ବର୍ଷା ଆହୁରି ୪୮ ଘଣ୍ଟା

0

ଭୁବନେଶ୍ବର/ବ୍ରହ୍ମପୁର/ଭବାନୀପାଟଣା : ଲଘୁଚାପ ବର୍ଷାରେ ଗଞ୍ଜାମ ସମେତ ଦକ୍ଷିଣାଞ୍ଚଳ ଜିଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମ ଜିଲାର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା। ଗଞ୍ଜାମ ଜିଲାର ପୁରୁଷୋତ୍ତମପୁରରେ ସର୍ବାଧିକ ୧୭୨ ମିମି ବର୍ଷା ହୋଇଥିବାବେଳେ ହିଞ୍ଜିଳିକାଟୁରେ ୧୩୩ ମିଲିମିଟର ବର୍ଷା ହୋଇଥିବା ରେକର୍ଡ ହୋଇଛି। ସେହିପରି ଆସିକାରେ ୧୩୦ ମିଲିମିଟର, ଭଞ୍ଜନଗରରେ ୮୪ ମିମି, କୁକୁଡ଼ାଖଣ୍ଡିରେ ୬୬ମିମି ବର୍ଷା ହୋଇଥିଲା।
ଇତିମଧ୍ୟରେ ଲଗାଣ ବର୍ଷା ଯୋଗୁ ବଂଶଧାରା ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଦୁଇ ଦିନ ଧରି ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଦୁଇଟି ସ୍ଥାନରେ ବଂଶଧାରା ନଦୀର ଜଳସ୍ତର ବିପଦ ସଂକେତ ଅତିକ୍ରମ କରିଛି। ଗୁଣପୁରଠାରେ ବଂଶଧାରାର ବିପଦ ସଂକେତ ୮୪ ମିଟର ଥିବାବେଳେ ରବିବାର ସନ୍ଧ୍ୟା ସୁଦ୍ଧା ଏଠାରେ ଜଳସ୍ତର ୮୪.୦୪ ମିଟରରେ ପହଞ୍ଚିଛି। ସେହିପରି ଗଜପତି ଜିଲା କାଶୀନଗରଠାରେ ବଂଶଧାରାର ବିପଦସଂକେତ ୫୩.୬୦ମିଟର ଥିବାବେଳେ ସନ୍ଧ୍ୟା ୭ଟାରେ ଏଠାରେ ଜଳସ୍ତର ୫୪.୯୦ ମିଟରରେ ପହଞ୍ଚିଥିବା ଜଳସେଚନ ବିଭାଗ ସୂତ୍ରରୁ ଜଣାପଡ଼ିଛି। ରାତିରେ ଜଳସ୍ତର ଅଧିକ ବୃଦ୍ଧି ପାଇବା ଆଶଙ୍କା ରହିଥିବା କେନ୍ଦ୍ରୀୟ ଜଳ ଆୟୋଗ ସୂଚନା ଦେବାପରେ ଏଥିନେଇ
ପ୍ରଶାସନ ସତର୍କ ରହିଥିବା ଭାରପ୍ରାପ୍ତ ତହସିଲଦାର କହିଛନ୍ତି।
ଦୁଇଦିନର ଲଗାଣ ବର୍ଷାରେ ଗଞ୍ଜାମ ଜିଲାର କୋଦଳା ଏନଏସି, କବିସୂର୍ଯ୍ୟନଗର ବ୍ଲକ ଓ ଏନଏସି ଏବଂ ପୋଲସରା ବ୍ଲକର ୫ଟି ଗ୍ରାମ ଏବଂ ଏନଏସିର କିଛି ଅଞ୍ଚଳ ଜଳମଗ୍ନ ହୋଇପଡିଛି। ଗତକାଲି ରାତି ଏବଂ ଆଜି ସକାଳ ୯ଟା ସୁଦ୍ଧା ଅବିଶ୍ରାନ୍ତ ମୂଷଳ ଧାରାରେ ବର୍ଷା ଲାଗି ରହିବାରୁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି। କୋଦଳା ସହର ଦେଇ ପ୍ରବାହିତ ଜଗତା ନାଳରେ ଅଚାନକ ବନ୍ୟାଜଳ ଆସିଯିବାରୁ ସହରର ତିନିଟି ସାହିରେ ଜଳ ପ୍ରବେଶ କରିଛି। ସେହିପରି କୋଦଳା-ଆସିକା ରାସ୍ତାର କୋଦଳା ଡାକବଙ୍ଗଳା ନିକଟରେ ଏକ ବିରାଟକାୟ ହ୍ରଦର ଭ୍ରମ ସୃଷ୍ଟି ହୋଇଛି। ବର୍ଷା ଜଳରେ ଶହଶହ ହେକ୍ଟର ଚାଷଜମି ବୁଡି ରହିଛି। କବିସୂର୍ଯ୍ୟନଗର ସହରରେ ମଧ୍ୟ ଅନୁରୂପ ଅବସ୍ଥା ସୃଷ୍ଟି ହୋଇଥିବା ବେଳେ ପୋଲସରା ବ୍ଲକର ପୋଲସରା ସମେତ ବନ୍ଥପଲ୍ଲୀ, ଉସ୍ତପଡା, ବାଲିଘାଇ, ସିଦ୍ଧିପୁର ଓ କଙ୍କୋରଡା ଗ୍ରାମ ଜଳମଗ୍ନ ହୋଇପଡିଛି। ଧନେଇ ନଦୀ, ମୁଷୁକି ନାଳ ଓ ଡିଅାଁ ନାଳରେ ବର୍ଷା ଜଳ ଆସିଯିବାରୁ ଏହି ସବୁ ଗ୍ରାମ ଜଳମଗ୍ନ ହୋଇପଡିଛି।
ସେହିପରି କଳାହାଣ୍ଡି ଜିଲାରେ ଗତ ୩ ଦିନ ଧରି ଲଘୁଚାପଜନିତ ବର୍ଷା ଲାଗି ରହିଛି। ରବିବାର ଅପରାହ୍ଣ ସୁଦ୍ଧା ଭବାନୀପାଟଣାରେ ସର୍ବାଧିକ ୨୦୦ ମିଲିମିଟରେ ବର୍ଷା ହୋଇଛି। ଜିଲାର ଭବାନୀପାଟଣା ସହର ସମେତ ନର୍ଲା, ଏମ. ରାମପୁର, ଲାଞ୍ଜିଗଡ଼ ଆଦି ବ୍ଲକର ବହୁ ସ୍ଥାନ ବର୍ଷା ପାଣିରେ ଉବୁଟୁବୁ ହେଉଛି। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଲାଞ୍ଜିଗଡ଼ ବ୍ଲକର ବହୁ ସ୍ଥାନ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ମାଳିଯୁବାଙ୍ଗ ପଞ୍ଚାୟତକୁ ରହିଥିବା ରାସ୍ତା ଧୋଇ ହୋଇଯାଇଛି। ଫଳରେ ଏହି ପଞ୍ଚାୟତକୁ ସମସ୍ତ ଯୋଗାଯୋଗ ବିିଚ୍ଛିନ୍ନ ରହିଛି। ବ୍ଲକର ମାଳିଯୁବାଙ୍ଗ-ଉଷାବାହାଲି ରାସ୍ତାର କଲଭର୍ଟ ଧୋଇ ହୋଇଯାଇଛି। ବଂଶଧାରା ନଦୀର ବନ୍ୟା ସ୍ରୋତରେ ଭାସି ଯାଇ ଲାଞ୍ଜିଗଡ଼ ବ୍ଳକ ଜଗନ୍ନାଥପୁର ପଞ୍ଚାୟତର ଡଙ୍ଗରପାତଳମା ଗ୍ରାମର କାଳିଆ ମାଝି(୩୮) ନାମକ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ତେବେ କୃତ୍ରିମ ବନ୍ୟା ଫଳରେ ଭବାନୀପାଟଣା ସହରରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ସହରରେ ପାଣି ପଶି ଶତାଧିକ ମାଟି ଘର ଭୁଶୁଡି ପଡ଼ିବା ସହ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି।
ଲଘୁଚାପ ପ୍ରଭାବରେ ସମୁଦ୍ରରେ ୫ ମିଟର ଉଚ୍ଚରେ ଜୁଆର ମଧ୍ୟ ଦେଖିବାକୁ ମିଳିଛି। ଏହାସହିତ ପବନର ବେଗ ୩୫ରୁ ୪୫ କିମି ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଆସନ୍ତା ୨୪ ଘଣ୍ଟା ପର୍ୟ୍ୟନ୍ତ ବିଭିନ୍ନ ଅଞ୍ଚଳରେ ବଜ୍ରପାତ ସହ ତୁହାକୁ ତୁହା ବର୍ଷା ଲାଗି ରହିବ। ରବିବାର ବଜ୍ରପାତରେ ଭଞ୍ଜନଗର ଅଞ୍ଚଳର ୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୦ରୁ ଅଧିକ ଗୁରୁତର ହୋଇଛନ୍ତି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗିରରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଥିବା ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ସେହିପରି ୪୮ ଘଣ୍ଟା ପର୍ୟ୍ୟନ୍ତ ବର୍ଷା ବଳବତ୍ତର ରହିବ। ୧୬ରେ ମାଲକାନଗିରି, କୋରାପୁଟ, କଳାହାଣ୍ଡି, ବଲାଙ୍ଗିର, ନବରଙ୍ଗପୁର, ବରଗଡ଼, ସୋନପୁର, ରାୟଗଡ଼ା, କନ୍ଧମାଳ, ସମ୍ବଲପୁର ଓ ବୌଦ୍ଧରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ୧୭ରୁ ରାଜ୍ୟରେ ବର୍ଷାର ପରିମାଣ କମିବ। ୧୯ରେ ଉତ୍ତର ବଙ୍ଗୋପସାଗର ଓ ଆଖପାଖ ଅଞ୍ଚଳରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

Leave A Reply