ଘଣ୍ଟାଏ ବର୍ଷାରେ ଦ୍ୱୈତନଗରୀ ବେହାଲ୍‍

0

କଟକ/ଭୁବନେଶ୍ୱର: ଆଜି ସକାଳୁ ଘଣ୍ଟାଏ ବର୍ଷାରେ ଦ୍ୱୈତନଗରୀ କଟକ-ଭୁବନେଶ୍ୱର ବେହାଲ୍‍ ହୋଇଯାଇଛି। ଦୁଇ ସହରର କେତେକ ପ୍ରମୁଖ ରାସ୍ତାରେ ଦେଢ଼ଫୁଟ ଉଚ୍ଚରେ ପାଣି ଚାଲିଛି। ମାତ୍ର ଘଣ୍ଟାଏ ବର୍ଷାରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି।
ଆଜି ସକାଳେ ଆକାଶ ସାମାନ୍ୟ ମେଘୁଆ ରହିଥିଲା। ୭.୩୦ ସୁଦ୍ଧା ହଠାତ୍‍ ଘୋଟିଆସିଲା କଳାହାଣ୍ଡିଆ ମେଘ। ୮ଟାରୁ ଆରମ୍ଭ ହୋଇଗଲା ଘଡ଼ଘଡ଼ି ସହିତ ପ୍ରବଳ ବର୍ଷା। ପ୍ରାୟ ଘଣ୍ଟାଏ କାଳ ବର୍ଷିବା ପରେ ଧୀରେ ଧୀରେ ପ୍ରକୋପ ହ୍ରାସ ପାଇ ୯ଟା ୩୦ ସୁଦ୍ଧା କମିଯାଇଛି। ମୁଖ୍ୟତଃ ଜାଇକାର ଅଧପନ୍ତରିଆ କାମ ଯୋଗୁଁ ଏହି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଲୋକେ ଅଭିଯୋଗ କରିଛନ୍ତି।
ଏଇ ଘଣ୍ଟାଏ ବର୍ଷାରେ ଦୁଇ ସହର ଜଳାର୍ଣ୍ଣବ ହୋଇଯାଇଛି। ଭୁବନେଶ୍ୱର ପ୍ରମୁଖ ସ୍ଥାନ ଆଚାର୍ଯ୍ୟ ବିହାର, ଇସ୍କନ୍‍ ମନ୍ଦିର ସାମ୍ନା, ରାଜମହଲ, ଆଇଗିଣିଆ ଆଦି ଅଞ୍ଚଳରେ ଦେଢ଼ ଫୁଟ୍‍ ଉଚ୍ଚର ପାଣି ସୁଅ ଛୁଟିଥିଲା। ସେହିପରି କଟକର ବାଦାମବାଡ଼ି, ପୁଲିସ୍‍ ମୁଖ୍ୟାଳୟ ଛକରୁ ସମାଜ ଅଫିସ୍‍ ଛକ ମଝି ରାସ୍ତା, ଦୋଳମୁଣ୍ଡାଇ, ରକ୍ସି ଲେନ୍‍, ସହର ତଳି ବସ୍ତି ଅଞ୍ଚଳ ଆଦି ପ୍ରମୁଖ ସ୍ଥାନମାନଙ୍କରେ ବର୍ଷା ଓ ନର୍ଦ୍ଦମା ପାଣି ଲହଡ଼ି ମାରୁଥିଲା। ସକାଳୁ ସକାଳୁ ଘରୁ ବାହାରି ପଡ଼ିଥିବା ବସ୍‍ଯାତ୍ରୀମାନେ ବର୍ଷାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଛୋଟ ପିଲାଙ୍କୁ ଧରି ବଡ଼ ଡାକ୍ତରଖାନାକୁ ଆସିଥିବା ଯାତ୍ରୀମାନେ ଅସୁବିଧା ଭୋଗିଥିଲେ। ବର୍ଷା ଯୋଗୁଁ କିଛି ଅଞ୍ଚଳରେ ବିଜୁଳି ସରବରାହ ବିଚ୍ଛିନ୍ନ ହୋଇଛି।
ଦୁଇ ସହରର ଆକାଶକୁ କଳାହାଣ୍ଡିଆ ମେଘ ଆଚ୍ଛାଦିତ କରି ରଖିଥିବା ବେଳେ ସାଢ଼େ ୧.୩୦ ଯାଏ ସତର୍କ ରହିବାକୁ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ସେହିପରି ଆହୁରି ୬ଟି ଜିଲା ପାଇଁ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସେହିସବୁ ଜିଲ୍ଲାଗୁଡ଼ିକ ହେଲା ଗଜପତି, ଢେଙ୍କାନାଳ, ନୂଆପଡ଼ା, ସମ୍ବଲପୁର, ଦେବଗଡ଼, ରାୟଗଡ଼ା, କନ୍ଧମାଳ। ଏହି ସମୟରେ ଘଣ୍ଟାକୁ ୫୦ ରୁ ୬୦ କିମି ବେଗରେ ପବନ ବହିବା ସହିତ ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି।

Leave A Reply