ମାଟି ଓ ମେଘର ମିଳନର ପର୍ବ ରଜ

ମାଟି ଓ ମେଘର ମିଳନର ପର୍ବ ରଜ । ପ୍ରଥମ ବର୍ଷାର ପହିଲି ପରସ ମାଟି ଛୁଇଁଲେ, ଆର୍ଦ୍ର ହୋଇ ଉଠେ ପୃଥିବୀ । ସତେ ଯେମିତି ବହୁ ଦିନରୁ ପ୍ରତିକ୍ଷୀତ ଏଇ ମାଟି, ବର୍ଷାର ସ୍ପର୍ଶରେ ହୋଇ ଉଠେ ପରିପୂର୍ଣ୍ଣା । ଭୁରୁଭୁରୁ ଗନ୍ଧରେ ମହକି ଉଠେ ଧରାପୃଷ୍ଠ । ଋତୁମତୀ ଧରାର ସଂକେତ ବହନ କରି ଶୃଙ୍ଗାରରେ ସଜେଇ ହୁଏ ଧରିତ୍ରୀରାଣୀ । ଶରୀର ପାଇଁ ବିଶ୍ରାମ ଆଉ ମନ ପାଇଁ ଆନନ୍ଦ ଓ ଉଲ୍ଲାସର ପର୍ବ ରଜରେ ଭୁଇଁରେ ଖାଲି ପାଦରେ ଚାଲିବା ମନା । ସେହିପରି ଅକ୍ଷୟ ତୃତୀୟାରେ ଧାନ ଅନୁକୂଳ କରି ବସିଥିବା କୃଷକଙ୍କୁ ମଧ୍ୟ କର୍ଷଣ ମନା । ଫସଲ ଉତ୍ପାଦନ ଭଳି ଗୁରୁତ୍ଵପୂର୍ଣ୍ଣ କୃଷିପର୍ବର ଆରମ୍ଭରୁ ମାଟିକୁ ସଂପୂର୍ଣ୍ଣ ବିଶ୍ରାମ ଦେବା ଏହି ପର୍ବର ପରିକଳ୍ପନା । ଏହି ଅବସରରେ ପୁରପଲ୍ଲୀରେ ଝିଅ ଭୁଆସୁଣୀମାନେ ନୂଆ ପୋଷାକ ପରିଧାନ କରି, ପୋଡପିଠା ଖାଇ, ରଜ ପାନରେ ଓଠ ରଙ୍ଗେଇ, ଅଳତା ଲଗା ପାଦରେ ଗାଁ ଗାଁ ବୁଲନ୍ତି ।

ଜ୍ୟୋତିଷ ଶାସ୍ତ୍ର ଆନୁଯାୟୀ, ଯେଉଁ ଦିନ ସୂର୍ଯ୍ୟ ବୃଷ ରାଶିରୁ ମିଥୁନ ରାଶିକୁ ପ୍ରବେଶ କରେ ତା ପର ଦିନକୁ ମିଶାଇ ମୋଟ ତିନିଦିନ ରଜପର୍ବ ପାଳନ କରାଯାଏ  । ମୃଗଶିରା ନକ୍ଷତ୍ରରେ ସୂର୍ଯ୍ୟ ରହିବାର ତିନିଦିନକୁ ରଜ କୁହାଯାଉଥିବା ବେଳେ ଧର୍ମଶାସ୍ତ୍ରନୁସାରେ କୌଣସି ନାରୀର ମାସିକଧର୍ମର ପ୍ରଥମ ତିନିଦିନ ଯଥାକ୍ରମେ- ଚାଣ୍ଡାଳି, ବ୍ରହ୍ମଘାତିନୀ ଓ ରଜକୀ ହୋଇଥାଏ  । ଚତୁର୍ଥ ଦିନରେ ଶୂଦ୍ରା ଓ ପଞ୍ଚମ ଦିନରେ ରମଣ ଯୋଗ୍ୟ ହୋଇଥାଏ  । ରଜର ଶେଷ ଦିନରେ ଠାକୁରାଣୀ ଗାଧୁଆରେ କାଠ ପିଢା ଉପରେ ଶିଳପୁଆ ଲଙ୍ଗଳ ଲୁହା ଓ ବିଭିନ୍ନ ଉପକରଣ ରଖି  ତା ଉପରେ ହଳଦୀ ପାଣି ଢାଳି ବାସୁମତି ସ୍ନାନ କରାଯାଏ । ଏହା ପରେ ହିଁ ପବିତ୍ର ଓ ଉତ୍ପାଦନ କ୍ଷମ ହୁଏ ମାଟି । ଅତଏବ ପ୍ରକୃତି ସୃଷ୍ଟି କରିଛି ବର୍ଷା ଆଉ ବର୍ଷାକୁ ସ୍ଵାଗତ କରି ସୃଷ୍ଟି ହୋଇଛି ରଜ ପର୍ବ ।