ବୁଲ୍‌ବୁଲ୍‌ ପ୍ରଭାବରେ ବର୍ଷା ଆରମ୍ଭ; ୪ ଜିଲାରେ ସ୍କୁଲ ଛୁଟି ଘୋଷଣା

ଭୁବନେଶ୍ଵର: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ବୁଲ୍‌ବୁଲ୍‌’ ବର୍ତ୍ତମାନ ପାରଦୀପଠାରୁ ୪୨୦ କିଲୋମିଟର ଦୂରରେ ରହିଛି। ଘଣ୍ଟା ପ୍ରତି ୮ କିଲୋମିଟର ବେଗରେ ବାତ୍ୟା ବାଂଲାଦେଶ-ପଶ୍ଚିମବଙ୍ଗ ଆଡକୁ ମୁହାଁଉଥିବାବେଳେ ଆସନ୍ତା ୧୦ ତାରିଖ ବେଳକୁ ଏହା ପଶ୍ଚିମବଙ୍ଗର ସାଗର ଦ୍ବୀପ ଏବଂ ବାଂଲାଦେଶର ଖେପୁପରା ମଧ୍ୟ ଭାଗରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି। ତେବେ ବାତ୍ୟା ପ୍ରଭାବରେ ଶୁକ୍ରବାର ସକାଳୁ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯାଇଛି। ଜଗତ୍‌ସିଂହପୁର ଜିଲାର ପାରାଦୀପରେ ସକାଳୁ ଅସରା ଅସରା ବର୍ଷା ସହିତ ସାମାନ୍ୟ ପବନ ବହିବା ଆରମ୍ଭ କରିଛି। ଏହାବ୍ୟତୀତ ଉପକୂଳ ଓଡ଼ିଶା ସମେତ ରାଜ୍ୟର ଅନ୍ୟ ପ୍ରାନ୍ତରେ ଆକାଶ ମେଘାଚ୍ଛନ ରହିଛି। ବାତ୍ୟା ଯୋଗୁ ବର୍ଷାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ଶୁକ୍ରବାରଠାରୁ ୨ ଦିନ ଯାଏ ପୁରୀ, କେନ୍ଦ୍ରାପଡ଼ା, ଯାଜପୁର ଏବଂ ଜଗତ୍‌ସିଂହପୁର ଜିଲାରେ ସମସ୍ତ ସ୍କୁଲ ଏବଂ ଅଙ୍ଗନୱାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଛି।

ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ, ପୁରୀ, ଜଗତସିଂହପୁର, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏସବୁ ଜିଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ସେହିପରି ଶନିବାର ବାଲେଶ୍ଵର, ଭଦ୍ରକ, କେନ୍ଦୁଝର, ଜଗତ୍‌ସିଂହପୁର ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହାବ୍ୟତୀତ ମୟୂରଭଞ୍ଜ, ଯାଜପୁର ଏବଂ କଟକର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

Comments are closed.