗଣନା କରାଯାଇଥାଏ। ପ୍ରଥମେ ସେ ଜାମ୍ମୁ କାଶ୍ମୀରରେ ନିଯୁକ୍ତ ଥିଲେ। ବାଜପକ୍ଷୀ ଭଳି ତୀକ୍ଷ୍ଣ ଦୃଷ୍ଟି ଶକ୍ତି, ଚିତାବାଘ ଭଳି ଫୂର୍ତ୍ତିଶୀଳ ଏବଂ ଲକ୍ଷ୍ୟ ଭେଦ କରିବାର ଅଦମ୍ୟ ଶକ୍ତି ଦ୍ୱାରା ସେ ଶତ୍ରୁକୁ ଠାବ କରି ଅନାୟାସରେ ନିପାତ କରିପାରୁଥିଲେ। ଏହି ଦକ୍ଷତା କାରଣରୁ ଛତିଶଗଡ଼ରେ ମାଓବାଦୀ ଦମନ ଅଭିଯାନରେ ରାମଦାସଙ୍କୁ ସାମିଲ କରାଯାଇଥିଲା। ଅଢେଇ ବର୍ଷ ପୂର୍ବେ ତାଙ୍କୁ ଜାମ୍ମୁ କାଶ୍ମୀରରୁ ବଦଳି କରି ଛତିଶଗଡ଼ ଜଙ୍ଗଲରେ ମୁତୟନ କରାଯାଇଥିଲା। ୨୦୧୬ ଫବେୃଆରୀ ୨୦ରେ ରାମଦାସ ଛତିଶଗଡ଼ରେ ନିୟୋଜିତ ସିଆର୍‍ପିଏଫ୍‍ର କୋବ୍ରା କମାଣ୍ଡୋରେ ଯୋଗ ଦେଲେ। ସେ ଯେତେବେଳେ ମାଓବାଦୀ ଦମନ ଅଭିଯାନରେ ବାହାରୁଥିଲେ ସେତେବେଳେ ମାଓବାଦୀ ଶିବିରରେ ଏକପ୍ରକାର ଆତଙ୍କ ଖେଳିଯାଉଥିଲା। ନିଜ ଦଳର ସହଯୋଗୀମାନଙ୍କ ସହିତ ମିଶି ସେ ଛତିଶଗଡ଼ ଜଙ୍ଗଲରେ ମାଓବାଦୀମାନଙ୍କୁ ନାକେଦମ୍‍ କରିଦେଉଥିଲେ। ବଡ଼ଧରଣର ମାଓ ଅଭିଯାନ ତାଙ୍କ ସହଯୋଗରେ ସଫଳ ହୋଇଥିଲା, ଯାହାଦ୍ୱାରା ମାଓବାଦୀଙ୍କୁ ବହୁ ଧନଜୀବନ କ୍ଷତି ସହିବାକୁ ପଡିଥିଲା। ଫଳରେ ତାଙ୍କୁ ନେଇ ମାଓବାଦୀମାନଙ୍କ ମଧ୍ୟରେ ଏକପ୍ରକାର ଭାଳେଣି ପଡିଯାଇଥିଲା। ସେମାନେ ଯେକୌଣସି ପ୍ରକାରେ ରାମଦାସଙ୍କୁ ନିଜ ପଥରୁ ହଟାଇବାକୁ ଷଡ଼ଯନ୍ତ୍ର କଲେ।
ରାମଦାସଙ୍କୁ ହତ୍ୟା ନିମନ୍ତେ ସେମାନେ ବହୁବାର ଜାଲ ବିଛାଇଥିଲେ; ମାତ୍ର ପ୍ରତିଥର ସେମାନଙ୍କ ଷଡ଼ଯନ୍ତ୍ରକୁ ବିଫଳ କରିଦେଉଥିଲେ ରାମଦାସ। କିନ୍ତୁ ୨୦୧୬ ନଭେମ୍ବର ୨୯ରେ ମାଓବାଦୀମାନେ ସଫଳ ହେଲେ। ସେମାନଙ୍କ ଲ୍ୟାଣ୍ଡମାଇନ୍‍ ବିସ୍ଫୋରଣର ଶିକାର ହେଲେ ରାମଦାସ। ନିଜର ଦୁଇ ଗୋଡ଼ ହରାଇ ଶଯ୍ୟାଶାୟୀ ହେଲେ ସେ। ଉକ୍ତ ଦିନର ଘଟଣା ମନେ ପକାଇ ରାମଦାସ କୁହନ୍ତି, କିସ୍ତରାମ ଏବଂ ପଲୋଡି ଜଙ୍ଗଲରେ ମାଓବାଦୀମାନେ ଲୁଚି ରହିଥିବା ୨୦୮ କୋବ୍ରା ବାଟାଲିୟନ୍‍କୁ ସୂଚନା ମିଳିଥିଲା। ତୁରନ୍ତ ସେ ଏବଂ ବାଟାଲିୟନର ୧୩୫ ଜଣ ଯବାନ ଉକ୍ତ ଜଙ୍ଗଲକୁ ଚାଲିଯାଇ ଅନୁସନ୍ଧାନ ଆରମ୍ଭ କରିଦେଲେ। ସମଗ୍ର ଜଙ୍ଗଲ ଖୋଜାଖୋଜି କରିବା ପରେ ମଧ୍ୟ ମାଓବାଦୀଙ୍କ ସୁରାକ ମିଳି ନ ଥିଲା। ସାଥି ଯବାନମାନଙ୍କଠାରୁ ସର୍ବାଗ୍ରେ ଯାଉଥିବା ରାମଦାସ କିନ୍ତୁ କୌଣସି ଅଘଟଣ ଘଟିବାର ଆଶଙ୍କା ବାରିନେଇଥିଲେ। ସାଥି ଯବାନମାନଙ୍କ ପ୍ରତି ଯେଭଳି ବିପଦ ନ ଆସେ ସେଥିନେଇ ସେ ସେମାନଙ୍କଠାରୁ ସ୍ୱଳ୍ପ ଦୂରେଇ ଆଗେ ଆଗେ ଚାଲୁଥିଲେ। ସୁଖିଲା ପତ୍ର ଉପରେ ଚାଲିବା ବେଳେ ହଠାତ୍‍ ବିସ୍ଫୋରଣ ଘଟିଲା। ମାଓବାନୀମାନେ ପୂର୍ବରୁ ଲୁଚାଇ ରଖିଥିବା ଲ୍ୟାଣ୍ଡମାଇନ୍‍ ବିସ୍ଫୋରଣ ହୋଇଥିଲା। ଏଥିରେ ରାମଦାସ୍‍ ବହୁ ଉଚ୍ଚକୁ ଛିଟ୍‍କି ପଡି ପୁନଃ ଭୂମିରେ ପିଟି ହୋଇଯାଇଥିଲେ। ତାଙ୍କ ଗୋଡ ଦ୍ୱୟରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା। ସାଥି ଯବାନମାନେ ତାଙ୍କୁ ତୁରନ୍ତ ପ୍ରାଥମିକ ଚିକିତ୍ସା ଯୋଗାଇଦେଇଥିଲେ। ୪୦ ମିନିଟ୍‍ ପରେ ହେଲିକପ୍ଟର ଯୋଗେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ରାମଦାସଙ୍କୁ ନିଜର ଦୁଇ ଗୋଡ ହରାଇବାକୁ ପଡିଥିଲା। ଏହି ଘଟଣାରେ ରାମଦାସ ସମ୍ପୂର୍ଣ୍ଣ ଭାଙ୍ଗିପଡିଥିଲେ। କମାଣ୍ଡିଂ ଅଧିକାରୀ ଏବଂ ସାଥି ଯବାନଙ୍କ ଠାରୁ ମନୋବଳ ପାଇ ପୁନଃ ଛିଡା ହେବାର ଦୃଢସଂକଳ୍ପ କରିଥିଲେ ସେ। ଏବେ ରାମଦାସ ସମ୍ପୂର୍ଣ୍ଣ ସୁସ୍ଥ।

Leave A Reply