ସରକାର ଅନୁମତି ନଦେବା ଯାଏ ପାକିସ୍ତାନ ସହ ଦ୍ବିପାକ୍ଷିକ ସିରିଜ୍‌ ଅସମ୍ଭବ: ଶୁକ୍ଲା

0

ନୂଆଦିଲ୍ଲୀ : ଭାରତ ସରକାର ଅନୁମତି ପ୍ରଦାନ ନ କରିବା ଯାଏ ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ବିପାକ୍ଷିକ କ୍ରିକେଟ୍ ସିରିଜ୍ ଆୟୋଜନ ଅସମ୍ଭବ ବୋଲି ସ୍ପଷ୍ଟ କରି ଦେଇଛନ୍ତି ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ (ଆଇପିଏଲ) ଅଧ୍ୟକ୍ଷ ରାଜୀବ ଶୁକ୍ଲା। ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ଭାରତୀୟ ଯବାନ ସହିଦ ହୋଇଥିବା ପରିପ୍ରେକ୍ଷୀରେ ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସିରିଜ୍‌ ଆୟୋଜନ ସମ୍ଭବପର କି ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଶୁକ୍ଲା କହିଥିଲେ ପାକିସ୍ତାନ ସହ ଦ୍ବିପାକ୍ଷିକ ସିରିଜ୍‌ ଆୟୋଜନ ପାଇଁ ଭାରତ ସରକାରଙ୍କ ଅନୁମତି ନିହାତି ଆବଶ୍ୟକ। ଯେ ପର୍ଯ୍ୟନ୍ତ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିନାହାନ୍ତି; ସେପର୍ଯ୍ୟନ୍ତ ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ କ୍ରିକେଟ୍ ସିରିଜ୍‌ ଆୟୋଜନର ପ୍ରଶ୍ନ ଉଠୁନାହିଁ। କ୍ରୀଡ଼ାକୁ ରାଜନୀତି ଠାରୁ ଦୂରେଇ ରଖିବା ଉଚିତ୍‌ ବୋଲି ସେ ଜାଣିଛନ୍ତି। ତେବେ ଯଦି କୌଣସି ଦେଶ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଛି ଏହାର ସିଧାସଳଖ ପ୍ରଭାବ କ୍ରୀଡ଼ା ଉପରେ ପଡ଼ିବା ସ୍ବାଭାବିକ। ଭାରତ ଓ ପାକିସ୍ତାନ ମଧ୍ୟରେ ଆସନ୍ତା କ୍ରିକେଟ୍‌ ବିଶ୍ବକପ୍‌ରେ ମୁକାବିଲା ହେବାକୁ ଥିବା ବେଳେ ଭାରତୀୟ ଦଳ ଏହି ମ୍ୟାଚ୍‌ରେ ଖେଳିବ କି ବୋଲି ପ୍ରଶ୍ନର ଉତ୍ତରରେ ଶୁକ୍ଲା କହିଥିଲେ କ୍ରିକେଟ୍ ବିଶ୍ବକପ୍ ଖେଳାଯିବାକୁ ବେଶ୍‌ କିଛି ସମୟ ବାକି ରହିଛି। ବର୍ତ୍ତମାନଠାରୁ ବିଶ୍ବକପ୍‌ ମ୍ୟାଚ୍‌ ସଂପର୍କରେ ଭବିଷ୍ୟବାଣୀ କରିବା ତାଙ୍କ ପକ୍ଷରେ ସମ୍ଭବପର ନୁହେଁ। ପୁଲୱାମା ଆକ୍ରମଣ ନେଇ ଭାରତୀୟଙ୍କ ମଧ୍ୟରେ କ୍ରୋଧ ଓ ପ୍ରତିଶୋଧର ଭାବନା ଦେଖା ଦେଇଛି। ଭାରତୀୟଙ୍କ ଏପରି ମନୋଭାବ ଯଥାର୍ଥ ବୋଲି ଶୁକ୍ଲା ମତ ଦେବା ସହ ପାକିସ୍ତାନ ତୁରନ୍ତ ଆତଙ୍କବାଦଙ୍କୁ ପ୍ରୋତ୍ସାହନ ଦେବା ବନ୍ଦ କରିବା ଉଚିତ୍‌ ବୋଲି କହିଛନ୍ତି।

Leave A Reply