କ’ଣ ପାଇଁ ଓଡ଼ିଆ ପୁଅ ରାଜ୍ୟସଭା ଉପାଧ୍ୟକ୍ଷ ପ୍ରାର୍ଥୀ ହେଲେନି : ଧର୍ମେନ୍ଦ୍ର

0

ଭୁବନେଶ୍ୱର : ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନକୁ ୪ଦିନ ବିତି ଯାଇଥିଲେ ବି ଏବେ ବି ଏହି ପ୍ରସଙ୍ଗ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟବସ୍ତୁ ହୋଇ ରହିଛି। ଗୋଟିଏ ପଟେ ଦୀର୍ଘ ୪୦ବର୍ଷ ପରେ କଂଗ୍ରେସ ହାତରୁ ଚୌକି ଛଡାଇ ଆଣିବା ବିଜେପିର ଏଜେଣ୍ଡା ଥିଲା ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଏହାସହିତ ସେ କହିଛନ୍ତି ଯେ ଏଥିରେ ବିଜେଡ଼ି ଯେଉଁ ସହଯୋଗ କରିଛି ସେଥିପାଇଁ ଧନ୍ୟବାଦ ହେଲେ କ’ଣ ପାଇଁ ଓଡ଼ିଆ ପୁଅକୁ ପ୍ରାର୍ଥୀ କରାଗଲା ନାହିଁ ତାହା ବିଜେଡ଼ି ସ୍ପଷ୍ଟ କରୁ। ଏହାସହିତ ବାଧ୍ୟବାଧକତା ନେଇ ଶ୍ରୀ ପ୍ରଧାନ ଯେଉଁ ତୀର୍ଯ୍ୟକ ଛାଡିଛନ୍ତି ଏହାକୁ ବିଜେଡ଼ି ହଜମ କରିପାରି ନାହିଁ। ବିଜେଡ଼ି ମୁଖପାତ୍ର ସସ୍ମିତ ପାତ୍ର ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଧର୍ମେନ୍ଦ୍ରଙ୍କ ଆକ୍ଷେପକୁ ତାଙ୍କର ଅଜ୍ଞତା ବୋଲି ଦର୍ଶାଇଛନ୍ତି। ଅନ୍ୟପକ୍ଷରେ ବିଜେଡ଼ି ଓ ବିଜେପିର ଏହି ତୁ ତୁ ମେ ମେ କେବଳ ଲୋକଦେଖାଣିଆ ବୋଲି କଂଗ୍ରେସ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।
ରବିବାର ଓଡ଼ିଶାଗସ୍ତରେ ଆସି ଶ୍ରୀ ପ୍ରଧାନ କହିଥିଲେ ଯେ ବିଜେପିର ସ୍ପଷ୍ଟ ଲକ୍ଷ୍ୟ ଥିଲା ଦୀର୍ଘ ୪୦ ବର୍ଷ ଧରି ଉପାଧ୍ୟକ୍ଷ ପଦ କଂଗ୍ରେସ ହାତରେ ଥିବାବେଳେ ତାହାକୁ ଅନ୍ୟ କେଉଁ ଜାଗାରେ ପହଞ୍ଚାଇବା। ଏହି ପ୍ରକ୍ରିୟାରେ ଜଣେ ଓଡିଆ ପୁଅ ମଧ୍ୟ ସାମିଲ ହୋଇପାରିଥାନ୍ତେ। ଏଥିରେ ବିଜେଡ଼ିର କିଛି ବାଧ୍ୟବାଧକତା ଥିବ। ସେଇଟା କ’ଣ ତାହା ସେମାନେ ସ୍ପଷ୍ଟ କରନ୍ତୁ। ତେବେ ଏହି ପ୍ରକ୍ରିୟାରେ କିଏ କାହାକୁ ସମର୍ଥନ କଲା, କିଏ କାହାକୁ ଅନୁରୋଧ କଲା, କିଏ ଆଗେ କାହା ପାଖକୁ ଗଲା ତାହା ବଡ଼ କଥା ନୁହେଁ। ମହାନଦୀରେ ଗୋଳିଆ ପାଣି ବୋହିଗଲାଣି। କିଏ କାହା ପାଖକୁ ଯାଇଛି ତାହା ସମସ୍ତଙ୍କୁ ଜଣା। ଶ୍ରୀ ପ୍ରଧାନ ଆହୁରି କହିଲେ ଯେ, ବିଜେପି ଫୋକସରେ ରହିଛି ଓଡିଶାର ୩୬ ହଜାର ବୁଥ୍‍। ବୁଥ୍‍ ସୁଦୃଢ଼ କାର୍ଯ୍ୟରେ ବିଜେପି ଲାଗିଛି। ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନରେ ବିଜେପି କାମ ଆରମ୍ଭ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଢ ବିକାଶ, ଜନକଲ୍ୟାଣ କାର୍ଯ୍ୟକ୍ରମ ଉପରେ ସାରା ଦେଶ ଏବେ ଆସ୍ଥା ସ୍ଥାପନ କରୁଛି। ଓଡ଼ିଶାରେ ଡବଲ ଇଞ୍ଜିନ ଲଗାଇବା ପାଇଁ ବିଜେପି କାମ ଆରମ୍ଭ କରିଦେଇଛି। ରାଜ୍ୟ ଓ କେନ୍ଦ୍ରରେ ବିଜେପି ସରକାର କରିବା ଆମର ଲକ୍ଷ୍ୟ। ଓଡିଶା ବିକାଶର ପ୍ରୟୋଗଶାଳା ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
ଶ୍ରୀ ପ୍ରଧାନଙ୍କ ବକ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ବିଜେଡ଼ି ମୁଖପାତ୍ର ଶ୍ରୀ ପାତ୍ର କହିଛନ୍ତି ଯେ ଶ୍ରୀ ପ୍ରଧାନ ଯେଉଁ ବିବୃତି ଦେଇଛନ୍ତି ତାହା ତାଙ୍କର ଭ୍ରମାତ୍ମକ ଏବଂ ଏଥିରୁ ତାଙ୍କର ହତାଶା ଓ ନିରାଶାକୁ ସୂଚାଉଛି। ବିଜୁ ଜନତା ଦଳ ଜେଡିୟୁ ପ୍ରାର୍ଥୀଙ୍କୁ ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ସମର୍ଥନ କରିଛି। ଏଥିସହ ବିଜେପି ଏବଂ କଂଗ୍ରେସଠାରୁ ସମଦୂରତ୍ୱ ରକ୍ଷା କରିଛି। ବିଜେଡ଼ିର ଏହି ନିରବତା ପାଇଁ କିଏ କୃତଜ୍ଞତା ଜଣାଉଛି ତ କିଏ ସମାଲୋଚନା କରୁଛି। ଶ୍ରୀ ପ୍ରଧାନ କ’ଣ କହୁଛନ୍ତି ସେଥିରେ ଦଳକୁ କିଛି ଫରକ ପଡ଼ିବନାହିଁ। ଆଞ୍ଚଳିକ ଦଳଗୁଡ଼ିକ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଜଣେ ପ୍ରାର୍ଥୀ ଦେଇପାରିଥାନ୍ତେ ବୋଲି କେନ୍ଦ୍ରମନ୍ତ୍ରୀଙ୍କ ବକ୍ତବ୍ୟ ତାଙ୍କର ଅଜ୍ଞତାକୁ ପଦାରେ ପକାଇଛି। ଯିଏ ରାଜ୍ୟସଭାର ଉପାଧ୍ୟକ୍ଷ ହେଲେ ସେ ଜେଡିୟୁ ଭଳି ଏକ ଆଞ୍ଚଳିକ ଦଳକୁ ପ୍ରତିନିଧିତ୍ୱ କରୁଛନ୍ତି ଏବଂ ବିଜୁ ଜନତା ଦଳ ସହିତ ସେହି ଦଳର ଆଦର୍ଶଗତ ସମନ୍ୱୟତା ଥିବାରୁ ବିଜେଡି ସମର୍ଥନ କରିଥିଲା। ଯଦି ଏ ବିଷୟରେ କେନ୍ଦ୍ରମନ୍ତ୍ରୀ ଅବଗତ ନାହାନ୍ତି କିମ୍ବା ଜାଣିଶୁଣି ଅଜଣା ହେଉଛନ୍ତି ତେବେ ଏହା ତାଙ୍କର ଆଉ ଏକ ଅଜ୍ଞତାର ପରିଚୟ ବୋଲି ଶ୍ରୀ ପାତ୍ର କହିଛନ୍ତି।
ଅନ୍ୟପକ୍ଷରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବିଜେଡ଼ି ଓ ବିଜେପି ଭିତରେ କୋଳାକୋଳିର ସମ୍ପର୍କ ରହିଛି ବୋଲି କହିଛନ୍ତି। କେବଳ ଲୋକଙ୍କୁ ଭକୁଆ ବନାଇବାପାଇଁ ଉପରେ କାଦୁଅ ଫିଙ୍ଗାଫିଙ୍ଗି ହେଉଛନ୍ତି, ମାତ୍ର ତାଙ୍କ ଭିତରେ ସଲାସୁତୁରା ଥିବା ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରୁ ସ୍ପଷ୍ଟ ହୋଇଛି।

Leave A Reply