ବର୍ଷା ଆହୁରି ୪୮ଘଣ୍ଟା

ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ମୌସୁମି ସକ୍ରିୟ ରହିଛି। ମୌସୁମି ଟ୍ରଫଲାଇନ ତେଲଙ୍ଗାନା, ଦକ୍ଷିଣ ଛତିଶଗଡ଼ ଏବଂ ଆଭ୍ୟନ୍ତରୀଣ ଓଡ଼ିଶା ଦେଇ ଗତି କରୁଥିବାରୁ ଏହାର ପ୍ରଭାବରେ ରାଜ୍ୟରେ ଗତକାଲିଠାରୁ ଲଗାଣ ବର୍ଷା ଦ୍ବାରା ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ବାଭାବିକ ଜୀବନଯାତ୍ରା ପ୍ରଭାବିତ ହୋଇଛି। ଭୁବନେଶ୍ବରରେ ସର୍ବାଧିକ ୧୪୨ମିମି ବର୍ଷା ହୋଇଥିବାବେଳେ କଟକରେ ୧୧୪, ବାଲେଶ୍ବରରେ ୧୧୨, ପାରାଦ୍ବୀପରେ ୯୮, ଗୋପାଳପୁରରେ ୯୮, ପୁରୀରେ ୧୦୦ମିମି ବର୍ଷା ହୋଇଛି। ଚାନ୍ଦବାଲି, ବାରିପଦା, ଝାରସୁଗୁଡ଼ା, କେନ୍ଦୁଝର, ବଲାଙ୍ଗୀର ଓ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଅଧିକାଂଶ ଅଞ୍ଚଳ ଜଳାର୍ଣ୍ଣବ ହୋଇପଡ଼ିଛି। ବିଶେଷ କରି ଭୁବନେଶ୍ବର ଓ କଟକରେ ଗତକାଲି ରାତିଠାରୁ ତୁହାକୁ ତୁହା ବର୍ଷା ଲାଗିରହିବା ଦ୍ବାରା ସହରର ଅଧିକାଂଶ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ସହରର ପ୍ରମୁଖ ରାସ୍ତା, ବସ୍ତି, ତଳିଆ ଅଞ୍ଚଳରେ ରାତି ସାରା ଅବିରାମ ବର୍ଷା ​ଯୋଗୁଁ ଲୋକେ ନାହିଁ ନଥିବା ସମସ୍ୟା ଭୋଗିଥିଲେ।
ପ୍ରବଳ ବର୍ଷା ଫଳରେ ଅଧିକାଂଶ ଜିଲା କ୍ଷତିଗ୍ରସ୍ତ ହୋଇଥିବାବେଳେ ଆହୁରି ୪୮ଘଣ୍ଟା ପ୍ରବଳ ବର୍ଷାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହାକୁ ଦୃଷ୍ଟିରେ ରଖି ଜିଲାପାଳମାନେ ସତର୍କ ରହିବାକୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ତି ନିର୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ପ୍ରବଳ ବର୍ଷା ହେବ ବୋଲି ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲାର ଜିଲାପାଳମାନେ ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ଏହାର ମୁକାବିଲା ନିମନ୍ତେ ପ୍ରଶାସନକୁ ସଜାଗ ରଖିବାକୁ ସ୍ବତନ୍ତ୍ର ରିଲିଫ କମିଶନର ନିର୍ଦେଶ ଦେଇଛନ୍ତି।
ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କଟକ, ବାଲେଶ୍ବର ଓ ମୟୂରଭଞ୍ଜ ଆଦି ୬ଟି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏସବୁ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହାଛଡ଼ା କେନ୍ଦୁଝର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଗଜପତି, ଢ଼େଙ୍କାନାଳ, ଗଞ୍ଜାମ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ସମ୍ବଲପୁର ଆଦି ୧୧ଟି ଜିଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଏସବୁ ଜିଲା ପାଇଁ ୟେଲା ୱାର୍ଣ୍ଣିଂଜାରି କରାଯାଇଛି। ପରବର୍ତ୍ତୀ ୨୪ଘଣ୍ଟାରେ ସୁନ୍ଦରଗଡ଼, ମୟୂରଭଞ୍ଜ, ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗୀର, କେନ୍ଦୁଝର, ବାଲେଶ୍ବର ଓ ଭଦ୍ରକ ଆଦି ଜିଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଏସବୁ ଜିଲାକୁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତା ୨୯ତାରିଖରୁ ପୁରୀ, ଜଗତସିଂହପୁର, ବାଲେଶ୍ବର, ଭଦ୍ରକ ଓ କେନ୍ଦ୍ରାପଡ଼ା ଆଦି ଜିଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.