ଦେବୀଙ୍କ ସହ ଜଡିତ ରଜ ପର୍ବ  

0

ଆସୁଛି ଓଡ଼ିଶାର ଗଣପର୍ବ ରଜ। ମିଥୁନ ସଂକ୍ରାନ୍ତି ଏବଂ ତାର ପୂର୍ବ ଓ ପର ଦୁଇ ଦିନକୁ ମିଶାଇ ଚାରିଦିନ ମୁଖ୍ୟତଃ କିଶୋରୀ ଓ ଯୁବତୀଙ୍କ ପର୍ବ ଭାବେ ମାନ୍ୟତା ପାଇ ଆସିଛି। ଏହି ସମୟରେ ଝିଅ, କିଶୋରୀ, ଯୁବତୀ ଓ ମହିଳାମାନଙ୍କୁ ରନ୍ଧାବଢ଼ା ଓ ଘରକାମରୁ ବାରଣ କରାଯାଏ। ଏହି ଚାରିଦିନ ସେମାନଙ୍କ ଖାଦ୍ୟପାନୀୟ, ଚାଲିଚଳଣରେ ମଧ୍ୟ କେତେକ କଟକଣା ଜାରି କରାଯାଏ। ମିଥୁନ ସଂକ୍ରାନ୍ତିରେ  ଧରିତ୍ରୀ ମାତା ରଜସ୍ବଳା ହେଉଥିବାରୁ ମହିଳାଙ୍କ ଉପରେ ଏଭଳି କଟକଣା ଜାରି କରାଯାଇଥିବାର ଧାରା କାହିଁ କେଉଁ ଯୁଗରୁ ଚାଲି ଆସିଛି। କିନ୍ତୁ କେବଳ ମାନବ ନୁହନ୍ତି ଦେବାଦେବୀଙ୍କ ପାଇଁ ମଧ୍ୟ ଯେ ଏହି ନିୟମ ଓ କଟକଣା ରହିଛି – ସେ  ସମ୍ପର୍କରେ ହୁଏତ ଅନେକେ ଜାଣି ନଥିବେ। ଓଡ଼ିଶା ଏପରିକି ଦେଶର ଅନେକ ଶକ୍ତିପୀଠରେ ଦେବୀଙ୍କୁ ରଜସ୍ବଳା ନୀତିନିୟମ ଅନୁଯାୟୀ ପୂଜାର୍ଚ୍ଚନା କରିବାର ବିଧି ପ୍ରଚଳିତ ରହିଛି। ସେହି ସବୁ ରୀତିନୀତି, ପରମ୍ପରା ଓ ପୌରାଣିକ ମତବାଦ ରଜ ପର୍ବକୁ ଆଞ୍ଚଳିକତାବାଦରୁ ଊର୍ଦ୍ଧ୍ବକୁ ନେଇ ଜାତୀୟ ପର୍ବର ମାନ୍ୟତା ଦେବାର ଅବକାଶ ସୃଷ୍ଟି କରିଛି।

ଦେବୀ କାମାକ୍ଷା

ଦେବୀ କାମାକ୍ଷାଙ୍କ ରଜସ୍ବଳା ପର୍ବ ସମୟରେ ମନ୍ଦିର ପ୍ରାଙ୍ଗଣରେ ଧୂମଧାମରେ ଉତ୍ସବ ପାଳନ କରାଯାଏ। ଆସମର ଗୌହାଟିରୁ ମାତ୍ର ୮ କି.ମି ଦୂରତାରେ ନୀଳାଚଳ ପର୍ବତ ମଝିରେ ମା’ କାମାକ୍ଷା ଦେବୀଙ୍କ ମନ୍ଦିର ଅବସ୍ଥିତ । କାମାକ୍ଷା ଦେବୀଙ୍କ ମନ୍ଦିର ଭାରତ ଅନ୍ୟତମ ଶକ୍ତିପୀଠ ଭାବେ ପରିଚିତ।  ପ୍ରସିଦ୍ଧ ୧୦୮ ଶକ୍ତିପୀଠ ମଧ୍ୟରୁ ଏହି ମନ୍ଦିର ଅନ୍ୟତମ । ପ୍ରାଚୀନ କାଳରୁ ପ୍ରସିଦ୍ଧ ଶକ୍ତିପୀଠ କାମାକ୍ଷା ମନ୍ଦିର ବର୍ତ୍ତମାନ ଯୁଗର ତନ୍ତ୍ର ସାଧନାର ସର୍ବୋଚ୍ଚ ସ୍ଥାନ କହିଲେ ଭୁଲ ହେବ ନାହିଁ ।

ପୌରାଣିକ ମତ ଅନୁଯାୟୀ, ପିତା ଦକ୍ଷପ୍ରଜାପତିଙ୍କ ଦ୍ବାରା ଆୟୋଜିତ ଯଜ୍ଞ କୁଣ୍ଡରେ ମାତା ସତୀ ଝାସ ଦେଇଥିଲେ । ଏହି ଘଟଣା ବିଷୟରେ ମହାଦେବ ଜାଣିବା ପରେ କ୍ରୋଧିତ ହୋଇ ମାତା ସତୀଙ୍କ ଶବକୁ ଧରି ତାଣ୍ଡବ ନୃତ୍ୟ କରିଥିଲେ । ମହାଦେବଙ୍କ କ୍ରୋଧ ଉପରେ ନିୟନ୍ତ୍ରଣ ଆଣିବା ପାଇଁ ଭଗବାନ ବିଷ୍ଣୁ ସୁଦର୍ଶନ ଚକ୍ର ଛାଡ଼ିଥିଲେ। ମାତା ସତୀଙ୍କ ଶବ ଖଣ୍ଡ ଖଣ୍ଡ ହେଇ ବିଭିନ୍ନ ସ୍ଥାନରେ ପଡିଥିଲା। ସେଥିମଧ୍ୟରୁ ମାତାଙ୍କ ଶରୀରର ଏକ ଅଂଶ(ଯୋନି) ଏହି ସ୍ଥାନରେ ପଡିଥିଲା । ସେବେଠାରୁ ଏହି ସ୍ଥାନକୁ ମାତା କାମାକ୍ଷାଙ୍କ ଶକ୍ତିପୀଠ ନାମରେ ଜଣାଶୁଣା ।

ତନ୍ତ୍ର, ମନ୍ତ୍ର, ସାଧନା ସିଦ୍ଧି ପାଇଁ ବିଶ୍ବରେ ଏହି ସ୍ଥାନକୁ ସର୍ବୋଚ୍ଚ ସ୍ଥାନ ଭାବରେ ଜଣାଯାଏ । ବର୍ଷରେ ଥରେ ଏଠାରେ ଅମ୍ବୁବାଚି ପର୍ବ ପାଳନ କରାଯାଏ । ଏହାକୁ ଦେବୀଙ୍କ ରଜସ୍ବଳା ପର୍ବ ମଧ୍ୟ କୁହାଯାଏ । ପୌରାଣିକ ଶାସ୍ତ୍ର ଅନୁସାରେ ସତ୍ୟଯୁଗରେ ୧୬ ବର୍ଷରେ, ତ୍ରେତୟା ଯୁଗରେ ୧୨ ବର୍ଷରେ, ଦ୍ବାପର ଯୁଗରେ ୭ ବର୍ଷରେ ଥରେ ଏହି ପର୍ବ ପାଳିତ ହେଉଥିବା ବେଳେ କଳିଯୁଗରେ ପ୍ରତି ବର୍ଷ ଆଷାଢ ମାସର ସପ୍ତମ ଦିନରୁ ଏହି ପର୍ବ ଆରମ୍ଭ ହୁଏ । ଇଂରେଜି କ୍ୟାଲେଣ୍ଡର ଅନୁଯାୟୀ ଚଳିତ ବର୍ଷ ଜୁନ ୨୨ରୁ ୨୫ ତାରିଖ ଯାଏଁ ଏହି ପର୍ବ ପାଳନ କରାଯିବ ।

ଦେବୀଙ୍କ ମନ୍ଦିର ପ୍ରାଙ୍ଗଣରେ ଅମ୍ବୁବାଚି ଉତ୍ସବକୁ ବଡ ଧୂମଧାମରେ ପାଳନ କରାଯାଏ । ଦେଶ ବିଦେଶରୁ ବିଭିନ୍ନ ଭକ୍ତଙ୍କ ସହ ତାନ୍ତ୍ରିକ, ଅଘୋରୀ ସାଧୁ ଏବଂ ପୂଜାରୀ ଏହି ମେଳାରେ ସାମିଲ ହୁଅନ୍ତି । ନୀଳଚଳ ପର୍ବତର ବିଭିନ୍ନ ଗୁମ୍ଫାରେ ଶକ୍ତି ଉପାସକ, ତାନ୍ତ୍ରିକ ଓ ସାଧକମାନେ ସିଦ୍ଧି ପ୍ରାପ୍ତି ପାଇଁ ସାଧନା କରୁଥିବା ଦେଖିବାକୁ ମିଳେ ।

ସ୍ଥାନୀୟଲୋକଙ୍କ କହିବା ଅନୁଯାୟୀ, ଏହି ତିନି ଦିନ ମା’ କାମାକ୍ଷା ଦେବୀ ରଜସ୍ବଳା ହୋଇଥାଆନ୍ତି। ସେହି ସମୟରେ କାମାକ୍ଷା ଦେବୀଙ୍କ ଗର୍ଭଗୃହ କବାଟ ଆପେଆପେ ବନ୍ଦ ହୋଇଯାଏ । ଦେବୀଙ୍କ ରକ୍ତରେ ବ୍ରହ୍ମପୁତ୍ର ନଦୀ ନାଲି ରଙ୍ଗ ହୋଇଯାଇଥାଏ ବୋଲି ପୌରାଣିକ ମତ ରହିଛି । ଏହି ସମୟରେ ଦେବୀଙ୍କ ଦର୍ଶନ ମଧ୍ୟ ବନ୍ଦ ରହିଥାଏ । ଏହି ପର୍ବର ଆରମ୍ଭରୁ ଗର୍ଭଗୃହରେ ଥିବା ଦେବୀଙ୍କ ଶିଳାଖଣ୍ଡରେ ପିନ୍ଧାଯାଇଥିବା ଧଳା ରଙ୍ଗର ବସ୍ତ୍ର ପର୍ବ ସରିବା ପରେ ରକ୍ତରେ ଭିଜି ନାଲି ରଙ୍ଗ ହୋଇ ଯାଇଥାଏ । ଏହାକୁ ପୁରୋହିତଙ୍କ ଦ୍ବାରା ଭକ୍ତଙ୍କ ମଧ୍ୟରେ ବଣ୍ଟନ କରାଯାଏ । ଯାହାର ଛୋଟ ଛୋଟ ଖଣ୍ଡ କାମିଆ ବସ୍ତ୍ର ନାମରେ ବିକ୍ରି ହୁଏ ।

କିଛି ଲୋକ ଏପରି ମଧ୍ୟ କୁହନ୍ତି ଯେ, ଏହି ପର୍ବ ସମୟରେ ବ୍ରହ୍ମପୁତ୍ର ନଦୀରେ ସିନ୍ଦୁର ଢଳାଯାଏ । ଯେଉଁ କାରଣରୁ ନଦୀ ଜଳ ପୁରା ନାଲି ରଙ୍ଗ ହୋଇଥାଏ । ଆହୁରି ମଧ୍ୟ ଶୁଣିବାକୁ ମିଳେ ଯେ, ପଶୁ ବଳି ଯୋଗୁଁ ଏହି ନଦୀ ପାଣି ରଙ୍ଗ ନାଲି ହୋଇଥାଏ । ଏହି ମନ୍ଦିରରେ ମାଈପଶୁ ବଳି ଦିଆଯାଏ ନାହିଁ ।

ଏହାଛଡ଼ା କାମାକ୍ଷା ଦେବୀ ମନ୍ଦିର ଅନ୍ୟ ଏକ କାହାଣୀ ସହ ଜଡ଼ିତ । କୁହାଯାଏ, ଏକଦା କାମଦେବ ନିଜର ପୁରୁଷତ୍ଵ ହରାଇ ଥିବା ବେଳେ ଏହି ସ୍ଥାନରେ ପୂଜାର୍ଚନା କରି ପୁରୁଷତ୍ଵ ଫେରି ପାଇଥିଲେ । ଅନ୍ୟ ଏକ କଥା ମଧ୍ୟ ଶୁଣିବାକୁ ମିଳେ ଯେ, ଏଠାରେ ହିଁ ମହାଦେବ ଓ ପାର୍ବତୀଙ୍କ ମଧ୍ୟରେ ପ୍ରେମର ଆରମ୍ଭ ହୋଇଥିଲା । ସଂସ୍କୃତ ଭାଷାରେ ପ୍ରେମକୁ କାମ କୁହାଯାଏ । ଯେଉଁଥିରୁ କାମାକ୍ଷା ନାମର ଉତ୍ପତ୍ତି ହୋଇଛି ।

ଦେବକୁଣ୍ଡ

ଅମ୍ବୁବାଚି ପର୍ବ ସହିତ ସାମଞ୍ଜସ୍ୟ ଥିବା ଆଉ ଏକ ଗଣପର୍ବ ଓଡିଶାରେ ମଧ୍ୟ ଦେଖିବାକୁ ମିଳେ। ପଶ୍ଚିମ ଓଡିଶାର ମୟୂରଭଞ୍ଜ ଜିଲାରେ ଥିବା ପର୍ଯ୍ୟଟନ ସ୍ଥଳୀ ଦେବକୁଣ୍ଡ ଠାରେ ବିରାଜମାନ ମା’ ଅମ୍ବିକାଙ୍କ ପୀଠରେ ଏଭଳି ଏକ ସ୍ବତନ୍ତ୍ର ପର୍ବ ପାଳନ କରାଯାଏ । ବାରିପଦାରୁ ପ୍ରାୟ ୬୦ କିମି ଦୂର ଏବଂ ବାଲେଶ୍ବରରୁ ୮୫ କିମି ଦୂରତାରେ ଏହି ପୀଠ ଅବସ୍ଥିତ ।

ପୌରାଣିକ କଥାନୁଯାୟୀ, ଏଠାରେ ମା’ ସତୀଙ୍କ ଜାନୁ ପତିତ ହୋଇଥିଲା। ତେଣୁ ଏହାକୁ ମାତା ଯୋନିପୀଠ ନାମରେ ମଧ୍ୟ ଜଣାଯାଏ । ରଜ ପର୍ବ ସମୟରେ ମାତା ରଜସ୍ବଳା ହୋଇଥାନ୍ତି । ଏହି ସମୟରେ ପୂଜା ବନ୍ଦ ରହିବା ସହ ଦର୍ଶନ ମଧ୍ୟ ବନ୍ଦ ରହିଥାଏ । ପହିଲ ରଜ, ରଜ ସଂକ୍ରାନ୍ତି ଓ ଭୂଦାହ ଏହି ତିନି ଦିନ ମା’ ଅମ୍ବିକା ଅପୂଜା ରହିଥାନ୍ତି । ବସୁମତି ସ୍ନାନ ପରେ ମା’ଙ୍କର ମହାସ୍ନାନ କରାଯାଇ ଏକ ବିଶେଷ ପୂଜାର ଆୟୋଜନ କରାଯାଏ ।