ଘୂର୍ଣ୍ଣିବଳୟ ପ୍ରଭାବ ; ଦଶହରାରେ କେତେକ ସ୍ଥାନରେ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଆସନ୍ତା ୧୦ ତାରିଖଠାରୁ ଉତ୍ତର ପଶ୍ଚିମ ଭାରତରୁ ଦକ୍ଷିଣପଶ୍ଚମି ମୌସୁମି ବାୟୁ ଧୀରେ ଧୀରେ ଅପସରିଯିବ; କିନ୍ତୁ ଓଡ଼ିଶା ଉପରେ ଘୂର୍ଣ୍ଣିବଳୟ ଥିବାରୁ ବର୍ଷା ପ୍ରଭାବ ଲାଗିରହିବ। ଦଶହରା ସମୟରେ ରାଜ୍ୟର କିଛି ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ସମୁଦ୍ର ପତ୍ତନଠାରୁ ​ଦେଢ଼ କିମି ଉପରେ ରହିଛି। ପଶ୍ଚିମବଙ୍ଗରୁ ଓଡ଼ିଶାରେ ସୃଷ୍ଟି ହୋଇଥିବ ଘୂଣ୍ଣିବଳୟ ଅଞ୍ଚଳ ପର୍ଯ୍ୟନ୍ତ ମୌସୁମି ଟ୍ରଫଲାଇନ ଲମ୍ବିଥିବାରୁ ଏହାର ପ୍ରଭାବରେ ଆସନ୍ତ ୭ତାରିଖରେ ରାଜ୍ୟର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ତେବେ ୮ତାରିଖରେ ରାଜ୍ୟର କେତେକ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।
ପାଣିପାଗ ବିଶେ‌ଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ଅନୁସାରେ ଦଶହରା ସମୟରେ ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷାର ସମ୍ଭାବନା ରହିଛି । ଓଡ଼ିଶା ଉପରେ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତାକାଲି ବଙ୍ଗୋପସାଗରରୁ ପବନ ପ୍ରବାହିତ ହେବା ସହିତ ସମ୍ବଲପୁରର ଉତ୍ତରରେ ଝାରସୁଗୁଡ଼ା ଓ ସମ୍ବଲପୁର ଆଦି ଜିଲାରେ ସ୍ବଳ୍ପବର୍ଷାର ସମ୍ଭାବନା ରହିଛି। ଏହି ସମୟରେ ମୟୂରଭଞ୍ଜ, ବାଲେଶ୍ବର, କୋରାପୁଟ, ଗଞ୍ଜାମ ଓ ଗଜପତିରେ ବର୍ଷା ହୋଇପାରେ। ଆସନ୍ତା ୮ତାରିଖ ଦଶହରାରେ ଭୁବନେଶ୍ବର, ପୁରୀ, କଟକ, ପାରାଦ୍ବୀପରେ ପାଗ ଆଂଶିକ ମେଘୁଆ ରହିବା ସହିତ କିଛି ସ୍ଥାନରେ ଘଡ଼ଘଡ଼ି ସହିତ ବର୍ଷା ହେବ। ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ାରେ ପାଗ ମେଘୁଆ ରହିବା ସହ କିଛି ସ୍ଥାନରେ ବର୍ଷାର ସମ୍ଭାବନା ରହିଛି। ଅବିଭକ୍ତ ଗଞ୍ଜାମ, କୋରାପୁଟ ଓ ଅନ୍ୟ କେତେକ ଜିଲାରେ ୨୫ରୁ ୩୦ମିମି ପର୍ଯ୍ୟନ୍ତ ବର୍ଷା ହେବ। ଆସନ୍ତା ୯ତାରିଖରେ ଉତ୍ତର ପଶ୍ଚିମ ସୀମାନ୍ତ ଅବିଭକ୍ତ କୋରାପୁଟରେ ସ୍ବଳ୍ପରୁ ମଧ୍ୟମ, ସୁନ୍ଦରଗଡ଼ରେ ଅଧିକ ବର୍ଷାର ସମ୍ଭାବନା ଥିବାବେଳେ ୧୦ରୁ ୧୨ତାରିଖ ମଧ୍ୟରେ ‌ରାଜ୍ୟର କିଛି ସ୍ଥାନରେ ବର୍ଷାର ସମ୍ଭାବନା ରହିଛି।

Comments are closed.