ରଜ ପର୍ବ: କାହିଁକି ଓ କିପରି ପାଳନ କରାଯାଏ, ଏହାର ପରମ୍ପରା ଓ ବିଶ୍ୱାସ

0
196

ରଜକୁ ଓଡିଶାର ପାରମ୍ପରିକ ପର୍ବ ଓ ଗଣପର୍ବ କୁହାଯାଏ। ଏହା ଗାଁ ଗହଳଳି ଠାରୁ ଆରମ୍ଭ କରି ସହର ଯାଏଁ ସାଧାରଣତଃ ଚାରି ଦିନ ଧରି ପାଳନ ହୋଇଥାଏ। ଏହାର ଦ୍ଵିତୀୟ ଦିନରେ ମିଥୁନ ମାସର ଆରମ୍ଭ ହୋଇଥାଏ । ରଜ ସଂକ୍ରାନ୍ତିର ପୂର୍ବଦିନକୁ ପହିଲି ରଜ, ଦ୍ଵିତୀୟ ଦିନକୁ ରଜ ସଂକ୍ରାନ୍ତି, ତୃତୀୟ ଦିନକୁ ଭୂମିଦାହ ବା ଭୂମି ଦହନ, ଚତୁର୍ଥ ତଥା ଅନ୍ତିମ ଦିନକୁ ବସୁମତୀ ସ୍ନାନ ଭାବରେ ପାଳନ କରାଯାଏ। ରଜ ଶବ୍ଦର ଆକ୍ଷରିକ ଅର୍ଥ ରଜବତୀ ହେବା, ଯାହା ପୃଥିବୀକୁ ମାତା ଭାବରେ ବିବେଚନା କରି ବର୍ଷାର ଆଗମନରେ ସେ ରଜସ୍ଵଳା ହେବାର ଓ ନୂଆ ଶସ୍ୟ ଜନ୍ମ ହେବାର ସାଙ୍କେତିକ ଭାବ ବହନ କରିଥାଏ । ଏହି ଦିନରେ ଚାଷୀମାନେ ବସୁମତୀ ତଥା ହଳଲଙ୍ଗଳ ପୂଜା କରିବା ସହ ଚାଷ କାମରୁ ତିନି ଦିନ ଅପସରି ଯାଇଥାନ୍ତି । ରଜରେ ପୋଡପିଠା ଓ ପାନ ଖାଇବା ସହ ଝିଅ ମାନେ ଦୋଳି ଖେଳିଥାନ୍ତି। ପୁଅମାନେ ଏହି ଦିନଟିରେ କବାଡି,ବାଗୁଡି ଖେଳ ଖେଳି ରଜ ପାଳନ କରିଥାନ୍ତି।


ରଜରେ ମାଟି ମା’କୁ ତିନିଦିନ ବିଶ୍ରାମ ଦିଆଯାଏ ବୋଲି ବିଶ୍ୱାସ ଅଛି । ପହିଲି ରଜରେ ଆରମ୍ଭ ହୁଏ ପ୍ରସ୍ତୁତି ପର୍ବ । ତିନିଦିନ ଧରି ଧରଣୀ ମାତାକୁ ବିଶ୍ରାମ ଦିଆଯାଏ, ଯେଉଁଥି ପାଇଁ ଭୂ ଖନନ ବାରଣ କରାଯାଇଥାଏ । କୁମାରୀମାନଙ୍କ ପାଇଁ ରଜପର୍ବ ହେଉଛି ତାଲିମ ପ୍ରଦାନକାରୀ ପର୍ବ । ଜଣେ ନାରୀଭାବେ ଆଗାମୀ ଦିନରେ କିଛି କର୍ତ୍ତବ୍ୟ ସମ୍ପାଦନ କରିବାକୁ ହେବ, ତାହା କୁମାରୀମାନଙ୍କୁ ଏହି ରଜ ପର୍ବ ଅବସରରେ ଶିଖିବାକୁ ପଡ଼ିଥାଏ। ରଜ ତିନିଦିନ ଧରି ରଜସ୍ୱଳା ନାରୀଭାବେ ଧରଣୀମାତାକୁ କଷ୍ଟ ନ ଦେଇ ବିଶ୍ରାମ ଦେଲାଭଳି କଟା, ବଟା ଆଦି ଗୃହକର୍ମ ନ କରି କୁମାରୀମାନେ ବିଶ୍ରାମ କରନ୍ତି । ଧରଣୀ ମାତା ଶସ୍ୟଶ୍ୟାମଳାପୂର୍ଣ୍ଣ ହେବା ପାଇଁ ପ୍ରାଥମିକ ପ୍ରସ୍ତୁତି ଭାବେ ରଜ ତିନିଦିନ ବିଶ୍ରାମ ମିଳିଥାଏ ତାଙ୍କୁ ।


ରଜ ପର୍ବ ପାଳନ ବେଳେ ଘରର ଘରଣୀମାନେ କୌଣସି କାମ କରି ନ ଥାନ୍ତି। ଝିଅମାନେ ବିଭିନ୍ନ ପ୍ରକାର ପୋଷାକ ଯଥା ଶାଢ଼ି ଓ ଅନ୍ୟାନ୍ୟ ପୋଷାକ ପିନ୍ଧି ଖେଳ ଓ ଦୋଳିରେ ସମୟ ଅତିବାହିତ କରିଥାନ୍ତି। ଏହିଦିନ ସାଧାରଣତଃ ଝିଅମାନେ ଖାଲି ପାଦରେ ଚାଲିବାକୁ ବାରଣ କରାଯାଇଥିବା ବେଳେ କଦଳୀ ପଟୁଆ ପିନ୍ଧି ଚାଲିଥାନ୍ତି । ଘରେ ଘରେ ବିଭିନ୍ନ ପ୍ରକାର ପିଠାର ଆସର ଜମିଥାଏ। ପୋଡ ପିଠା, ଏଣ୍ଡୁରି ପିଠା ଓ ବିଭିନ୍ନ ପ୍ରକାର ପିଠାରେ ଘର ଭର୍ତ୍ତି ହୋଇଥାଏ। ଝିଅମାନେ ଏହି ପର୍ବରେ ରଜ ଗୀତ ଗାଇ ଦୋଳିରେ ଝୁଲିଥାନ୍ତି।


ବସୁମତୀ ସ୍ନାନ ହେଉଛି ରଜ ପର୍ବର ଅନ୍ତିମ ଦିନ। ଏହି ଦିନ ଆମ ଧରଣୀ ମାତାଙ୍କୁ ସ୍ନାନ କରାଯାଇଥାଏ। ଧରଣୀ ମାତା ତିନିଦିନ ବିଶ୍ରାମ ପରେ ସ୍ନାନ କରି ଶୁଦ୍ଧ ପବିତ୍ର ହୋଇଥା’ନ୍ତି । ଏହି ବସୁମତୀ ସ୍ନାନ ଦିନ ଧରଣୀ ମାତା ପ୍ରତି ଭକ୍ତିଭାବ ଜାଗ୍ରତ ହୋଇଥାଏ । ବସୁମାତା ରଜସ୍ଵଳା ହୋଇ ଶୁଦ୍ଧସ୍ନାନ ପରେ ଶସ୍ୟ ବୀଜ ଧାରଣକାରିଣୀ ହୋଇପାରିଥାନ୍ତି ।


ରଜପାନ: ରଜରେ ପାନ ଖାଇବା ଓଡିଆ ପରମ୍ପରା ଅଟେ। ଓଡ଼ିଆଙ୍କ ଠାକୁର ବଡ଼ଠାକୁର ଜଗନ୍ନାଥ ପ୍ରତିଦିନ ଭୋଜନ କରିବା ପରେ ତାମ୍ବୁଳ ସେବା କରି ନିଦ୍ରା ଯାଆନ୍ତି । ରଜ ସହିତ ପାନ ଯୋଡ଼ିହେବା ପଛରେ କଥା ଅଛି, ଏହା ବନ୍ଧୁତାର ଡେ଼ାରିକୁ ସୁଦୃଢ କରିଥାଏ। ରଜରେ ଝିଅମାନେ ସମସ୍ତଙ୍କୁ ପାନ ଦେଇ ବନ୍ଧୁତାକୁ ନିବିଡ କରିଥାନ୍ତି। ରଜପାନର ଚମକ ଓ ମହକ ସାରାବର୍ଷର ପାନକୁ ବଳିଯାଏ, ରଜ ମହୋତ୍ସବକୁ ଆହୁରି ମନ ମୁଗ୍ଧକର କରିଥାଏ । ରଜପାନରେ ଗୁଆ, ଅଳେଇଚ, ଗୁଜୁରାତି, ଭଜା ଧଣିଆ, ଚାଉଳ ଓ ନଡିଆ ଖଣ୍ଡ, ଚେରି, ଲବଙ୍ଗ, ଚୁଆ, ପାନ ମହୁରି, ସୁବାସିତ ଜାଫ୍ରାନ କେଶର, ଖଇର ପରି ୧୦ରୁ ୧୨ ପ୍ରକାର ମସଲା ବ୍ୟବହୃତ ହୁଏ । ଏହାକୁ ବିଭିନ୍ନ ଢଙ୍ଗରେ ସଜାଇ ଲବଙ୍ଗ ଖୋସି ଅତି ସୁନ୍ଦର ଭାବେ ଥାଳିରେ ରଖାଯାଏ । ସାଧାରଣ ଦିନର ପାନଠାରୁ ରଜପାନର ସ୍ୱାଦ ଅତ୍ୟନ୍ତ ନିଆରା ହୋଇଥାଏ । ରଜ ଆସିଲେ ବଜାରରେ ମଧ୍ୟ ପାନର ଦର ବଢିଯାଏ । ଦରକୁ ଖାତିର ନ କରି ପାନ ସମସ୍ତେ ଖାଇଥାନ୍ତି।


ନିୟମିତ ରୋଷେଇ କରିବା ହେଉଛି ମହିଳାଙ୍କ କାର୍ଯ୍ୟ । ରଜରେ ଧରଣୀମାତାଙ୍କୁ ଯେପରି ବିଶ୍ରାମ ଦିଆଯାଏ ସେପରି ଝିଅ,ବୋହୂ ମାନେ ମଧ୍ୟ ବିଶ୍ରାମ ନେଇଥାନ୍ତି। ତେଣୁ ରଜ ପୂର୍ବଦିନରୁ ହିଁ ରଜର ପ୍ରସ୍ତୁତି ସରି ଯାଇଥାଏ। ପହିଲି ରଜରେ ବହୁ ରକମର ପିଠାପଣା, ବିଶେଷ କରି ପୋଡ଼ ପିଠା ତିଆରି କରାଯାଇଥାଏ, ଯାହା ସହଜରେ ନଷ୍ଟ ହୁଏ ନାହିଁ ଏବଂ ଅଧିକ ଦିନ ରହିଥାଏ । ଭାତ ବଦଳରେ ଫଳମୂଳ ଓ ବିଭିନ୍ନ ପ୍ରକାର ପିଠା ଏକାଠି ଖାଇ ସମସ୍ତେ ମଜା କରିଥାନ୍ତି ।

ଆଲେଖ୍ୟ- ପ୍ରଜ୍ଞାସିନୀ ମଲ୍ଲିକ

LEAVE A REPLY

Please enter your comment!
Please enter your name here