ଆତଙ୍କବାଦର ମୂଳୋତ୍ପାଟନ ପାଇଁ ଏସ୍‍ସିଓ ଦେଶମାନଙ୍କୁ ଐକ୍ୟବଦ୍ଧ ହେବାକୁ ପଡିବ : ରାଜନାଥ

ତାସକେଣ୍ଟ : ଆତଙ୍କବାଦକୁ ପ୍ରତିହତ କରିବାର ଏକମାତ୍ର ପନ୍ଥା ହେଉଛି, ଆତଙ୍କବାଦର ଦମନ ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଣୟନ କରାଯାଇଥିବା ସମସ୍ତ ଆନ୍ତର୍ଜାତିକ ଆଇନ ଓ ବ୍ୟବସ୍ଥାର ଅକ୍ଷରେ ଅକ୍ଷରେ ପାଳନ କରିବା ଉଚିତ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି । ଏକ୍ଷେତ୍ରରେ କୌଣସି ଦୋହରା ଆଭିମୁଖ୍ୟ ଗ୍ରହଣ କରିବା ଉଚିତ ନୁହେଁ ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି । ଉଜବେକିସ୍ତାନର ତାସକେଣ୍ଟରେ ସାଙ୍ଘାଇ ସହଯୋଗ ଶିଖର ବୈଠକରେ ଉଦ୍‍ବୋଧନ ଦେଇ ସେ କହିଛନ୍ତି,
ଆତଙ୍କବାଦ ସମାଜରେ ଅସ୍ଥିରତା ସୃଷ୍ଟି କରିଛି ଓ ବିକାଶ ପଥରେ ସବୁଠୁ ବଡ଼ ପ୍ରତିବନ୍ଧକ ଭାବେ ଛିଡ଼ାହୋଇଛି । ସେ ଦୃଷ୍ଟିରୁ ଆତଙ୍କବାଦର ମୂଳୋତ୍ପାଟନ ପାଇଁ ଏସ୍‍ସିଓ ଦେଶମାନଙ୍କୁ ଐକ୍ୟବଦ୍ଧ ହୋଇ କାର୍ଯ୍ୟ କରିବାକୁ ହେବ।
ଏସ୍‍ସିଓ ମିଳିତ ସାମରିକ ସମରାଭ୍ୟାସ ସେଣ୍ଟର୍‍-୨୦୧୯କୁ ସଫଳତାର ସହ ସମ୍ପାଦନ କରିଥିବାରୁ ପ୍ରତିରକ୍ଷା ମନ୍ତ୍ରୀ ରୁଷ୍‍କୁ ଅଭିନନ୍ଦନ ଜଣାଇଛନ୍ତି। ଓରେନ୍‍ବର୍ଗରେ ଏହି ମିଳିତ ସାମରିକ ସମରାଭ୍ୟାସ ଅନୁଷ୍ଠିତ ହୋଇଛି। ଆତଙ୍କବାଦର ମୂଳୋତ୍ପାଟନ ଏହାର ମୁଖ୍ୟ ଉଦ୍ଦେଶ୍ୟ। ଶ୍ରୀ ସିଂହ କହିଛନ୍ତି, ବିଶ୍ୱ ବାଣିଜ୍ୟ ସଙ୍ଗଠନରେ ଏକ ସ୍ୱଚ୍ଛ, ନୀତିଭିତ୍ତିକ, ଖୋଲା ସାମୂହିକ ତଥା
ପକ୍ଷପାତ ବିହୀନ ବହୁରାଷ୍ଟ୍ରୀୟ ବାଣିଜ୍ୟ ବ୍ୟବସ୍ଥା ସ୍ଥାପନ ପ୍ରତି ଭାରତ ପ୍ରତିଶ୍ରୁତିବଦ୍ଧ ରହିଛି। ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଜଳବାୟୁ ପରିବର୍ତ୍ତନ, ଆତଙ୍କବାଦ, ଦାରିଦ୍ର୍ୟ ଓ ଅସମାନତାର ଐକ୍ୟବଦ୍ଧ ହୋଇ ମୁକାବିଲା କରାଯାଇପାରିବ। ସେ ପୁଣି କହିଛନ୍ତି, ଏକ ସଫଳ ବହୁରାଷ୍ଟ୍ରୀୟବାଦ ବ୍ୟବସ୍ଥା ପାଇଁ ସାର୍ବଭୌମତ୍ୱ ଓ ଆଞ୍ଚଳିକ ଅଖଣ୍ଡତା ପ୍ରତି ସମ୍ମାନ, ଅନ୍ୟର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରା ନ ଯିବା ଓ ପାରସ୍ପରିକ ସହଯୋଗ ଅତ୍ୟନ୍ତ ଅପରିହାର୍ଯ୍ୟ। ଶ୍ରୀ ସିଂହ କହିଛନ୍ତି, ଏଇ କିଛିଦିନ ପୂର୍ବେ ଭାରତ
ଏହାର ଏଫ୍‍ଡିଆଇ ନୀତିରେ ସଂସ୍କାର ଆଣି ଏହାକୁ କୋହଳ କରିଛି ଓ କୋଇଲା ଖଣି ଏବଂ ଠିକାରେ ଉତ୍ପାଦନ କ୍ଷେତ୍ରକୁ ଶତକଡ଼ା ୧୦୦ ଭାଗ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶପାଇଁ ଖୋଲିଦେଇଛି । ପ୍ରତିରକ୍ଷା ମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱତନ୍ତ୍ର ଦୂତ ଭାବେ ତାସକେଣ୍ଟରେ ଏସ୍‍ସିଓ ସରକାରୀ ମୁଖ୍ୟମାନଙ୍କ ପରିଷଦର ଅଷ୍ଟାଦଶ ବୈଠକରେ ଯୋଗ
ଦେଇଥିଲେ।

Comments are closed.